ନୂଆଦିଲ୍ଲୀ : ପ୍ରଧାନ ବିଚାରପତି ଏନ୍ଭି ରମଣା ତାଙ୍କ କାର୍ଯ୍ୟକାଳ ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଦେଶଦ୍ରୋହ ଆଇନ ସଂକ୍ରାନ୍ତରେ ଜଷ୍ଟିସ ରମଣା ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇବା ସହ ମନି ଲଣ୍ଡରିଂ ରାୟର ସମୀକ୍ଷା କରିଛନ୍ତି। ପେଗାସସ୍ ସ୍ପାଇୱେୟାର ମାମଲା ଏବଂ ଲଖିମପୁର ଖେରି ମାମଲାରେ ସେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ରମଣା ସୁପ୍ରିମକୋର୍ଟର ୧୧ ବିଚାରପତି ଏବଂ ହାଇକୋର୍ଟରେ ୨୨୦ ବିଚାରପତିଙ୍କ ନିଯୁକ୍ତି ସୁନିଶ୍ଚିତ କରିଛନ୍ତି। ଗତ ମେ’ରେ ପ୍ରଧାନ ବିଚାରପତି ଏକ ଐତିହାସିକ ରାୟ ଦେଇ ଦେଶଦ୍ରୋହ ଆଇନ ଉପରେ ରୋକ ଲଗାଇଥିଲେ। ଦେଶଦ୍ରୋହ ଆଇନର ଅପବ୍ୟବହାର ହେଉଥିବା ଅନୁଧ୍ୟାନ କରି ରମଣା କେନ୍ଦ୍ରକୁ ଏନେଇ ପ୍ରଶ୍ନ କରିଥିଲେ। ଉପନିବେଶ ସମୟର ଆଇନର ଏବେ କ’ଣ ଆବଶ୍ୟକତା ଅଛି ବୋଲି ରମଣା ପ୍ରଶ୍ନ କରିଥିଲେ ଏବଂ କେନ୍ଦ୍ର ଓ ରାଜ୍ୟମାନେ ଏନେଇ କୌଣସି ମାମଲା ରୁଜୁ କରିପାରିବେନି ବୋଲି କହିଥିଲେ।
ଅବସରର ଦିନକ ପୂର୍ବରୁ ରମଣା ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାରେ ନିଷ୍ପତ୍ତି ଶୁଣାଇଛନ୍ତି। ପ୍ରଧାନ ବିଚାରପତି ବିଲକିସ ବାନୋ ମାମଲାରେ ଗତକାଲି ଗୁଜରାଟ ସରକାରଙ୍କୁ ନୋଟିସ୍ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଂଜାବ ଗସ୍ତ ସମୟରେ ତାଙ୍କ ସୁରକ୍ଷା ତ୍ରୁଟି ପ୍ରସଙ୍ଗରେ ମଧ୍ୟ ରମଣା ଗତକାଲି ନିଷ୍ପତ୍ତି ଶୁଣାଇଛନ୍ତି। ଫିରୋଜପୁର ଏସ୍ଏସ୍ପି ଦାୟିତ୍ବ ସମ୍ପାଦନ କରିବାରେ ବିଫଳ ହୋଇଛନ୍ତି ବୋଲି ରମଣା କହିଥିଲେ।