କଟକ/ନୂଆଦିଲ୍ଲୀ : ଦେଶରେ କଳା ଟଙ୍କା କାରବାର ସ˚ପର୍କରେ ତଦନ୍ତ କରୁଥିବା ସ୍ପେସାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍ (ଏସ୍ଆଇଟି)ର ବୈଠକରେ ଆଜି ଡ୍ରଗ୍ସ କାରବାରରେ କଳାଟଙ୍କା ପ୍ରସ˚ଗରେ ଆଲୋଚନା ହୋଇଛି। ନୂଆଦିଲ୍ଲୀରେ ଏସ୍ଆଇଟି ଉପାଧୢକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ଅନୁଷ୍ଠିତ ବୈଠକରେ କଳାଟଙ୍କାକୁ ନେଇ ରହିଥିବା ପୁରୁଣା ପ୍ରସଂଗ ସହିତ କେତେକ ନୂଆ ଦିଗ ଉପରେ ଆଲୋଚନା ହୋଇଥିଲା। ଡ୍ରଗ୍ସ ମାମଲାରେ କଳାଟଙ୍କା, ନିଶା କାରବାରରୁ ନକ୍ସଲ ଅର୍ଜନ କରୁଥିବା କଳାଟଙ୍କା ପ୍ରସଂଗରେ ଆଲୋଚନା ହୋଇଥିଲା। ଏହି ପ୍ରସଂଗରେ ବିଭିନ୍ନ ତଦନ୍ତକାରୀ ସଂସ୍ଥା ସହିତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ନିଶାଦ୍ରବ୍ୟ କାରବାରରେ କଳାଟଙ୍କା ସଂପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ। ଏଥିସହିତ ବିଭିନ୍ନ ସ୍ଥାନରେ କରାଯାଇଥିବା ଆୟକର ଚଢାଉରୁ ଜବତ ଅର୍ଥ ବାବଦରେ ମଧ୍ୟ ଆଲୋଚନା ହୋଇଥିଲା। ଚଢାଉ ସମୟରେ କେଉଁ ସେକ୍ଟେରରେ କେତେ ଟଙ୍କା ଜବତ କରାଯାଇଥିଲା, ସେ ନେଇ ସବିଶେଷ ତଥ୍ୟ ଉପସ୍ଥାପନ ହୋଇଥିଲା।
ସୂଚନା ଅନୁସାରେ, ବିଭିନ୍ନ ବିଭାଗ ପକ୍ଷରୁ କଳାଧନ ପ୍ରସ˚ଗରେ କରାଯାଇଥିବା ତଦନ୍ତ ଓ ଅନୁସନ୍ଧାନ ସ˚ପର୍କିତ ଅପଡେଟ୍ ଷ୍ଟାଟସ ରିପୋର୍ଟ ବୈଠକରେ ଉପସ୍ଥାପନ କରାଯାଇଥିଲା। ସମଗ୍ର ଦେଶରେ ଏଯାବତ୍ ବିଭିନ୍ନ ବିଭାଗ ପକ୍ଷରୁ ଠାବ କରାଯାଇଥିବା କଳାଧନ ସ˚ପର୍କରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଆଜିର ବୈଠକରେ ରାଜ୍ୟ ତଥା ଦେଶବିଦେଶରେ ଗଚ୍ଛିତ କଳାଧନ, ନିର୍ବାଚନରେ କଳାଧନ, ନିଶା କାରବାରରୁ ନକ୍ସଲ ଅର୍ଜନ କରୁଥିବା କଳାଟଙ୍କା, ବେଆଇନ୍ ଖଣି କରାରବାର, ମାଫିଆ, ଡନ୍, ଧାର୍ମିକଗୁରୁଙ୍କ କଳାଧନ କାରବାର, ବିଭିନ୍ନ କାରବାରରେ ଚିଟ୍ଫଣ୍ତ୍ ଟଙ୍କାର ବିନିଯୋଗ, ରିଅଲ୍ ଇଷ୍ଟେଟ, ଘରୋଇ ଶିକ୍ଷା ଅନୁଷ୍ଠାନ ଓ ହସ୍ପିଟାଲ, ଚ୍ୟାରିଟେବଲ୍ ଟ୍ରଷ୍ଟ୍ରେ କଳାଧନ ଓ ବେନାମି କାରବାର ପ୍ରସ˚ଗ ସହିତ ବିଭିନ୍ନ ବ୍ୟାଙ୍କ୍ରେ ଜମାଥିବା କଳା ଟଙ୍କା ଉପରେ ଆଲୋଚନା କରାଯାଇଥିଲା। କଳାଧନର ଉତ୍ସ ଉପରେ ବିଶେଷ ଭାବେ ଆଲୋଚନା କରାଯାଇଥିଲା। ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ଉପରେ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା। ଏଥିସହିତ ବେଆଇନ କାରବାର ଓ କଳାଧନ ସଂପର୍କିତ ବିଭିନ୍ନ ବିଚାରାଧୀନ ମାମଲା ଓ ତଦନ୍ତର ସ୍ଥିତି ନେଇ ଆଲୋଚନା ହୋଇଥିଲା। ବୈଠକରେ ସିବିଡିଟି, ସିବିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଏନସିବି, ଏଫଆଇୟୁ ଓ ଭାରତର ନିର୍ବାଚନ କମିସନଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଖୁବ୍ଶୀଘ୍ର ଏସ୍ଆଇଟି ପକ୍ଷରୁ କଳାଧନ ସଂପର୍କିତ ପରବର୍ତ୍ତୀ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରାଯିବ ବୋଲି ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/sit.jpg)