ମୋଦୀଙ୍କ ଅଡ଼ୁଆ ବଢ଼ାଇଲେ ଇମ୍‌ରାନ: ବିଜେପିକୁ ଘେରିଲେ ବିରୋଧୀ

ବିଜେପି କ୍ଷମତାକୁ ଆସିଲେ ହିଁ କଥାବାର୍ତ୍ତା ସମ୍ଭବ

ନୂଆଦିଲ୍ଲୀ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଆଜି ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମର୍ଥନ କରି ଦେଇଥିବା ଏକ ମନ୍ତବ୍ୟ ଏବେ ମୋଦୀଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ଇମ୍ରାନ୍‌ କହିଛନ୍ତି, ଯଦି ଭାରତରେ କଂଗ୍ରେସ ନେତୃତ୍ବାଧୀନ ସରକାର ଆସେ ତେବେ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ସହ ଆଲୋଚନା ପାଇଁ ଏହା ଭୟ କରିପାରେ। ଦକ୍ଷିଣପନ୍ଥୀଙ୍କ ବିରୋଧକୁ ଭୟ କରି କଂଗ୍ରେସ ପାକିସ୍ତାନ ସହ ଆଲୋଚନାରୁ ଦୂରେଇ ରହିପାରେ। କିନ୍ତୁ ଯଦି ଭାରତରେ ପୁଣିଥରେ ମୋଦୀଙ୍କ ନେତୃତ୍ବାଧୀନ ବିଜେପି ସରକାର ଆସେ ତେବେ ଭାରତ ସହ କଥାବାର୍ତ୍ତା ସମ୍ଭବ ହୋଇପାରିବ। ତେବେ ଇମ୍ରାନଙ୍କର ଏହି ବୟାନକୁ ଅସ୍ତ୍ର କରି ବିରୋଧୀ ଦଳଗୁଡ଼ିକ ଆଜି ମୋଦୀଙ୍କ ବିରୋଧରେ ବର୍ଷିଛନ୍ତି। ଶାସକ ଦଳ ବିଜେପି ପାକିସ୍ତାନର ଭାଷା କହୁଛି ବୋଲି ବିରୋଧୀମାନେ କହିଛନ୍ତି।
କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯେୱାଲା ଆଜି ଏକ ଟ୍ବିଟ୍‌ ମାଧ୍ୟମରେ କହିଛନ୍ତି ଯେ ପାକିସ୍ତାନ ମୋଦୀଙ୍କ ସହ ସରକାରୀ ଭାବେ ମେଣ୍ଟ କରିଛି। ମୋଦୀଙ୍କୁ ଭୋଟ୍‌ ଦେବା ପାକିସ୍ତାନକୁ ଭୋଟ୍‌ ଦେବା ସହ ସମାନ। ମୋଦୀଙ୍କ ସବୁ ଗୋପନ କଥା ଏବେ ପଦାରେ ପଡ଼ିଗଲା ବୋଲି ସେ କହିଛନ୍ତି। ‘ପ୍ରଥମେ ନୱାଜ ସରିଫ୍‌ ଆପଣଙ୍କ ବନ୍ଧୁ ଥିଲେ ଆଉ ଏବେ ଇମ୍ରାନ୍ ଖାନ୍‌ ବନ୍ଧୁ ବୋଲି ସେ କହିଛନ୍ତି। ସେହିପରି ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍‌ ମଧ୍ୟ କହିଛନ୍ତି, ମୋଦୀ ଜିତନ୍ତୁ ବୋଲି ପାକିସ୍ତାନ କାହିଁକି ଚାହୁଛି ତାହା ସ୍ପଷ୍ଟ ହେବା ଦରକାର। ମୋଦୀ ଜିତିଲେ ପାକିସ୍ତାନରେ ବାଣ ଫୁଟିବ ବୋଲି ସେ କହିଛନ୍ତି। ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫ୍‌ତି ମଧ୍ୟ ଏହି ପ୍ରସଙ୍ଗରେ ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଓମାର କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଏବେ ମୋଦୀଙ୍କ ପାଇଁ ପ୍ରଚାର କରୁଛନ୍ତି। ମୁଫ୍‌ତି ଇମ୍ରାନ୍‌ଙ୍କ ବୟାନ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ପାକ୍‌ ପ୍ରଧାନମନ୍ତ୍ରୀଙ୍କ ଏଭଳି କଥାକୁ ମୋଦୀ ଭକ୍ତମାନେ ସମର୍ଥନ କରିବେ କି ମୁଣ୍ଡ ବାଡ଼େଇ କାନ୍ଦିବେ ତାହା ଜାଣିପାରୁନାହାନ୍ତି।

ସମ୍ବନ୍ଧିତ ଖବର