ଲିଭ୍‌-ଇନ୍‌ ସଂପର୍କ ନେଇ ଗୁରୁତ୍ବପୂର୍ଣ୍ଣ ରାୟ: ପୈତୃକ ସମ୍ପତ୍ତିରେ ସନ୍ତାନର ଅଧିକାର ରହିବ

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟ ଲିଭ୍‌-ଇନ୍‌ ସଂପର୍କ ନେଇ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଅବୈଧ ସମ୍ପର୍କରୁ ଜାତ ହୋଇଥିବା ପୁତ୍ର ପୈତୃକ ସମ୍ପତ୍ତି ଉପରେ ଅଧିକାର ସାବ୍ୟସ୍ତ କରିପାରିବ। ଯଦି କୌଣସି ପୁରୁଷ ଏବଂ ମହିଳା ବିବାହ ନ କରି ଦୀର୍ଘ ବର୍ଷ ଧରି ଲିଭ୍‌-ଇନ୍‌ ସଂପର୍କରେ ଥି‌ବେ ତେବେ ସେମାନଙ୍କ ପୁତ୍ର ଉତ୍ତରାଧିକାରୀ ଭାବେ ସମ୍ପତ୍ତି ପାଇବାକୁ ଯୋଗ୍ୟ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି। କେରଳର ଜନୈକ ବ୍ୟକ୍ତିଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ସୁପ୍ରମିମକୋର୍ଟ ଏହା କହିଛନ୍ତି। ଜନୈକ ବ୍ୟକ୍ତି ନିଜ ପିତା-ମାତାଙ୍କର ଉତ୍ତରାଧିକାରୀ ଭାବରେ ସମ୍ପତ୍ତି ଦ‌ାବି କରିଥିଲେ। ମାତ୍ର, ପିତା ସମ୍ପତ୍ତିରେ ଭାଗଦେବାକୁ ମନା କରିବାରୁ ପୁତ୍ର ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ତଳ କୋର୍ଟ ପୁତ୍ର ସପକ୍ଷରେ ରାୟ ଦେବାପରେ ପିତା ହାଇକୋର୍ଟରେ ଏହି ରାୟକୁ ଚାଲେଞ୍ଜ୍‌ କରି ଆବେଦନ କରିଥିଲେ। ହାଇକୋର୍ଟ ଉକ୍ତ ସଂପର୍କକୁ ଅବୈଧ ଦର୍ଶାଇ ଥିଲେ। ପୁରୁଷ ଏବଂ ମହିଳାଙ୍କ ଆଇନ ସମ୍ମତ ବିବାହର ପ୍ରମାଣ ଅଭାବରୁ ଉଚ୍ଚନ୍ୟାୟାଳୟ ପିତାଙ୍କ ସପକ୍ଷରେ ରାୟ ଦେଇଥିଲେ ଏବଂ ପୁତ୍ରଙ୍କୁ ସମ୍ପତ୍ତିରୁ ବଞ୍ଚିତ କରିଥିଲେ।

ଏହାପରେ ପୁତ୍ର ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲେ। ଜଷ୍ଟିସ୍‌ ଅବଦୁଲ ନାଜିର ଏବଂ ଜଷ୍ଟିସ୍‌ ବିକ୍ରମ ନାଥଙ୍କ ମିଳିତ ଖଣ୍ଡପୀଠ ସୋମବାର ମାମଲାର ଶୁଣାଣି କରି ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ଲିଭ୍‌-ଇନ୍‌ ସଂପର୍କକୁ ଏ କ୍ଷେତ୍ରରେ ବିବାହ ବୋଲି ମାନିବାକୁ ପଡ଼ିବ ବୋଲି ଖଣ୍ଡପୀଠ କହିଛନ୍ତି। ତେଣୁ ସେମାନଙ୍କ ଓୗରସରୁ ଜନ୍ମ ନେଇଥିବା ସନ୍ତାନର ପୈତୃକ ସମ୍ପତ୍ତି ଉପରେ ଅଧିକାର ଅଛି ଏବଂ ଏହି ଅଧିକାରରୁ ତାଙ୍କୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ଜଷ୍ଟିସ୍‌ ନାଜିର ଏବଂ ଜଷ୍ଟିସ୍‌ ନାଥଙ୍କ ଖଣ୍ଡପୀଠ କହିଛନ୍ତି।

ସମ୍ବନ୍ଧିତ ଖବର