ପୁଣି ମାଡ଼ି ଆସୁଛି ବାତ୍ୟା: ମହାରାଷ୍ଟ୍ର ଓ ଗୁଜୁରାଟରେ ରହିବ ଅଧିକ ପ୍ରଭାବ, ଲୋକଙ୍କୁ ସତର୍କ ରହିବାକୁ କହିଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ : ଆରବ ସାଗର ଉପରେ ସୃଷ୍ଟି ହୋଇଥିବା ଏକ ଲଗୁଚାପ କ୍ଷେତ୍ର ଆସନ୍ତା ୪୮ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟରେ ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ କୁହାଯାଇଛି | ୪୮ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେବା ସହ ଜୁନ୍ ୩ ରେ ମହାରାଷ୍ଟ୍ର ଏବଂ ଗୁଜୁରାଟ ଉପକୂଳରେ ପହଞ୍ଚିବ ବୋଲି ଆକଳନ କରିବା ସହ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ରବିବାର ଲୋକଙ୍କୁ ସତର୍କ ରହିବା ପାଇଁ ଚେତାବନୀ ଦେଇଛି। ଏହାର ପ୍ରଭାବରେ ମହାରାଷ୍ଟ୍ର ଏବଂ ଗୁଜୁରାଟ ସମେତ ଦେଶର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଥିବା ଆଇଏମଡି କହିଛି | ପଶ୍ଚିମବଙ୍ଗ ଓ ଓଡ଼ିଶାରେ ବାତ୍ୟା ଅମ୍ଫାନ୍ ତାଣ୍ଡବ ରଚିବାର କିଛି ଦିନ ପରେ ଆଜି ପୁଣି ଏହି ଚେତାବନୀ ଦିଆଯାଇଛି।

ଆଇଏମଡି ଟୁଇଟ୍ କରି କହିଛି ଯେ, “ଆରବ ସାଗର ଉପରେ ସୃଷ୍ଟି ହୋଇଥିବା ନିମ୍ନ ଚାପ ଅଞ୍ଚଳ ଆସନ୍ତା ୪୮ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟରେ ରୂପ ନେବ । ଏହା ଉତ୍ତର ମହାରାଷ୍ଟ୍ର ଏବଂ ଦକ୍ଷିଣ ଗୁଜୁରାଟ ଉପକୂଳରେ ଜୁନ୍ ୩ସକାଳେ ପହଞ୍ଚିବ।”

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ଶ୍ରୀ ମୃତ୍ୟଞ୍ଜୟ ମହାପାତ୍ର ରବିବାର ଦିନ କହିଛନ୍ତି ଯେ, ଆଜି ଦକ୍ଷିଣ ପୂର୍ବ ଆରବ ସାଗର ଏବଂ ଲାକ୍ଷାଦ୍ୱୀପ ନିକଟରେ ଏକ ନିମ୍ନ ଚାପର ଅଞ୍ଚଳ ସୃଷ୍ଟି ହୋଇଛି ଏବଂ ଏହା ଆସନ୍ତାକାଲି ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ଏହା ଉତ୍ତର ଆଡକୁ ଗତି କରି ଗୁଜୁରାଟ ଏବଂ ଉତ୍ତର ମହାରାଷ୍ଟ୍ର ଉପକୂଳରେ ଜୁନ୍ ୩ତାରିଖ ସନ୍ଧ୍ୟା ସୁଦ୍ଧା ପହଞ୍ଚିବ। ଏ ନେଇ ସେ ଅଂଚଳର ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି |

ସମ୍ବନ୍ଧିତ ଖବର