ନୂଆଦିଲ୍ଲୀ: ମୌସୁମୀ ଆସିବା ପରେ ଏବେ ସାରା ଦେଶରେ ପ୍ରବଳ ବର୍ଷା ହେଉଥିବା ଦେଖାଯାଉଛି। ପ୍ରତିଟି ରାଜ୍ୟରେ ବର୍ଷାର ତାଣ୍ଡବ ଦେଖିବାକୁ ମିଳୁଥିବା ବେ‌ଳେ ପାହାଡିଆ ଅଞ୍ଚଳରେ ବର୍ଷା ଲୋକଙ୍କ ଚିନ୍ତା ବଢ଼ାଇଛି। ହିମାଚଳ ପ୍ରଦେଶରେ ଲଗାଣ ବର୍ଷା ପାଇଁ ଭୂସ୍ଖଳନ ସହ ଅଚାନକ ବନ୍ୟା ଆସିଛି। ମଣ୍ଡି ଏବଂ କୁଲ୍ଲୁକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଟ୍ରାଫିକ୍ ଜାମ୍ ଯୋଗୁଁ ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାର ଅଟ ନିକଟରେ ଏକାଧିକ ଲୋକ ଫସି ରହିଥିବା କୁହାଯାଉଛି।

Advertisment

ଏଥିସହିତ ଲଗାଣ ବର୍ଷା ହେତୁ ଉତ୍ତରାଖଣ୍ଡରେ ଭୂସ୍ଖଳନ ଘଟି ଅନେକ ରାସ୍ତା ଅବରୋଧ ହୋଇଥିବାବେଳେ ଗଙ୍ଗା ସମେତ ଅନେକ ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି। ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ହେତୁ ପ୍ରାୟ ୩୦୧ଟି ରାସ୍ତା ବନ୍ଦ ହୋଇଯାଇଛି ଏବଂ ଉତ୍ତରାଖଣ୍ଡରେ ପ୍ରାୟ ୪୩ଟି ରାସ୍ତା ବନ୍ଦ ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ ଖରାପ ହେଲେ ପାଣିପାଗ ବିଭାଗର ପୂର୍ବାନୁମାନକୁ ଅନୁସରଣ କରନ୍ତୁ ଏବଂ ଯାତ୍ରା ବନ୍ଦ କରନ୍ତୁ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଶ୍ରଦ୍ଧାଳୁମାନଙ୍କୁ ନିବେଦନ କରିଛନ୍ତି।

ହଠାତ୍ ବନ୍ୟା ଆସିବାରୁ ମଣ୍ଡିରେ ଏବେ ବି ଯାତ୍ରୀ ଫସି ରହିଥିବା ଜଣାପଡ଼ିଛି। ମଣ୍ଡି ପ୍ରଶାସନିକ ଅଧିକାରୀ କହିଛନ୍ତି ଯେ ଭୂସ୍ଖଳନ ହେତୁ ଅବରୋଧ ହୋଇଥିବା ରାସ୍ତା ପ୍ରାୟ ୨୦ଘଣ୍ଟା ପରେ ଖୋଲା ଯାଇଛି ଏବଂ ବର୍ତ୍ତମାନ ଛୋଟ ଯାନକୁ ଯିବା ପାଇଁ ଅନୁମତି ଦିଆଯାଇଛି।