ନୂଆଦିଲ୍ଲୀ: ସମଗ୍ର ଭାରତରେ ଜଳବାୟୁ ପରିବର୍ତ୍ତନଜନିତ ପ୍ରଭାବ ଯୋଗୁ କେତେକ ବନ୍ୟାପ୍ରବଣ ଅଞ୍ଚଳରେ ମରୁଡ଼ି ପଡ଼ିବା ସହ ମରୁଡ଼ିପ୍ରବଣ ଅଞ୍ଚଳରେ ବନ୍ୟା ହେଉଛି ବୋଲି ଶୁକ୍ରବାର ଏକ ଗ୍ଲୋବାଲ ଆଡ୍ଭାଇଜରି ଆଣ୍ଡ୍ ଇମ୍ପ୍ଲିମେଣ୍ଟେସନ୍ ସର୍ଭିସ୍ ଗ୍ରୁପ୍ ଓ ଜିଓଗ୍ରାଫିକ୍ ଇନ୍ଫର୍ମେସନ୍ ସିଷ୍ଟମ୍ ସଲ୍ୟୁସନ୍ ପ୍ରୋଭାଇଡର୍ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ଆଇପିଇ ଗ୍ଲୋବାଲ ଓ ଏସ୍ରି-ଇଣ୍ଡିଆ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଅନେକ ସମୟରେ ଗୋଟିଏ ସ୍ଥାନରେ ଉଭୟ ବିପଦ (ବନ୍ୟା ଓ ମରୁଡ଼ି) ଦେଖିବାକୁ ମିଳିଥାଏ। ଗୁଜରାଟର ୮୦ ପ୍ରତିଶତରୁ ଅଧିକ ଜିଲ୍ଲାରେ ଦୁଇ ଦଶନ୍ଧି ମଧ୍ୟରେ ବନ୍ୟା ପରିସ୍ଥିତି ଓ ତୀବ୍ରତା ବୃଦ୍ଧି ପାଇଛି। ଚଳିତ ବର୍ଷ ସୌରାଷ୍ଟ୍ରରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଏହାର ଉଦାହରଣ।
ବନ୍ୟାରୁ ମରୁଡ଼ିରେ ପରିଣତ ହୋଇଥିବା ଜିଲ୍ଲା ସଂଖ୍ୟା ମରୁଡ଼ିରୁ ବନ୍ୟା ଆଡ଼କୁ ସ୍ଥାନାନ୍ତରିତ ହୋଇଥିବା ଜିଲ୍ଲାକୁ ଟପିଯାଇଛି। ଶ୍ରୀକାକୁଲମ୍, ଗୁଣ୍ଟୁର, କୁର୍ଣ୍ଣୁଲ (ଆନ୍ଧ୍ରପ୍ରଦେଶ), କଟକ (ଓଡ଼ିଶା), ମେହବୁବନଗର, ନାଲଗୋଣ୍ଡା (ତେଲେଙ୍ଗାନା) ଓ ପଶ୍ଚିମ ଚମ୍ପାରଣ (ବିହାର) ଭଳି ଜିଲ୍ଲାରେ ବନ୍ୟାରୁ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ଦକ୍ଷିଣ ଭାରତରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କର୍ଣ୍ଣାଟକ ଭଳି ରାଜ୍ୟ ମରୁଡ଼ିର ଶିକାର ହେଉଛନ୍ତି। ବେଙ୍ଗାଲୁରୁ ସହରାଞ୍ଚଳ (କର୍ଣ୍ଣାଟକ), ପୁଣେ (ମହାରାଷ୍ଟ୍ର), ଅହମଦାବାଦ (ଗୁଜରାଟ), ପାଟନା (ବିହାର) ଓ ପ୍ରୟାଗରାଜ (ଉତ୍ତରପ୍ରଦେଶ) ଜିଲ୍ଲାରେ ସର୍ବାଧିକ ଅଦଳବଦଳ ଟ୍ରେଣ୍ଡ ଦେଖିବାକୁ ମିଳିଛି। ଦକ୍ଷିଣ, ପଶ୍ଚିମ ଓ କେନ୍ଦ୍ରୀୟ ଭାରତର କିଛି ଅଂଶ ମରୁଡ଼ି ବା ମରୁଡ଼ି ଭଳି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ରାଜକୋଟ, ସୁରେନ୍ଦ୍ରନଗର (ଗୁଜରାଟ), ଅଜମେର, ଯୋଧପୁର (ରାଜସ୍ଥାନ) ଓ ଔରଙ୍ଗାବାଦ (ମହାରାଷ୍ଟ୍ର) ଭଳି ଜିଲ୍ଲାରେ ଉଭୟ ବନ୍ୟା ଓ ମରୁଡ଼ି ଦେଖାଦେଇଛି। ସମଗ୍ର ଭାରତୀୟ ଉପମହାଦେଶରେ ମରୁଡ଼ି ପରିସ୍ଥିତି ଅଧିକ ଗମ୍ଭୀର ହେବାରେ ଲାଗିଛି, ଯାହା ଗ୍ରୀଷ୍ମପ୍ରବାହ ଦିନ ସଂଖ୍ୟା ବୃଦ୍ଧି ସହିତ ମଧ୍ୟ ଜଡ଼ିତ ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି।
ତ୍ରିପୁରା, କେରଳ, ବିହାର, ପଞ୍ଜାବ ଓ ଝାଡ଼ଖଣ୍ଡର ଜିଲ୍ଲାଗୁଡ଼ିକରେ ସର୍ବାଧିକ ଅଦଳବଦଳ ଟ୍ରେଣ୍ଡ ଦେଖିବାକୁ ମିଳିଛି। ଦେଶର ୮୫% ଜିଲ୍ଲା ବନ୍ୟା, ମରୁଡ଼ି, ବାତ୍ୟା ଓ ଗ୍ରୀଷ୍ମପ୍ରବାହର ଶିକାର ହୋଇଥିବା ବେଳେ ସେଥିମଧ୍ୟରୁ ୪୫ ପ୍ରତିଶତ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଗତ ଦଶନ୍ଧିଗୁଡ଼ିକରେ ଏହି ଚରମ ଜଳବାୟୁ ପରିସ୍ଥିତିର କ୍ରମାନ୍ବୟତା, ତୀବ୍ରତା ଓ ଅନିଶ୍ଚିତତା ଚାରି ଗୁଣ ବୃଦ୍ଧି ପାଇଛି ବୋଲି ଏହି ଅଧ୍ୟୟନର ଲେଖକ ଆଇପିଇ ଗ୍ଲୋବାଲ ମୁଖ୍ୟ ଅବିନାଶ ମହାନ୍ତି କହିଛନ୍ତି।