ଜାତୀୟ ପ୍ରେକ୍ଷାପଟ୍ଟରେ ବିହାର ନିର୍ବାଚନର ଗୁରୁତ୍ୱ

ନୂଆଦିଲ୍ଲୀ : ବିହାରରରେ ଏକଦା ଜେଡିୟୁର ଅଂଶୀଦାର ଥିବା ବିଜେପି ଏବେ ଏକକ ବୃହତ୍ତମ ଦଳ ଭାବେ ଉଭା ହେବାକୁ ଯାଉଛି। ସରକାର ବିରୋଧରେ ଥିବା ଲୋକଙ୍କ ଅସନ୍ତୋଷ ଯୋଗୁଁ ନୀତୀଶ କୁମାରଙ୍କ ଜେଡିୟୁ ବହୁ ଆସନ ହରାଇଛି। ତେବେ ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଚାର ଯୋଗୁଁ ବିଜେପିକୁ ବଡ଼ ଫାଇଦା ମିଳିଛି। ତେବେ ଜାତୀୟ ରାଜନୀତି ଉପରେ ବିହାର ନିର୍ବାଚନର ଏକ ବଡ଼ ପ୍ରଭାବ ରହିବ ବୋଲି କୁହାଯାଉଛି।

ଗତ ୨୦୧୯ ସାଧାରଣ ନିର୍ବାଚନରେ ବିହାରର ମୋଟ ୪୦ ଲୋକସଭା ଆସନ ମଧ୍ୟରୁ ବିଜେପି ରେକର୍ଡ ପରିମାଣର ୩୯ ସିଟ୍‌ରେ ବିଜୟୀ ହୋଇଥିଲା। ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ପାଇଁ ବିହାରବାସୀ ସେତେବେଳେ ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଥି‌ଲେ। ତେବେ ବର୍ତ୍ତମାନର ବିଧାନସଭା ନିର୍ବାଚନରେ ବିଜେପି ଏକକ ବୃହତ୍‌ ଦଳ ଭାବେ ଉଭା ହୋଇଛି। ଫଳରେ ଆଗାମୀ ଦିନରେ ବିହାରରେ ବିଜେପିର ଗୁରୁତ୍ବ ବୃଦ୍ଧି ପାଇବ, ଏହା ନିଃସନ୍ଦେହରେ କୁହାଯାଇ ପାରିବ।

ମହାରାଷ୍ଟ୍ରରେ ଶିବସେନା ସହ ମେଣ୍ଟ କରି ଦଳ ଯାହା ଭୋଗିଥିଲା, ବିହାରରେ ତାହାର ପୁନରାବୃତ୍ତି ହେବ ନାହିଁ। ମହାରାଷ୍ଟ୍ର ଅପେକ୍ଷା ବିହାରରେ ବିଜେପିର ବଡ଼ ପ୍ରଭାବ ରହିବ। ସେହିଭଳି ଆଜି ଅନ୍ୟାନ୍ୟ ୧୧ଟି ରାଜ୍ୟରେ ହୋଇଥିବା ଉପ ନିର୍ବାଚନମାନଙ୍କରେ ବିଜେପି ବାଜି ମାରିଛି। ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ଯୋଗୁଁ ସମ୍ଭବ ହୋଇଛି ବୋଲି ବିଜେପି କହିଛି। ଏହିସବୁ ରାଜ୍ୟରେ ହୋଇଥିବା ଉପନିର୍ବାଚନରେ ବିଜେପିର ବିପୁଳ ବିଜୟ ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତିକୁ ଅକ୍ଷୁର୍ଣ୍ଣ ରଖିବାରେ ସହାୟକ ହୋଇଛି। ଅପରପକ୍ଷେ, କଂଗ୍ରେସକୁ ୭୦ ଆସନ ଦେଇ ଆର୍‌ଜେଡ଼ି ନେତା ତେଜସ୍ବୀ ଯାଦବ ନିଜର ଅପରିଣାମଦର୍ଶିତାର ପରିଚୟ ଦେଇଛି।

୨୦୧୫ ବିହାର ବିଧାନସଭା ନିର୍ବାଚନ ତୁଳନାରେ ଏଥର କଂଗ୍ରେସ ତୁଳନାତ୍ମକ ଭାବେ ଅଧିକ ଆସନରେ ଲଢ଼ିଥିଲା। ମାତ୍ର କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ଆର୍‌ଜେଡି ନେତୃତ୍ବା‌ଧୀନ ମହାମେଣ୍ଟ ପ୍ରତି ଶକ୍ତ ଧକ୍କା ହୋଇଛି। ବିହାର ନିର୍ବାଚନରେ କଂଗ୍ରେସ ରାହୁଲ ଗାନ୍ଧିଙ୍କୁ ଜଣେ ମାତ୍ର ତାରକା ପ୍ରଚାରକ ଭୂମିକାରେ ଅବତୀର୍ଣ୍ଣ କରିଥିଲା। ସୋନିଆ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧିଙ୍କୁ ବିହ‌ାର ନିର୍ବାଚନ ପ୍ରଚାରରେ ଦେଖିବାକୁ ମିଳି ନଥିଲା। କେବଳ ରାହୁଲ ଗାନ୍ଧିଙ୍କୁ ଭରସା କରି କଂଗ୍ରେସ ଭଲ ପ୍ରଦର୍ଶନ କରିପାରିବନି ବୋଲି ବିହା‌ର ନିର୍ବାଚନରେ ପ୍ରମାଣିତ ହୋଇଛି। ମୋଟ ଉପରେ ବିହାର ନିର୍ବାଚନ ଫଳାଫଳ ଜାତୀୟସ୍ତରରେ ବିଜେପିର ଭାବମୂର୍ତ୍ତି ବୃଦ୍ଧି କରିଥିବାବେଳେ ପୁଣି ଥରେ କଂଗ୍ରେସ ପଛରେ ପଡ଼ିଯାଇଛି ବୋଲି ପ୍ରମାଣିତ ହୋଇଛି।

ସମ୍ବନ୍ଧିତ ଖବର