ବାତ୍ୟା ‘ମାଣ୍ଡସ’ର ପ୍ରଭାବ: ୩ ରାଜ୍ୟରେ ପ୍ରବଳ ବର୍ଷା, ରେଡ୍‌ ଆଲର୍ଟ

ଚେନ୍ନାଇରେ ଟ୍ରେନ, ବିମାନ ଚଳାଚଳ ବ୍ୟାହତ

ନୂଆଦିଲ୍ଲୀ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ମାଣ୍ଡସ ଶୁକ୍ରବାର ରାତିରୁ ଶନିବାର ସକାଳ ଭିତରେ ପୁଡ଼ୁ‌ଚେରି ଏବଂ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ମଧ୍ୟରେ ସ୍ଥଳଭାଗ ଛୁଇଁ ଆଗକୁ ଅଗ୍ରସର ହେବ। ବାତ୍ୟା ପ୍ରଭାବରେ ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ ଏବଂ କର୍ଣ୍ଣାଟକରେ ପବନର ବେଗ ଘଣ୍ଟାପ୍ରତି ୮୫ କିମି ପର୍ଯ୍ୟନ୍ତ ରହିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଚେନ୍ନାଇରେ ବିମାନ ଏବଂ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି।

ରାତି ପ୍ରାୟ ୮ଟା ୩୦ ବେଳକୁ ମାଣ୍ଡସ ମାମଲ୍ଲାପୁରମଠାରୁ ଦକ୍ଷିଣ ପୂର୍ବରେ ପ୍ରାୟ ୯୦ କିମି ଦୂରରେ ବାତ୍ୟା ରହିଥିଲା। ଏହା ଉତ୍ତର ପଶ୍ଚିମ ଦିଗରେ ଆଗକୁ ବଢ଼ୁଛି। ମାଣ୍ଡସ ପ୍ରଭାବରେ ତାମିଲନାଡ଼ୁ ସମେତ ଆନ୍ଧ୍ର ପ୍ରଦେଶ ଏବଂ କର୍ଣ୍ଣାଟକରେ ବର୍ଷା ଓ ପବନ ଆରମ୍ଭ ହୋଇଛି। ତାମିଲନାଡ଼ୁର ୩ଟି ଜିଲ୍ଲା ଯଥା ଚେଙ୍ଗାଲପାଟ୍ଟୁ, ଭିଲ୍ଲୁପୁରମ ଏବଂ କାଞ୍ଚିପୁରମ ଜିଲ୍ଲା ପାଇଁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ପ୍ରତିକୂଳ ପାଗ ଯୋଗୁ‌ ଚେନ୍ନାଇ ବିମାନ ବନ୍ଦରରେ ଆଜି ଏକାଧିକ ବିମାନ ବାତିଲ ହୋଇଛି। ତେଣୁ ବିମାନ ଉଡ଼ାଣର ସ୍ଥିତି ସଂପର୍କରେ ଅବଗତ ହେବାକୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି। ପୁଡ଼ୁଚେରି ମୁଖ୍ୟମନ୍ତ୍ରୀ ଏନ ରାଙ୍ଗାସ୍ବାମୀ ବାତ୍ୟା ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର