ନୂଆଦିଲ୍ଲୀ: ଏହା ପୂର୍ବରୁ ରିଏଲ୍‌ ଇଷ୍ଟେଟ୍‌ ରେଗୁଲେସନ୍‌ ଆକ୍ଟକୁ ନେଇ ଏକାଧିକ ନିର୍ଦ୍ଦେଶନାମା ଜାରି କରିଥିବା ସୁପ୍ରିମ୍‌କୋର୍ଟ ଆଜି କହିଛନ୍ତି ଯେ ଏବେ ରିିଏଲଇଷ୍ଟେଟ କ୍ଷେତ୍ରରେ ଉଭୟ ବିଲଡର୍‌ ଓ କ୍ରେତାଙ୍କ ପାଇଁ ଆଦର୍ଶ ଚୁକ୍ତିନାମା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।

Advertisment

ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ୍‌ ଡି ଓ୍ଵାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍‌ ବି ଭି ନାଗରାଥନାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏ ସଂକ୍ରାନ୍ତରେ ଆଗତ ଏକ ଆବେଦନ ଉପରେ ଶୁଣାଣି କରିବା ବେଳେ ଏହି ନିର୍ଦ୍ଦେଶ ଦେବା ସହ ଏ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କରି ଏହାର ଜବାବ ମାଗିଛନ୍ତି। ସୁପ୍ରିମକୋର୍ଟ ସୋମବାର କହିଛନ୍ତି ଯେ ଗ୍ରାହକମାନଙ୍କ ସୁରକ୍ଷା ପାଇଁ ରିଅଲ୍‌ ଇଷ୍ଟେଟ୍‌ କ୍ଷେତ୍ରରେ ଏକ ମଡେଲ୍‌ ବିଲ୍‌ଡର୍‌-କ୍ରୟର୍‌ ଚୁକ୍ତି ହେବା ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ ବିଲଡର/ ଠିକାଦାରମାନେ ଏଥିରେ ଅନେକ ଧାରା ରଖିବାକୁ ଚେଷ୍ଟା କରନ୍ତି, ଯାହା ସଂପର୍କରେ ସାଧାରଣ ଲୋକମାନେ ଅଜ୍ଞ ଥାଆନ୍ତି। ସେଥିପାଇଁ ଗ୍ରାହକଙ୍କ ସୁରକ୍ଷା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ବିଲଡରମାନେ ଚୁକ୍ତିରେ ଅନେକ ଧାରା ରଖିବାକୁ ଚେଷ୍ଟା କରନ୍ତି ଯାହା ସାଧାରଣ ଲୋକମାନେ ଜାଣି ନଥାନ୍ତି। ସେଥିପାଇଁ ଚୁକ୍ତିରେ କିଛି ସମାନତା ରହିବା ଉଚିତ୍‌। ଦେଶରେ ଏହା (ମଡେଲ ବିଲଡର କ୍ରେତା ଚୁକ୍ତି) ହାସଲ ହେବା ଜରୁରୀ ବୋଲି ଖଣ୍ଡପୀଠ କହିଛନ୍ତି।

ଅନ୍ୟପକ୍ଷରେ ଆବେଦନକାରୀ ଅଶ୍ୱିନୀ ଉପାଧ୍ୟାୟଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ବରିଷ୍ଠ ଆଡଭୋକେଟ୍‌ ବିକାଶ ସିଂ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ଏଥିପାଇଁ ଏକ ମଡେଲ୍‌ ଚୁକ୍ତିନାମା ପ୍ରସ୍ତୁତ ହେବା ଉଚିତ। କାରଣ କେତେକ ରାଜ୍ୟରେ ଏହା ରହିଥିବା ବେଳେ ଅନ୍ୟ କେତେକ ରାଜ୍ୟରେ ଏହା ନାହିଁ। ତେଣୁ କେନ୍ଦ୍ର ସରକାର ଏହି ଏହା (ମଡେଲ ବିଲଡର କ୍ରେତା ଚୁକ୍ତି) ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ସେ ସୁପ୍ରିମ୍‌କୋର୍ଟଙ୍କୁ କହିଛନ୍ତି।