ସୁପ୍ରିମ୍‌ କୋର୍ଟରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ:ସିବିଆଇ କଳି ରିପୋର୍ଟ ଦେଲା ସିଭିସି

ବିହାର ପୁଲିସକୁ ତାଚ୍ଛଲ୍ୟ

ନୂଆଦିଲ୍ଲୀ: ସିବିଆଇର ଏକନମ୍ବର ଓ ଦୁଇନମ୍ବର ଅଧିକାରୀଙ୍କ ବିରୋଧରେ ହୋଇଥିବା ଲାଞ୍ଚ ମାମଲାର ତଦନ୍ତ କରୁଥିବା ସିଭିସି (କେନ୍ଦ୍ରୀୟ ଭିଜିଲାନ୍ସ କମିସନ୍‌) ସୋମବାର ସୁପ୍ରିମ୍‌ କୋର୍ଟରେ ରିପୋର୍ଟ ଦାଖଲ କରିଛି। ଜଉମୁଦ ଲଫାପାରେ ୩ଟି ସେଟ୍‌ରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇ ସୁପ୍ରିମ୍‌ କୋର୍ଟଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ବିଳମ୍ବରେ ରିପୋର୍ଟ ଦାଖଲ ପାଇଁ ଖଣ୍ଡପୀଠ ସିଭିସିକୁ ତୀବ୍ର ସମାଲୋଚନା କରିଛନ୍ତି। ରବିବାର ସୁପ୍ରିମ୍‌ କୋର୍ଟ ରେଜିଷ୍ଟ୍ରି ଖୋଲାଥିବା ସତ୍ତ୍ବେ କ’ଣ ପାଇଁ ରିପୋର୍ଟ ଦିଆଗଲା ନାହିଁ କିମ୍ବା ଏ ବାବଦରେ କାହିଁକି ଆଗୁଆ ସୂଚନା ଦିଆଗଲା ନାହିଁ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଶୁକ୍ରବାର ହେବ।
ସିଭିସି ନିଜ ରିପୋର୍ଟରେ ସିବିଆଇ ଅନ୍ତରୀଣ ନିର୍ଦ୍ଦେଶକ ଏମ୍‌ ନାଗେଶ୍ବର ରାଓଙ୍କ ଦ୍ବାରା ନିଆଯାଇଥିବା ନିଷ୍ପତ୍ତି ବାବଦରେ ମଧ୍ୟ ଉଲ୍ଲେଖ କରିଛି। ସିବିଆଇରେ ରାଓ କୌଣସି ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ପୂର୍ବ ଶୁଣାଣିରେ ସୁପ୍ରିମ୍‌ କୋର୍ଟ ସ୍ପଷ୍ଟ କରିଥିଲା ବେଳେ ରାଓ କିନ୍ତୁ ଦାୟିତ୍ବ ନେବା କ୍ଷଣି ଅନେକ ଅଧିକାରୀଙ୍କୁ ବଦଳି କରିଥିଲେ। ଏହାସହିତ କିଛି ଅଧିକାରୀଙ୍କୁ ମୁଖ୍ୟ କାର୍ଯ୍ୟାଳୟକୁ ଆଣିଥିଲେ। ତେବେ ବିଳମ୍ବରେ ରିପୋର୍ଟ ଦାଖଲ ପାଇଁ ସିଭିସି କ୍ଷମାପ୍ରାର୍ଥନା କରିଛି।

ପାଟନା: ବିହାରର ମୁଜାଫରପୁର ଆଶ୍ରୟସ୍ଥଳ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ମଞ୍ଜୁ ବର୍ମା ଏଯାବତ୍‌ ଗିରଫ ହୋଇନଥିବାରୁ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ବିହାର ପୁଲିସ ଏଯାବତ୍‌ ମଞ୍ଜୁ ବର୍ମାଙ୍କୁ ଗିରଫ କରିପାରିନି। ଏଥିରେ ଆଶ୍ଚର୍ଯ୍ୟ ପ୍ରକଟ କରି ସୁପ୍ରିମକୋର୍ଟ ବିହାର ପୁଲିସକୁ ତାଚ୍ଛଲ୍ୟ କରିଛନ୍ତି। ଘଟଣାକୁ ଚମତ୍କାର ବୋଲି କୋର୍ଟ କହିଛନ୍ତି। ଖଣ୍ଡପୀଠ କହିଛନ୍ତି, ଜଣେ ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ଫେରାର୍‌ ଅଛନ୍ତି ଏବଂ କେହି ମଧ୍ୟ ଜାଣି ପାରୁନାହାନ୍ତି ସେ କେଉଁଠି ଅଛନ୍ତି। ଜଷ୍ଟିସ୍‌ ମଦନ ବି ଲୋକୁର ଏହି ଘଟଣା‌ଟିକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି। ସର୍ବୋଚ୍ଚ ଅଦାଲତ ଆଜି ପୁଣିଥରେ ପ୍ରଶାସନ ଉପରକୁ ବର୍ଷିଛନ୍ତି ଏବଂ ରାଜ୍ୟ ପୁଲିସ ଡିଜିଙ୍କୁ ଏହି ମାମଲାରେ ଆସନ୍ତା ୨୭ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ମଧ୍ୟ ରାଜ୍ୟ ମୁଖ୍ୟ ସଚିବଙ୍କୁ ହାଜର ହେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବତନ ମନ୍ତ୍ରୀ ବର୍ମାଙ୍କ ବାସଭବନରେ ଗତ ଅଗଷ୍ଟ ମାସରେ ସିବିଆଇ ଚଢ଼ଉ ସମୟରେ ପ୍ରାୟ ୫୦ଟି ଅଫୁଟା ଗୁଳି ମିଳିବାରୁ ବର୍ମା ଏବଂ ତାଙ୍କ ସ୍ବାମୀଙ୍କ ବିରୋଧରେ ଏତଲା ହୋଇଥିଲା। ବର୍ମାଙ୍କ ସ୍ବାମୀ ଆଶ୍ରୟସ୍ଥଳ ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁ୍କ୍ତ ବ୍ରଜେଶ ଠାକୁରଙ୍କ ଘନିଷ୍ଠ ଥିଲେ ଏବଂ ସେ ଆଶ୍ରୟସ୍ଥଳକୁ ଅନେକ ସମୟରେ ଯାଉଥିଲେ।

ସମ୍ବନ୍ଧିତ ଖବର