ନୂଆଦିଲ୍ଲୀ: ୨୦୨୦ ମସିହାର ଗଲ୍‌ୱାଲ ସଂଘର୍ଷ ପରେ ବିଗିଡ଼ିଥିବା ଭାରତ ଓ ଚୀନ ସଂପର୍କ ପୁଣିଥରେ ସୁଧୁରିବାକୁ ଯାଉଛି। ଦୁଇ ଦେଶର ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ପାଟ୍ରୋଲିଂ ଆରମ୍ଭ ପାଇଁ ଦୁଇ ଦେଶ ରାଜି ହୋଇଛନ୍ତି। ଦୂଇ ଦେଶ ମଧ୍ୟରେ ଏ ନେଇ ଗତ କିଛି ସପ୍ତାହ ଧରି ଆଲୋଚନା ପରେ ପାଟ୍ରୋଲିଂ ଆରମ୍ଭ ନିଷ୍ପତ୍ତି ହୋଇଛି। ବିଦେଶ ବ୍ୟାପାର ସଚିବ ବିକ୍ରମ ମିସ୍ରି ଆଜି ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି। ଏହାଦ୍ବାରା ୨୦୨୦ ମସିହାରେ ଯେଉଁ ସମସ୍ୟା ଦେଖାଦେଇଥିଲା ତାହାର ସମାଧାନ ହୋଇପାରିଛି। ଏ ଦିଗରେ ଆମେ ପରବର୍ତ୍ତୀ ପଦକ୍ଷେପ ନେବୁ ବୋଲି ସେ କହିଛନ୍ତି। ରୁଷ୍‌ରେ ଚଳିତ ସପ୍ତାହରେ ବ୍ରିକ୍ସ ସମ୍ମିଳନୀ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବା ସମ୍ଭାବନା ରହିଛି। ଏହାର ଅବ୍ୟବହିତ ପୂର୍ବରୁ ଆଜି ଦୁଇ ଦେଶକୁ ନେଇ ଏଭଳି ଭଲ ଖବର ସାମ୍ନାକୁ ଆସିଛି। 

Advertisment

ଉକ୍ତ ଖବରକୁ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ସକାରାତ୍ମକ ବୋଲି କହିଛିନ୍ତି। ସୀମାରେ ଶାନ୍ତି ପାଇଁ ଏହା ବାଟ ଫିଟାଇବ। ଆମେ ୨୦୨୦ ମସିହାର ଅବସ୍ଥାକୁ ଫେରିଛୁ। ତେଣୁ ଆମେ କହିପାରିବା ଯେ ସେନା ପ୍ରତ୍ୟାହାର ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି। ବିଭିନ୍ନ କାରଣ ପାଇଁ ୨୦୨୦ ମସିହା ପରେ ସେମାନେ ଆମକୁ କେତେକ କ୍ଷେତ୍ରରେ ଅବରୋଧ କରିଥିଲେ ଏବଂ ଆମେ ମଧ୍ୟ ସେମାନଙ୍କୁ ଅବରୋଧ କରିଥିଲୁ। କିନ୍ତୁ ଆମେ ଏବେ ରାଜିନାମାରେ ପହଞ୍ଚିଛୁ। ଏହି ରାଜିନାମା ଆମକୁ ପାଟ୍ରୋଲିଂ ପାଇଁ ଅନୁମତି ଦେବ। ଏହା ଆମ ଅଧ୍ୟବସାୟ ଏବଂ ଧୈର୍ଯ୍ୟପୂର୍ଣ୍ଣ କାର୍ଯ୍ୟର ଫଳ ବୋଲି ଜୟଶଙ୍କର କହିଛନ୍ତି। ୨୦୨୦ ସେପ୍ଟେମ୍ବରରେ ଯେତେବେଳେ ମୁଁ ଚୀନ୍‌ ପ୍ରତିପକ୍ଷ ୱାଙ୍ଗ ୱିଙ୍କୁ ମସ୍କୋରେ ଭେଟିଥିଲି ସେତେ‌ବେଳଠାରୁ ଏ ନେଇ ଆଲୋଚନା ଆରମ୍ଭ ହୋଇଛି। ତେଣୁ ଶାନ୍ତି ଏବଂ ସ୍ଥିରତା ପାଇଁ ତାହା ଭିତ୍ତି ପକାଇଥିଲା। ୨୦୨୦ ମସିହା ପୂର୍ବରୁ ସୀମାରେ ଯେଭଳି ଶାନ୍ତି ରହିଥିଲା ତାହା ବଜାୟ ରହିବା ଆବଶ୍ୟକ। ଆମେ ବର୍ତ୍ତମାନ ସେହି ସ୍ତରକୁ ଫେରିବାକୁ ସକ୍ଷମ ହେବୁ ବୋଲି ବିଦେଶ ମନ୍ତ୍ରୀ କହିଛନ୍ତି। ଚଳିତବର୍ଷ ଅଗଷ୍ଟରେ ଏଲ୍‌ଏସି ପରିସ୍ଥିତି ଉପରେ ଭାରତ ଓ ଚୀନ ମଧ୍ୟରେ ଆଲୋଚନା ହୋଇଥିଲା। ତୃଣମୂଳ ସ୍ତରରେ ଶାନ୍ତି ‌ବଜାୟ ରଖିବା ପାଇଁ ଉଭୟ ପକ୍ଷ ନିଷ୍ପତ୍ତି ନେଇଥିଲେ।

ଦୁଇ ପକ୍ଷ ସେମାନଙ୍କ ମତପାର୍ଥକ୍ୟକୁ ହ୍ରାସ କରିବା ସହ ପୂର୍ବ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ପାଇଁ ମତ ଦେଇଥିଲେ। ସେଥିପାଇଁ ଉଭୟ କୂଟନୈତିକ ଓ ସାମରିକ ସ୍ତରରେ ଆଲୋଚନା ହୋଇଥିଲା। ଉଲ୍ଲେଖଯୋଗ୍ୟ, ୨୦୨୦ ମସିହାର ଗଲୱାନ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ରହିଆସିଛି। ତେବେ ଦୁଇ ଦେଶ ମଧ୍ୟରେ ସଂପର୍କକୁ ସ୍ବାଭାବିକ କରିବା ପାଇଁ ଉଭୟ ପକ୍ଷ ଏକାଧିକ ଥର କମାଣ୍ଡରସ୍ତରୀୟ ଆଲୋଚନା କରିଛନ୍ତି। ୨୦୨୨ ସେପ୍ଟେମ୍ବରରେ ଏ କ୍ଷେତ୍ରରେ ଏକ ବଡ଼ଧରଣର ଅଗ୍ରଗତି ହୋଇଥିଲା ଯେତେବେଳେ ଉଭୟପକ୍ଷ ଏଲଏସିରୁ ସେନା ପ୍ରତ୍ୟାହାର ନେଇ ନିଷ୍ପତ୍ତି ନେଇଥିଲେ। ଗୋଗ୍ରା-ହଟ୍‌ ସ୍ପ୍ରିଙ୍ଗ୍‌ ଅଞ୍ଚଳର ପଏଣ୍ଟ-୧୫ ପାଟ୍ରୋଲିଂ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରାଯାଇଥିଲା। ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ କରିବା କ୍ଷେତ୍ରରେ ଏହା ବଡ଼ ପଦକ୍ଷେପ। ଏଥିଯୋଗୁ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସଂପର୍କ ମଧ୍ୟ ଖରାପ ହୋଇଥିଲା। ଚୀନରୁ ନିବେଶ ଅନୁମତିକୁ ସରକାର କଡ଼ାକଡ଼ି କରିଥିଲେ ଏବଂ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଉପରେ ରୋକ୍‌ ଲଗାଇଥିଲେ।