ସିଏଏକୁ ନେଇ କେରଳ-କେନ୍ଦ୍ର ମୁହାଁମୁହିଁ

କେବଳ ସଂସଦ ହିଁ ଆଇନ ତିଆରି କରିପାରିବ: ରବିଶଙ୍କର

ତିରୁଅନନ୍ତପୁରମ : ବିବାଦୀୟ ନାଗରିକତା ସଂଶୋଧନ ଆଇନ (ସିଏଏ) ପ୍ରସଙ୍ଗରେ କେରଳ ଏବଂ କେନ୍ଦ୍ର ସରକାର ମଧ୍ୟରେ ତୀବ୍ର ମୁକାବିଲାତ୍ମକ ସ୍ଥିତି ଲାଗି ରହିଛି। ସିଏଏ ବିରୋଧରେ କେରଳ ବିଧାନସଭାରେ ପ୍ରସ୍ତାବ ଗୃହୀତ ହେବାର ଗୋଟିଏ ଦିନ ପରେ କେନ୍ଦ୍ର ସରକାର ଏହାର ବିରୋଧ କରିଛନ୍ତି। ଏ ବାବଦରେ କେରଳ ସରକାର ବୁଝି ବିଚାରି ପଦକ୍ଷେପ ନେବାକୁ ଏବଂ ଆଇନ ବିଶେଷଜ୍ଞଙ୍କ ସହ ପରମର୍ଶ କରିବାକୁ ଆଜି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି। ଦେଶର ଆଇନ ତିଆରି କରିବା କାମ ସଂସଦର, ଏଥିରେ ରାଜ୍ୟମାନେ କେବଳ ସହଯୋଗ କରିପାରିବେ ବୋଲି ରବିଶଙ୍କର କହିଛନ୍ତି। ସଂସଦରେ ଗୃହୀତ ହୋଇଥିବା ଆଇନକୁ ରାଜ୍ୟ ସରକାରମାନେ ଲାଗୁ କରିବାକୁ ହେବ ଏବଂ ଏ ଦିଗରେ କୌଣସି ବାଧା ସୃଷ୍ଟି କଲେ ଏହା ସମ୍ବିଧାନ ବିରୋଧୀ ହେବ ବୋଲି ରବିଶଙ୍କର ସ୍ପଷ୍ଟ କରିଦେଇଛନ୍ତି। ଗତକାଲି କେରଳ ବିଧାନସଭାରେ ସିଏଏକୁ ପ୍ରତ୍ୟାହାର କରିବା ପାଇଁ ପ୍ରସ୍ତାବ ଗୃହୀତ ହେବା କେବଳ ରାଜନୈତିକ ବିରୋଧର ଏକ ପ୍ରକ୍ରିୟା ବୋଲି ମତଦେଇ ରବିଶଙ୍କର କହିଛନ୍ତି ଯେ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ ଉପଯୁକ୍ତ ଆଇନ ପରାମର୍ଶ ନେଇ କାମ କରିବା ଉଚିତ ହେବ ।

ତେବେ କେନ୍ଦ୍ର ସରକାରଙ୍କ ବିରୋଧ ସତ୍ତ୍ବେ କେରଳ ସରକାର ବିଧାନସଭାରେ ସିଏଏ ନେଇ ଗୃହୀତ ପ୍ରସ୍ତାବରେ କାଏମ ଅଛନ୍ତି ଏବଂ କେନ୍ଦ୍ର ସରକାରଙ୍କ ଆଇନ ବିରୋଧରେ ଆଭିମୁଖ୍ୟ ଆହୁରି କଠୋର କରିଛନ୍ତି। କେରଳ ସିଏଏ ବିରୋଧରେ ପ୍ରସ୍ତାବ ଗୃହୀତ କରାଇବାରେ ପ୍ରଥମ ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ରାଜ୍ୟପାଳ ରାଜ୍ୟ ବିଧାନସଭାର ଏହି ନିଷ୍ପତ୍ତି ବିରୋଧରେ ଭିନ୍ନ ରାୟ ରଖିପାରନ୍ତି ବୋଲି ପ୍ରଶ୍ନ କରାଯିବାରୁ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଭିନ୍ନ ପ୍ରସଙ୍ଗରେ ନିଜ ରାୟ ରଖିବା ଅଧିକାର ରାଜ୍ୟପାଳଙ୍କର ରହିଛି। ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଏହି ଦୃଷ୍ଟିରୁ ଦେଖାଯିବା ଉଚିତ ବୋଲି ସେ କହିଛନ୍ତି। ସିଏଏକୁ କେରଳ ସମେତ ପଶ୍ଚିମବଂଗ, ପଂଜାବ, ମଧ୍ୟପ୍ରଦେଶ, ଛତିଶଗଡ଼ ମଧ୍ୟ ଜୋର୍‌ଦାର ବିରୋଧ ‌ଜାରି ରଖିଛନ୍ତି। ଏହି ରାଜ୍ୟମାନେ ମଧ୍ୟ ନାଗରିକତା ସଂଶୋଧନ ଆଇନକୁ ଲାଗୁ କରିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର