ସ୍ବୀକାର କଲେ ଇମ୍ରାନ୍‌:ପାକ୍‌ରେ ୪୦ ହଜାର ଆତଙ୍କବାଦୀ ସକ୍ରିୟ

ପୂର୍ବ ସରକାରଙ୍କୁ ଦାୟୀ କଲେ : ଇମ୍ରାନଙ୍କୁ ଘେରିଲେ ବିରୋଧୀ

ୱାସିଂଟନ୍‌ : ପାକିସ୍ତାନ ଆତଙ୍କବାଦୀଙ୍କ ଆଡ଼ାସ୍ଥଳ ପାଲଟିଛି ଏବଂ ୪୦ରୁ ଅଧିକ ଆତଙ୍କବାଦୀ ଗୋଷ୍ଠୀ ଏଠାରେ ସକ୍ରିୟ ଅଛନ୍ତି। ଏ ସବୁ ଗୋଷ୍ଠୀର ପ୍ରାୟ ୪୦ ହଜାର ଆତଙ୍କବାଦୀ ସେମାନଙ୍କ କାର୍ଯ୍ୟକଳାପ ଜାରି ରଖିଛନ୍ତି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ସ୍ବୀକାର କରିଛନ୍ତି। ଆମେରିକା ଗସ୍ତରେ ଥିବା‌ ଇମ୍ରାନ୍‌ ଗତକାଲି ଆମେରିକା‌ରେ ତାଙ୍କ ଶେଷ କାର୍ଯ୍ୟକ୍ରମରେ କହିଥିଲେ, ପୂର୍ବ ସରକାରମାନେ ନିର୍ଦ୍ଦିଷ୍ଟ ଭାବେ ବିଗତ ୧୫ ବର୍ଷ ମଧ୍ୟରେ ପାକିସ୍ତାନରେ ଚାଲିଥିବା ଆତଙ୍କବାଦୀ ସଂଗଠନ ସଂପର୍କରେ ତଥ୍ୟ ଲୁଚାଇ ଆସିଛନ୍ତି। ସେମାନେ ଦେଶରେ ପରିଚାଳିତ ହେଉଥିବା ଆତଙ୍କବାଦୀ ସଂଗଠନ ସଂପର୍କରେ ଆମେରିକାକୁ ତଥ୍ୟ ଦେଇନାହାନ୍ତି ଏବଂ ବାସ୍ତବତାକୁ ଲୁଚାଇଛନ୍ତି। ଦେଶରେ ୪୦ଟି ଆତଙ୍କବାଦୀ ଗୋଷ୍ଠୀ ସେମାନଙ୍କ କାର୍ଯ୍ୟ ଜାରି ରଖିଥିବା ବେଳେ ଏବେ ପାକିସ୍ତାନରେ ୩୦,୦୦୦-୪୦,୦୦୦ ଆତଙ୍କବାଦୀ ସକ୍ରିୟ ରହିଥିବା ଇମ୍ରାନ୍‌ ସ୍ବୀକାର କରିଛନ୍ତି। ସେମାନେ ସମସ୍ତେ ଆଫଗାନିସ୍ତାନ ଏବଂ କଶ୍ମୀରରେ ତାଲିମ ନେଇଛନ୍ତି ବୋଲି ଇମ୍ରାନ୍‌ କହିଛନ୍ତି। ଇମ୍ରାନ୍‌ଙ୍କ ପିଟିଆଇ (ପାକିସ୍ତାନ ତେହରିକ ଏ ଇନସାଫ୍‌) କ୍ଷମତାକୁ ଆସିବା ପୂର୍ବରୁ ଦେଶରେ ପୂର୍ବ ସରକାର ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଇଚ୍ଛା ପ୍ରକାଶ କରିନଥିଲେ ବୋଲି ସେ କହିଛନ୍ତି।
ପିଟିଆଇ ସରକାର ପାକିସ୍ତାନରେ ପ୍ରଥମ ଥର ପାଇଁ ଆତଙ୍କବାଦ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି ଇମ୍ରାନ୍‌ କହିଛନ୍ତି। ‘ପୂର୍ବ ସରକାର ଏଥିପ୍ରତି ତିଳେହେଲେ ଧ୍ୟାନ ଦେଇନଥିଲେ। ପାକ୍‌ ମାଟିରେ ୪୦ ଆତଙ୍କବାଦୀ ଗୋଷ୍ଠୀ ସେମାନଙ୍କ କାୟାବିସ୍ତାର କରିଥିଲେ ମଧ୍ୟ ସେମାନଙ୍କୁ ନିୟନ୍ତ୍ରଣ ପାଇଁ ବିଶେଷ ଧ୍ୟାନ ଦିଆଯାଇ ନଥିଲା। ତାଲିବାନ, ଅଲକା‌ଏଦାକୁ ଶେଷ କରିବା ପାଇଁ ଆମେ ଆମେରିକା ସହିତ ଆତଙ୍କବାଦୀ ବିରୋଧୀ ଯୁଦ୍ଧ ଲଢ଼ିଥିଲୁ। ୯/୧୧ ଆତଙ୍କବାଦୀ ଆକ୍ରମଣ ସହ ପାକିସ୍ତାନର କିଛି ଭୂମିକା ନଥିଲା। ଅଲ-କାଏଦା ଆଫଗାନିସ୍ତାନରେ ଥିଲା। ତେବେ ପାକିସ୍ତାନରେ କୌଣସି ତାଲିବାନ ଆତଙ୍କବାଦୀ ନଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ କେତେକ ଭୁଲ୍‌ ହୋଇଯାଇଥିଲା ଏବଂ ପାକିସ୍ତାନ ବିଶ୍ବ ଦରବାରରେ ନିନ୍ଦିତ ହୋଇଥିଲା’ ବୋଲି ଇମ୍ରାନ୍‌ କହିଛନ୍ତି।
ତେବେ ପାକିସ୍ତାନରେ ଚାଲିଥିବା ଆତଙ୍କବାଦୀ ସଂଗଠନ ଏବଂ ସେମାନଙ୍କ କାର୍ଯ୍ୟକଳାପ ସଂପର୍କରେ ଇମ୍ରାନ ସ୍ପଷ୍ଟ ମତ ରଖିବା ପରେ ଏହାକୁ ନେଇ ପାକିସ୍ତାନରେ ଆଲୋଡ଼ନ ସୃଷ୍ଟି ହୋଇଛି। ଇମ୍ରାନଙ୍କ ବୟାନକୁ ବିରୋଧ କରି ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମୁଖ୍ୟ ବିରୋଧୀ ଦଳ ପିଏମ୍‌ଏଲ୍‌-ଏନ୍‌ ଇମ୍ରାନଙ୍କ ବୟାନକୁ ଦେଶବିରୋଧୀ ଏବଂ ଏକଛତ୍ରବାଦୀ ମାନସିକତାର ପରିଚୟ ବୋଲି କହିଛନ୍ତି। ଏହା ବିରୋଧରେ ଦେଶବ୍ୟାପୀ ଜନମତ ସୃଷ୍ଟି କରାଯିବ ବୋଲି ପିଏମ୍‌ଏଲ୍‌-ଏନ୍‌ ନେତାମାନେ କହିଛନ୍ତି। ବିରୋଧୀ ଦଳ ପିପିପି ମଧ୍ୟ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ବୟାନକୁ ବିରୋଧ କରି ତାଙ୍କୁ ସବୁଠାରୁ ବଡ଼ ମିଛୁଆ ବୋଲି କହିଛି।

ସମ୍ବନ୍ଧିତ ଖବର