ପ୍ରବାସୀଙ୍କ ଆଗମନ, ଉତ୍ତରପୂର୍ବରେ ସଂକ୍ରମଣ

ନୂଆଦିଲ୍ଲୀ: ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ସଂକ୍ରମଣ ବେଶୀ ନଥିଲା। ଏପରିକି କିଛି ଉତ୍ତରପୂର୍ବ ରାଜ୍ୟରେ ଗୋଟିଏ ବି ସଂକ୍ରମଣ ମାମଲା ନାହିଁ। କିନ୍ତୁ ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀ ଶ୍ରମିକମାନେ ଉତ୍ତରପୂର୍ବ ରାଜ୍ୟକୁ ଫେରିବା ପରେ ହଠାତ୍‌ ଏଠାରେ ସଂକ୍ରମଣ ବଢ଼ିଯାଇଛି। ଉତ୍ତରପୂର୍ବ‌ରେ ଏବେ ମୋଟ୍‌ ସଂକ୍ରମଣ ମାମଲା ରହିଛି ୪୦୩ । ମେ’ ୯ ତାରିଖ‌ରେ ଉତ୍ତରପ୍ରଦେଶରେ ମୋଟ୍‌ ସଂକ୍ରମଣ ମାମଲା ୨୦୦ ଥିବାବେଳେ ମାତ୍ର ୧୧ ଦିନ ମଧ୍ୟ‌ରେ ଏହା ୪୦୦ ଟପିଯାଇଛି। ଉତ୍ତରପୂର୍ବରେ ପ୍ରଥମେ ମାର୍ଚ୍ଚ ୨୪ରେ ମଣିପୁର‌‌ରେ ପ୍ରଥମ ମାମଲା ଚିହ୍ନଟ ହୋଇଥିଲା। ତେବେ ରାଜ୍ୟରେ ମାମଲା ୫୦ ରେ ପହଞ୍ଚିବାପାଇଁ ୨୪ ଦିନ ଲାଗିଥିଲା ଏବଂ ୧୦୦ରେ ପହଞ୍ଚିବାପାଇଁ ଆଉ ୧୮ ଦିନ ଲାଗିଥିଲା। ଆସାମ ଏବଂ ତ୍ରିପୁରାରେ ଅଚାନକ ସଂକ୍ରମଣ ବଢ଼ିଛି। ଗୁରୁବାର ସକାଳ ସୁଦ୍ଧା ଆସାମରେ ମୋଟ୍‌ ସଂକ୍ରମଣ ମାମଲା ୧୯୦ ଥିବାବେଳେ ରାଜ୍ୟରେ ମୋଟ୍‌ ୪ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ତେବେ ବାହାର ରାଜ୍ୟରୁ ଫେରିଥିବା ବ୍ୟକ୍ତି ଏବଂ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ନେଇ ପ୍ରାୟ ୧୧୦ ଜଣ କ‌ରୋନା ସଂକ୍ରମିତ ହୋଇଛନ୍ତି।

ତ୍ରିପୁରାରେ ମୋଟ୍‌ ୧୭୩ ସଂକ୍ରମଣ ମାମଲା ରହିଛି। ବୁଧବାର ଦିନ ଚେନ୍ନାଇରୁ ଫେରିଥିବା ୪ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଅନ୍ୟପ‌କ୍ଷେ ତ୍ରିପୁରାରେ ବିଏସଏଫ୍‌ରୁ ୧୬୦ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ମିଜୋରାମ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି। ‌କେବଳ ୧୬ଟି ମାମଲା ଗତକାଲି ଚିହ୍ନଟ ‌ହୋଇଛି। ମେଘାଳୟ‌ରେ ୧୪ଟି ମାମଲା ଚିହ୍ନଟ ହୋଇଛି। ମିଜୋରାମ ଏବଂ ଅରୁଣାଚଳ ପ୍ରଦେଶରେ କୌଣସି ସକ୍ରିୟ ମାମଲା ନାହିଁ। ଅନ୍ୟପକ୍ଷେ ନାଗାଲାଣ୍ଡ୍‌ ଏକମାତ୍ର ରାଜ୍ୟ ଯେଉଁଠାରେ ଗୋଟିଏ ବି ସଂକ୍ରମଣ ମାମଲା ଚିହ୍ନଟ ହୋଇନି।

ସମ୍ବନ୍ଧିତ ଖବର