୧୯୮୪ର ଅଫିସରଙ୍କ ଉପରେ ରହିଛି ମୋଦୀଙ୍କର ଭରସା, ଏହି ଅଫିସରଙ୍କ ହାତରେ ରହିଛି ଦେଶର ମହତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ

ନୂଆଦିଲ୍ଲୀ: ଇଣ୍ଟେଲିଜେନ୍ସ ବ୍ୟୁରୋ ଓ ର ର ନୂଆମୁଖ୍ୟ ଭାବେ ସାମନ୍ତ ଗୋୟଲ ଓ ଅରବିନ୍ଦ କୁମାରଙ୍କୁ ନିଯୁକ୍ତି ମିଳିଛି | ତେବେ ଏହାକୁ ନେଇ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି | ଏମାନଙ୍କ ନିଯୁକ୍ତି ପରେ ୧୯୮୪ ମସିହାର ଅଫିସରଙ୍କ ଉପରେ ମୋଦୀ ସରକାରଙ୍କର ପ୍ରଗାଢ଼ ବିଶ୍ୱାସ ଥିବାର ଦେଖିବାକୁ ମିଳିଛି | କାରଣ ଏହି ଦୁଇ ଆଇପିଏସ ଅଫିସର ୧୯୮୪ ବ୍ୟାଚର ହୋଇଥିବାବେଳେ ଅନ୍ୟ ୬ଟି ବିଭାଗରେ ମଧ୍ୟ ଏହି ମସିହାର ଅଫିସରମାନେ ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି |

ଜାତୀୟ ତଦନ୍ତକାରୀ ସଂସ୍ଥା, ବିଏସଏଫ, ସିଆଇଏସଏଫ, ଆଇଟିବିପି, ଏନଏସଜି ଓ ବ୍ୟୁରୋ ଅଫ ସିଭିଲ ଏଭିଏସନ ସିକ୍ୟୁରିଟିର ମୁଖ୍ୟ ଭାବେ ଏହି ମସିହାର ଅଫିସରମାନେ ଭାର ସମ୍ଭାଳୁଥିବାର ଜଣାପଡିଛି | ସେହିପରି ଏହି ବ୍ୟାଚର ବହୁ ଅଧିକାରୀ କେନ୍ଦ୍ର ଓ ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ଅଛନ୍ତି | ବର୍ତ୍ତମାନ ଜାତୀୟ ତଦନ୍ତକାରୀ ସଂସ୍ଥାର ମହାନିର୍ଦ୍ଦେଶକ ଦାୟିତ୍ୱରେ ଅଛନ୍ତି ଯୋଗେଶ ଚନ୍ଦ୍ର ମୋଦୀ |

ସେହିପରି ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡର ମୁଖ୍ୟ ଭାବେ ସେହି ବ୍ୟାଚର ସୂଦୀପ ଲକ୍ଷଟକିଆ ଭାର ସମ୍ଭାଳୁଛନ୍ତି | କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ଦାୟିତ୍ୱରେ ଅଛନ୍ତି ରାଜେଶ ରଞ୍ଜନ | ସେହିପରି ଇଣ୍ଡୋ ତିବତିଆନ ବର୍ଡ଼ର ଫୋର୍ସର ମୁଖ୍ୟ ଭାବେ ସେହି ବ୍ୟାଚର ଏସଏସ ଦେଶୱାଲଙ୍କୁ ନିଯୁକ୍ତି ମିଳିଛି | ଗୁଜୁରାଟ କ୍ୟାଡରର ଆଇପିଏସ ଅଫିସର ରାକେଶ ଅସ୍ଥାନା ଏବେ ବ୍ୟୁରୋ ଅଫ ସିଭିଲ ଏଭିଏସନ ସିକ୍ୟୁରିଟିର ମୁଖ୍ୟ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି | ଏହି ସବୁ ପଦକୁ ଦେଖିଲେ ଜଣାପଡୁଛି ଯେ ୧୯୮୪ ମସିହାର ଅଫିସରଙ୍କ ଉପରେ ମୋଦୀଙ୍କ ବିଶ୍ୱାସ ରହିଛି |

ସମ୍ବନ୍ଧିତ ଖବର