ଜାତିସଂଘ‌ରେ ପୁଣି କଶ୍ମୀର ପ୍ରସଙ୍ଗ ଉଠାଇଲା ପାକ୍‌

ଆଣ୍ଟୋନିଓଙ୍କୁ ଫୋନ୍‌ କଲେ ଇମ୍ରାନ୍‌

ଜାତିସଂଘ: କଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନର ନିଦ ହଜିଯାଇଛି। ବାରମ୍ବାର ଏହା ଅନ୍ତର୍ଜାତୀୟ ସ୍ତରରେ ଏହି ପ୍ରସଙ୍ଗ ଉପସ୍ଥାପନ କରି ନିଜର ଦୁଃଖ ଜଣାଉଛି। ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଶେଷରେ ଫୋନ୍ କରି ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରେସ୍‌ଙ୍କୁ ସମାନ ସମସ୍ୟା ଜଣାଇଛନ୍ତି। ଜାତିସଂଘ ମହାସଚିବ ଆଣ୍ଟୋନିଓଙ୍କ ମୁଖପାତ୍ର ଷ୍ଟେଫାନେ ଦୁଜାରିକ୍‌ ଇମ୍ରାନ୍‌ଙ୍କ ଫୋନ୍‌ କଲ୍‌ ବିଷୟକୁ ସ୍ପଷ୍ଟ କରିଥିବା ବେଳେ ଉଭୟଙ୍କ ମଧ୍ୟରେ ଫୋନ୍‌ରେ କି କଥା ହେଲା ସେ ବାବଦରେ ଅଧିକ କିଛି ବିବରଣୀ ଦେଇନାହାନ୍ତି। ଉଲ୍ଲେଖଯୋଗ୍ୟ, କଶ୍ମୀର ବାବଦରେ ଭାରତ ଏହାର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି। କଶ୍ମୀର ଏହାର ଅବିଚ୍ଛେଦ୍ୟ ଅଂଶ ବୋଲି ଭାରତ କହିଆସୁଥିବା ବେଳେ ଏହାକୁ ନେଇ ସାଲିସ କରାଯିବ ନାହିଁ ବୋଲି ଭାରତ ସରକାର କହିଛନ୍ତି। ଭାରତର ଏଭଳି ଆଭିମୁଖ୍ୟ ନେଇ ଇମ୍ରାନ୍‌ ଫୋନ୍‌ ଯୋଗେ ଜାତିସଂଘ ମୁଖ୍ୟଙ୍କ ନିକଟରେ ଫେରାଦ ହୋଇଥିବା ଜଣାପଡ଼ିଛି। ଏ ନେଇ ଷ୍ଟେଫାନେ କହିଛନ୍ତି, କଶ୍ମୀର ପ୍ରସଙ୍ଗକୁ ନେଇ ଉପୁଜୁଥିବା ବିବାଦ ଉପରେ ନଜର ରଖିବାକୁ ଜାତିସଂଘର ଏକ ପର୍ଯ୍ୟବେକ୍ଷଣକାରୀ ଗୋଷ୍ଠୀ କାର୍ଯ୍ୟ କରୁଛି।

ସମ୍ବନ୍ଧିତ ଖବର