ନୂଆଦିଲ୍ଲୀ : ବନ୍ୟା ପରିଚାଳନା ଏବଂ ସୀମା କ୍ଷେତ୍ର କାର୍ଯ୍ୟକ୍ରମ (ଏଫ୍ଏମ୍ବିଏପି) ଅଧୀନରେ ଓଡ଼ିଶାର ୬୬ଟି ପ୍ରକଳ୍ପର କ୍ରିୟାନ୍ବୟନ କରାଯାଇଛି। ପ୍ରକଳ୍ପ ଜରିଆରେ ୧.୯୪ ଲକ୍ଷ ହେକ୍ଟର ଅଞ୍ଚଳକୁ ସଂରକ୍ଷଣ କରାଯିବା ସହ ପାଖାପାଖି ୧୧.୫୪ ନିୟୁତ ଲୋକଙ୍କୁ ସୁରକ୍ଷା ଉପଲବ୍ଧ ହୋଇଛି। କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ତଥ୍ୟରେ ଏହା ଉଲ୍ଲେଖ କରାଯାଇଛି।
ଏଫ୍ଏମ୍ବିଏପି ଯୋଜନାରେ ଓଡ଼ିଶା ସମେତ ଦେଶର ମୋଟ ୪୧୫ଟି ପ୍ରକଳ୍ପର କ୍ରିୟାନ୍ବୟନ ହୋଇଛି। ଏଥିରେ ୪.୯୯ ନିୟୁତ ହେକ୍ଟର କ୍ଷେତ୍ରାଞ୍ଚଳ ସହ ପ୍ରାୟ ୫୨.୨୧ ନିୟୁତ ଲୋକଙ୍କୁ ସୁରକ୍ଷା ମିଳିଛି। ବନ୍ୟା ପରିଚାଳନା ରାଜ୍ୟର ପ୍ରସଙ୍ଗ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଆବଶ୍ୟକ ସ୍ଥଳେ ବନ୍ୟା ପରିଚାଳନା ପାଇଁ ବୈଷୟିକ ମାର୍ଗଦର୍ଶନ, ପ୍ରୋତ୍ସାହନାତ୍ମକ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଏହା ସହ ବିଭିନ୍ନ ସମୟରେ ମାର୍ଗଦର୍ଶିକା ଜାରି କରିଥାନ୍ତି ବୋଲି ମନ୍ତ୍ରାଳୟ ତଥ୍ୟରେ ଦର୍ଶାଯାଇଛି।
ବନ୍ୟା ନିୟନ୍ତ୍ରଣ ପାଇଁ ଭାରତ ସରକାର ନଦୀ ପରିଚାଳନା, ଭୂ କ୍ଷୟ ନିବାରଣ , ଡ୍ରେନେଜ୍ ବିକାଶ, ସମୁଦ୍ର ଭୂ କ୍ଷୟ ରୋକିବା ସମ୍ବନ୍ଧିତ କାର୍ଯ୍ୟ ପାଇଁ ଏଫ୍ଏମବିଏପିକୁ ଚଳିତ ବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ଯୋଜନାରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳମାନଙ୍କୁ ବର୍ତ୍ତମାନ ସୁଦ୍ଧା କେନ୍ଦ୍ରୀୟ ସହାୟତା ବାବଦରେ ୬୬୮୬.୭୯ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏଫ୍ଏମ୍ବିଏପି ଯୋଜନାକୁ ୨୦୨୬ ପର୍ଯ୍ୟନ୍ତ ଜାରି ରଖିବା ପାଇଁ ବନ୍ୟାପ୍ରବଣ ରାଜ୍ୟମାନଙ୍କ ପକ୍ଷରୁ ଦାବି ରହିଛି।
ଅନ୍ୟପକ୍ଷରେ, ଦେଶରେ ବନ୍ୟା ପରିଚାଳନା ତଥା ନଦୀ ପରିଚାଳନା ରଣନୀତି ପ୍ରସ୍ତୁତ କରିବା ପାଇଁ ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ଗଠନ କରାଯାଇଥିଲା। ଏଫ୍ଏମ୍ବିଏପି ଯୋଜନାକୁ ୨୦୨୧ ରୁ ୨୦୨୬ ପର୍ଯ୍ୟନ୍ତ ଜାରି ରଖିବା ସହିତ କମିଟି ପକ୍ଷରୁ ଏକାଧିକ ସୁପାରିସ ମଧ୍ୟ କରାଯାଇଥିଲା। କେନ୍ଦ୍ର ସରକାର ନୀତି ଆୟୋଗଙ୍କ ସୁପାରିସଗୁଡ଼ିକୁ ବିଚାରକୁ ନେଇଥିବା ଜଣାପଡ଼ିଛି।
ସୁପାରିସ ଉପରେ ସରକାରଙ୍କ ପକ୍ଷରୁ ଅଦ୍ୟାବଧି କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଅପରପକ୍ଷେ ୨୦୧୮ ରୁ ୨୦୨୦ ମଧ୍ୟରେ ଦେଶରେ ବନ୍ୟା ଯୋଗୁ ୫୯୫୮ ଲୋକ ପ୍ରାଣ ହରାଇଥିବା ବେଳେ ୫୮୯୦୩.୬୬୪ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ଓଡ଼ିଶା ସମ୍ପର୍କରେ ମନ୍ତ୍ରାଳୟର ତଥ୍ୟ ହେଲା, ଗତ ତିନି ବର୍ଷରେ ବନ୍ୟା ଯୋଗୁ ସମୁଦାୟ ୭୨ ଜଣ ପ୍ରାଣ ହରାଇଛନ୍ତି। ୨୦୧୮ରେ ୨୧ ଜଣ, ୨୦୧୯ରେ ୧୩ ଏବଂ ୨୦୨୦ରେ ୩୮ ଜଣଙ୍କ ମୃତ୍ୟୁ ହୋଇଛି। ସେହି ଭଳି ଓଡ଼ିଶାରେ ଗତ ୩ ବର୍ଷରେ ବନ୍ୟା ଯୋଗୁ ୨୨୬୩.୯୯ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ୨୦୧୮ରେ ୨୯୯,୮୪ କୋଟି, ୨୦୧୮ରେ ୪୫୪.୮୨ କୋଟି ଏବଂ ୨୦୨୦ରେ ସର୍ବାଧିକ ୧୫୦୯.୩୩୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ସଂପ୍ରତି ଦେଶର ବିଭିନ୍ନ ଭାଗରେ ବନ୍ୟା ସ୍ଥିତି ସମ୍ପର୍କରେ ବିଶେଷଜ୍ଞଙ୍କ ମତ ହେଲା, ବର୍ତ୍ତମାନ ଦେଶରେ ଜାତୀୟ ସ୍ତରରେ ବନ୍ୟା ନିୟନ୍ତ୍ରଣ ପ୍ରାଧିକରଣ ନାହିଁ। ପ୍ରାଧିକରଣ ଗଠନ କରାଗଲେ ବନ୍ୟା ନିୟନ୍ତ୍ରଣ ଓ ଜଳ ପରିଚାଳନାର ସମସ୍ୟା ହୁଏତ କିଛି ମାତ୍ରାରେ ପ୍ରଶମିତ ହୋଇପାରେ ବୋଲି ଏମାନେ କହିଛନ୍ତି।