ନୂଆଦିଲ୍ଲୀ : ଇଣ୍ଡିଆ ଗେଟ୍‌ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କାର୍ଯ୍ୟର ସଫଳ କ୍ରିୟାନ୍ବୟନ ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ୬ ଜଣିଆ କ୍ଷମତା ସଂପନ୍ନ କମିଟି ଗଠନ କରିଛନ୍ତି। ଭାସ୍କର୍ଯ୍ୟ ଶିଳ୍ପୀ ତଥା ‘ନାସନାଲ୍‌ ଗ୍ୟାଲେରି ଅଫ୍‌ ମଡର୍ଣ୍ଣ ଆର୍ଟ’ର ମହାନିର୍ଦ୍ଦେଶକ ଅଦ୍ବୈତ ଗଡ଼ନାୟକଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠିତ ହୋଇଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଛି। କମିଟିରେ ଆଇଜିଏନ୍‌ସିଏର ମହାନିର୍ଦ୍ଦେଶକ ସଚ୍ଚିଦାନନ୍ଦ ଯୋଶୀ, ଖ୍ୟାତନାମା ସ୍ଥପତି ପଦ୍ମବିଭୂଷଣ ସୁର୍ଦଶନ ସାହୁ, ଏନଜିଏମ୍‌ଏର ପୂର୍ବତନ ଉପଦେଷ୍ଟା ବୋର୍ଡ ଅଧ୍ୟକ୍ଷ ପ୍ରଫେସର ହର୍ଷବର୍ଦ୍ଧନ ଶର୍ମା, କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଯୁଗ୍ମ ସଚିବ ଉମା ନନ୍ଦୁରୀ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର ବିତ୍ତ ନିର୍ଦ୍ଦେଶକ ହରିଶ କୁମାର ରହିଛନ୍ତି।