ନୂଆଦିଲ୍ଲୀ: ଆଜି ଦିନ ୧୧ଟାରେ ନିଜର ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧିତ କରିଥିଲେ। ତାଙ୍କର ରେଡିଓ କାର୍ଯ୍ୟକ୍ରମର ୬୭ତମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନାକୁ ହରାଇବା ପାଇଁ ସତର୍କ ରହିବା କେତେ ଜରୁରୀ, ତାହାର ଗୁରୁତ୍ବ ବିଷୟରେ ଦେଶବାସୀଙ୍କୁ ଜଣାଇଥିଲେ।
ଗତ କିଛିମାସ ଧରି ସାରା ଦେଶ ଏକ ହୋଇ ଯେଉଁଭଳି କରୋନା ସହ ସଂଗ୍ରାମ କରିଛିି ତାହା ଅନେକ ଆଶଙ୍କାକୁ ଭୁଲ ପ୍ରମାଣିତ କରିଛି । ଆଜି ଆମ ଦେଶରେ ସୁସ୍ଥତା ହାର ଅନ୍ୟ ଦେଶମାନଙ୍କ ତୁଳନାରେ ଭଲ ରହିଛି । ତା’ସଙ୍ଗେ ସଙ୍ଗେ ଆମ ଦେଶରେ କରୋନା ମୃତ୍ୟୁ ହାର ମଧ୍ୟ ବିଶ୍ୱର ଅଧିକାଂଶ ଦେଶଠାରୁ ଯଥେଷ୍ଟ କମ୍ ରହିଛି । ଜଣେ ବ୍ୟକ୍ତିର ଜୀବନ ଯିବା ନିଶ୍ଚିତ ଭାବେ ଦୁଃଖଦାୟକ, ହେଲେ, ଭାରତ ଏହାର ଲକ୍ଷ ଲକ୍ଷ ଦେଶବାସୀଙ୍କ ଜୀବନରକ୍ଷା କରିବାରେ ମଧ୍ୟ ସଫଳ ହୋଇଛି । କିନ୍ତୁ ବନ୍ଧୁଗଣ, କରୋନା ବିପତି ଅପସରିଯାଇନି । ଅନେକ ସ୍ଥାନରେ ଏହା ଦ୍ରୁତଗତିରେ ମାଡ଼ିଚାଲିଛି । ଆମକୁ ବହୁ ସତର୍କ ରହିବାର ଆବଶ୍ୟକତା ରହିଛି । ଏକଥା ଆମକୁ ମନେରଖିବାକୁ ହେବ ଯେ, କରୋନା ଏବେ ମଧ୍ୟ ସେତିକି ଘାତକ ଯେତିକି ଆରମ୍ଭରୁ ଥିଲା । ତେଣୁ ଆମକୁ ସମ୍ପୂର୍ଣ୍ଣ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।
ଏହା ସହ ମାସ୍କର ଗୁରୁତ୍ବ ବୁଝାଇବାକୁ ଯାଇ, ମୁହଁରେ ମାସ୍କ ପିନ୍ଧିବା କିମ୍ବା ଗାମୁଛା ବ୍ୟବହାର କରିବା, ଦୁଇଗଜ ଦୂରତା ରକ୍ଷା କରିବା, ବାରମ୍ବାର ହାତ ଧୋଇବା, କେଉଁଠି ବି ଛେପ ନ ପକାଇବା, ସ୍ୱଚ୍ଛତା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବା କରୋନାଠାରୁ ରକ୍ଷା ପାଇବା ପାଇଁ ଏସବୁ ହିଁ ଆମର ଅସ୍ତ୍ର ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।
ତାଙ୍କ କହିବା ମୁତାବକ, ବେଳେବେଳେ ମାସ୍କ ପିନ୍ଧିବା ଆମକୁ ଅଡୁଆ ଲାଗେ । ମୁହଁରୁ ମାସ୍କ କାଢ଼ିଦେବାକୁ ଇଚ୍ଛାହୁଏ । କଥାବାର୍ତା କରିବା ସମୟରେ ଯେତେବେଳେ କି ମାସ୍କ ପିନ୍ଧିବା ନିହାତି ଆବଶ୍ୟକ, ସେତେବେଳେ ଆମେ ମାସ୍କ କାଢ଼ିଦେଇଥାଉ । ଏଭଳି ସମୟରେ ମୋର ଆପଣମାନଙ୍କୁ ଅନୁରୋଧ, ଯେତେବେଳେ ମାସ୍କକୁ ନେଇ ଆପଣ ଅସୁବିଧା ଅନୁଭବ କରନ୍ତି, ମାସ୍କ କାଢ଼ିଦେବାକୁ ଇଚ୍ଛାହୁଏ, ସେତେବେଳେ ମୁହୂର୍ତକ ପାଇଁ ସେହି ଡାକ୍ତରମାନଙ୍କ କଥା ମନେ ପକାନ୍ତୁ, ସେହି ନର୍ସମାନଙ୍କ କଥା ମନେପକାନ୍ତୁ, ଆମର ସେହି କରୋନା ଯୋଦ୍ଧାମାନଙ୍କ କଥା ମନେପକାନ୍ତୁ । ଆପଣମାନେ ଲକ୍ଷ୍ୟ କରିବେ ଯେ, ସେମାନେ ଘଣ୍ଟା ଘଣ୍ଟା ଧରି ମାସ୍କ ପିନ୍ଧି ଅନବରତ ଭାବେ ଆମମାନଙ୍କ ଜୀବନ ରକ୍ଷା କରିବାରେ ଲାଗିରହୁଛନ୍ତି ।
ଆଠ-ଦଶ ଘଣ୍ଟା ଧରି ମାସ୍କ ପିନ୍ଧିରଖୁଛନ୍ତି । ସେମାନଙ୍କୁ କ’ଣ ଅସୁବିଧା ହେଉନଥିବ? ତାଙ୍କ କଥା ଟିକିଏ ମନେ ପକାଇଦେଲେ ଆପଣ ମଧ୍ୟ ଅନୁଭବ କରିବେ ଯେ, ଜଣେ ନାଗରିକ ହିସାବରେ ଆମେ ନିଜେ କିମ୍ବା ଅନ୍ୟମାନେ ଏଥିରେ ଟିକିଏ ହେଲେ ଢିଲା ଦେବା ଉଚିତ ନୁହେଁ । ଏକପକ୍ଷରେ ଆମକୁ ସମ୍ପୂର୍ଣ୍ଣ ସଚେତନତା ଏବଂ ସାବଧାନତା ସହ କରୋନା ବିରୁଦ୍ଧରେ ସଂଗ୍ରାମ ଜାରି ରଖିବାକୁ ହେବ। ଅପରପକ୍ଷରେ କଠିନ ପରିଶ୍ରମ ଦ୍ୱାରା ବ୍ୟବସାୟ, ଚାକିରି, ଅଧ୍ୟୟନ, ଯାହାକି ଆମର କର୍ତବ୍ୟ ତାହାକୁ ଗତିଶୀଳ କରିବାକୁ ହେବ । ତାହାକୁ ଉନ୍ନତିର ନୂତନ ଶିଖରକୁ ନେଇଯିବାକୁ ହେବ ।