ଇମ୍ରାନ୍‌ ପାକିସ୍ତାନର ୨୨ତମ ପ୍ରଧାନମନ୍ତ୍ରୀ

ଶପଥ ନେବା ବେଳେ ଭୁଲ୍‌ ଉଚାରଣ ପାଇଁ କ୍ଷମା ମାଗିଲେ

ଇସ୍‌ଲାମାବାଦ: ପାକିସ୍ତାନର ୨୨ତମ ପ୍ରଧାନମନ୍ତ୍ରୀ ଭାବେ ଆଜି ଇମ୍ରାନ୍‌ ଖାନ୍‌ (୬୫) ଶପଥ ଗ୍ରହଣ କରିଛନ୍ତି। କ୍ରିକେଟର୍‌ରୁ ରାଜନେତା ପାଲଟିଥିବା ଇମ୍ରାନ ଏବେ ପାକିସ୍ତାନର ଜଣେ କଠୋରପନ୍ଥୀ ନେତା ବିବେଚିତ ହୋଇଥିବା ବେଳେ ଆଜି ଶପଥ ଗ୍ରହଣ ଉତ୍ସବରେ ପାକ୍‌ ସେନାର ପ୍ରାଧାନ୍ୟ ଦେଖିବାକୁ ମିଳିଥିଲା। ଉତ୍ସବରେ ଇମ୍ରାନ୍‌ଙ୍କ ପତ୍ନୀ ବୁସ୍‌୍‌ରା ମେନକା ମଧ୍ୟ ସାମିଲ ଥିଲେ। ଦୀର୍ଘ ବର୍ଷର ସଂଘର୍ଷ ପରେ ପାକିସ୍ତାନ ତେହରିକ୍‌ ଏ ଇନ୍‌୍‌ସାଫ୍‌ ପାର୍ଟି କ୍ଷମତାକୁ ଆସିଛି। ୨୫ ଜୁଲାଇରେ ହୋଇଥିବା ନିର୍ବାଚନରେ ଇମ୍ରାନଙ୍କ ଦଳ ପିଟିଆଇ ସବୁଠାରୁ ବଡ଼ ଦଳ ଭାବେ ଆବିର୍ଭାବ ହୋଇଥିଲା । ତେବେ ଏକାକୀ ସରକାର ଗଠନ କରିବା ପାଇଁ ସଂଖ୍ୟା ନଥିବାରୁ ଅନ୍ୟ କ୍ଷୁଦ୍ର ଦଳ ଏବଂ ସ୍ୱାଧୀନ ସଭ୍ୟଙ୍କ ସମର୍ଥନ ଯୋଗାଡ଼ କରିବାକୁ ପଡ଼ିଥିଲା। ଗତକାଲି ପାକିସ୍ତାନ ସଂସଦରେ ହୋଇଥିବା ଆସ୍ଥା ଭୋଟ୍‌ରେ ଇମ୍ରାନ୍‌ଙ୍କୁ ୧୭୬ ଭୋଟ୍‌ ମିଳିଥିଲା। ସରକାର ଗଠନ ପାଇଁ ସଂସଦରେ ମ୍ୟାଜିକ୍‌ ନମ୍ବର ହେଉଛି ୧୭୩ । ଅନ୍ୟପକ୍ଷରେ ଇମ୍ରାନଙ୍କ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ପିଏମ୍‌ଏଲ୍‌-ଏନ୍‌ର ଶାହବାଜ ସରିଫ୍‌୍‌ଙ୍କୁ କେବଳ ୯୬ଟି ଭୋଟ୍‌ ମିଳିଥିଲା।

ଆଜି ଶପଥ ନେବାବେଳେ ଇମ୍ରାନ୍‌ କେତେକ ଉର୍ଦ୍ଦୁ ଶବ୍ଦ ଉଚ୍ଚାରଣ କରିପାରି ନଥିଲେ ଏବଂ କେତେକ ଶବ୍ଦର ଭୁଲ୍‌ ଉଚାରଣ କରିଥିଲେ। ଏଥିପାଇଁ ସେ ସାମାନ୍ୟ ବିଚଳିତ ହୋଇପଡ଼ିଥିବା ଲକ୍ଷ କରାଯାଇଥିଲା। ରୋଜ୍‌-ଏ- କୟାମତ (ନିଷ୍ପତ୍ତିର ଦିନ)କୁ ରୋଜ୍‌ ଏ କିୟାଦତ୍‌ (ନେତୃତ୍ୱର ଦିନ) ବୋଲି ପଢ଼ିଥିଲେ ଏବଂ ଏହି ବାକ୍ୟର ଅର୍ଥ ସଂପୂର୍ଣ୍ଣ ବଦଳି ଯାଇଥିଲା। ରାଷ୍ଟ୍ରପତି ବାକ୍ୟ ପୁଣି ଦୋହରାଇବା ପରେ ଇମ୍ରାନ୍‌ ତାଙ୍କ ଭୁଲ୍‌ ଜାଣିପାରିଥିଲେ ଏବଂ କ୍ଷମା ମାଗିଥିଲେ।

ସମ୍ବନ୍ଧିତ ଖବର