ପ୍ରବାସୀ ଭାଷା ସମ୍ମାନ -୨୦୨୧ ଘୋଷଣା : ୧୨ ବ୍ୟକ୍ତି, ୪ ଅନୁଷ୍ଠାନ ଓ ୩ ଯୁବ ପ୍ରତିଭା ମନୋନୀତ

ସୌମ୍ୟରଞ୍ଜନ ପଟ୍ଟନାୟକ ପାଇବେ ପ୍ରଥମ ଓଡ଼ିଆ ସ୍ତମ୍ଭ ସାହିତ୍ୟ ସମ୍ମାନ

ନୂଆଦିଲ୍ଲୀ/ଭୁବନେଶ୍ବର : ନୂଆଦିଲ୍ଲୀସ୍ଥିତ ଓଡ଼ିଆ ବୁଦ୍ଧିଜୀବୀ ଫୋରମ୍‌ ‘ଦି ଇଣ୍ଟେଲେକ୍ଟସ୍‌’ ଦ୍ବାରା ପ୍ରତିବର୍ଷ ଆୟୋଜିତ ହେଉଥିବା ମାତୃଭାଷା ସମ୍ମିଳନୀ ଅବସରରେ ୧୨ ବିଶିଷ୍ଟ ବ୍ୟକ୍ତି, ୪ ଅନୁଷ୍ଠାନ ଓ ୩ ଯୁବ ପ୍ରତିଭାଙ୍କୁ ‘ପ୍ରବାସୀ ଭାଷା ସମ୍ମାନ-୨୦୨୧’ ପ୍ରଦାନ କରାଯିବ। ଆଜି ଏ ନେଇ ଆୟୋଜକଙ୍କ ପକ୍ଷରୁ ଘୋଷଣା କରାଯାଇଛି।

‘ସମ୍ବାଦ’ରେ ପ୍ରକାଶ ପାଉଥିବା ସ୍ତମ୍ଭ ‘ଆମ ଘରର ହାଲଚାଲ’ ପାଇଁ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ପ୍ରଥମ ଓଡ଼ିଆ ସ୍ତମ୍ଭ ସାହିତ୍ୟ ସମ୍ମାନ ପ୍ରଦାନ କରାଯିବ। ସେହିପରି ଓଡ଼ିଶୀ ସଙ୍ଗୀତକୁ ବିଶେଷ ଅବଦାନ ପାଇଁ ଶ୍ୟାମାମଣି ଦେବୀ, ଓଡ଼ିଶୀ ନୃତ୍ୟ ଓ ଓଡ଼ିଆ ଭାଷା ସଂସ୍କୃତି ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ନୃତ୍ୟଗୁରୁ ଇଲିୟାନା ସୀଟାରିଷ୍ଟ ଓ ୫୦୦ରୁ ଊର୍ଧ୍ବ ଉପନ୍ୟାସ ରଚନା କରିଥିବା ଲେଖକ ଭାଗୀରଥି ଦାସଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ସେହିପରି ଲେଖକ ଓ ସାହିତ୍ୟ ସଂଗଠକ ଇଂ ପ୍ରଭାକର ସ୍ବାଇଁ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ଅନୁବାଦ ପାଇଁ ପ୍ରଫେସର୍‌ ଯତୀନ ନାୟକ, ଭାଷା ବିଶେଷଜ୍ଞ ଡ. ହରପ୍ରସାଦ ମିଶ୍ର, ପୁରୁଣା ଓଡ଼ିଆ ସଙ୍ଗୀତକୁ ଏକ ଅଭିନବ ଉପାୟରେ ନିରବଚ୍ଛିନ୍ନ ଭାବରେ ସଂରକ୍ଷଣ କରିବାରେ ପ୍ରୟାସରତ ଡ. ସରୋଜ ସିଂ, ଅନ୍ତର୍ଜାତୀୟସ୍ତରରେ ଓଡ଼ିଆ ପୋଥି ଓ ପାଣ୍ଡୁଲିପି ଆଧାରିତ ବିଶେଷ ଗବେଷଣା ପାଇଁ ଡ. ଶୋଭାରାଣୀ ଦାସ, ଚିତ୍ରକର ବିଜୟ ବିଶ୍ବାଳ, ବିଦେଶରେ ଓଡ଼ିଆ ଭାଷା ସାହିତ୍ୟର ପ୍ରସାରରେ ବିଶେଷ ଅବଦାନ ପାଇଁ ପ୍ରଶାନ୍ତ ଭୂୟାଁ ଓ କର୍ପୋ‌ରେଟ୍ କ୍ଷେତ୍ରରେ ଓଡ଼ିଆ ଭାଷାର ଉନ୍ନତିରେ ବିଶେଷ ଅବଦାନ ପାଇଁ ଇଫ୍‌କୋ ପାରଦୀପର ମାନବ ସମ୍ବଳ ନିର୍ଦ୍ଦେଶକ ଜ୍ଞାନଚାନ୍ଦ ଆଚାର୍ଯ୍ୟଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।

‌‌‌ସେହିପରି ଖବରକାଗଜ ‘ପ୍ରମେୟ’, ଓଡ଼ିଆ ଭାଷାର ଉନ୍ନତି ପାଇଁ ଅନବରତ କାମ କରୁଥିବା ‘ଜ୍ଞାନମଣ୍ଡଳ’ ଏବଂ ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାର ପ୍ରଚାରପ୍ରସାର ପାଇଁ ଆୟୋଜିତ ହେଉଥିବା ‘କୋରାପୁଟ ସାହିତ୍ୟ ମହୋତ୍ସବ’କୁ ମଧ୍ୟ ଏହି ସମ୍ମାନ ପ୍ରଦାନ କରାଯିବ। ଯୁବବର୍ଗକୁ ଓଡ଼ିଆ ଭାଷା ପ୍ରତି ଅଭିନବ ଉପାୟରେ ଆକୃଷ୍ଟ କରାଉଥିବା ତିନି ଯୁବପ୍ରତିଭାଙ୍କୁ ମଧ୍ୟ ଏହି ସମ୍ମାନ ପ୍ରଦାନ କରାଯିବ। ସେମାନେ ହେଲେ, ଓଡ଼ିଆ ରାପର୍‌ ‘ବିଗ୍‌ଡିଲ’ (ଋଷି ମହାନ୍ତି), ନଟିଆ (କାର୍ଟୁନ ୟୁଟ୍ୟୁବ ଚାନେଲ) ଓ ଗଜପତି (ଟ୍ଵିଟର)।

‘ଦି ଇଣ୍ଟେଲେକ୍ଟସ୍‌’ର ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ରାଉତଙ୍କ ଆବାହକତ୍ଵରେ ଡ. ଭଗବାନ ପ୍ରକାଶ, ଅମରେନ୍ଦ୍ର ଖଟୁଆ ଓ ପ୍ରଫେସର୍‌ ଉଦୟନାଥ ସାହୁଙ୍କୁ ନେଇ ଗଠିତ ବିଚାରକମଣ୍ଡଳୀ ଓ ସ୍ବତନ୍ତ୍ର ଅତିଥି ବିଶ୍ବ ଓଡ଼ିଆ ସଂସ୍ଥାନ ତଥା ଓଡ଼ିଆ ସୋସାଇଟି ଅଫ୍‌ ଆମେରିକାର ଅଧ୍ୟକ୍ଷା କୁକୁ ଦାସ, ଦିଲ୍ଲୀ ବିଶ୍ବବିଦ୍ୟାଳୟର ପ୍ରାଧ୍ୟାପିକା ଡ. ସୁବାସିନୀ ବାରିକ ଓ ସଂଗଠନର ସମ୍ପାଦକ ଶ୍ୟାମାନୁଜ ଦାସଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ସମ୍ମାନ ପାଇଁ ଏହି ନାମଗୁଡ଼ିକୁ ମନୋନୀତ କରାଯାଇଛି।

କରୋନା ମହାମାରୀ ପ୍ରଭାବ ଥିବାରୁ ଏହି ପୁରସ୍କାର ୱେବିନାର୍‌ ମାଧ୍ୟମରେ ପ୍ରଦାନ କରାଯିବ। ଆସନ୍ତା ଫେବ୍ରୁ୍ଆରି ୨୦ ଏବଂ ୨୧ତାରିଖରେ ଦି ଇଣ୍ଟେଲେକ୍ଟସ ଓ ବିଶ୍ବ ଓଡ଼ିଆ ସଂସ୍ଥାନର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଯାଉଥିବା ଏହି ସମ୍ମିଳନୀରେ ୪୦ରୁ ଊର୍ଦ୍ଧ୍ବ ଦେଶ, ସମସ୍ତ ୬ଟି ଭାରତୀୟ ଶାସ୍ତ୍ରୀୟ ଭାଷା ଓ ଅନ୍ୟ ଭାରତୀୟ ଭାଷାର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ ବୋଲି ଆବାହକ ଶ୍ରୀ ରାଉତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର