ନରମିଲେ ଇମ୍ରାନ, ଭାରତ ସହ ପାକିସ୍ତାନ କେବେ ବି ଯୁଦ୍ଧ ଆରମ୍ଭ କରିବନି

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ବିଚଳିତ ହୋଇ ପଡ଼ିଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏବେ ନରମ ଆଭିମୁଖ୍ୟ ପୋଷଣ କରିଛନ୍ତି। ସେ କହିଛନ୍ତି, ପାକିସ୍ତାନ ଭାରତ ସହିତ କେବେ ବି ଯୁଦ୍ଧ ଆରମ୍ଭ କରିବ ନାହିଁ। ଉଭୟ ଭାରତ ଏବଂ ପାକିସ୍ତାନ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର। ଯଦି ଉତ୍ତେଜନା ବୃଦ୍ଧି ପାଏ ତାହେଲେ ସମଗ୍ର ବିଶ୍ବ ପ୍ରତି ବିପଦ ରହିଛି। ପାକିସ୍ତାନରେ ଶିଖ୍‌ ସମ୍ପ୍ରଦାୟର ଏକ ଉତ୍ସବରେ ଯୋଗଦେଇ ଇମ୍ରାନ ଏହା କହିଛନ୍ତି। ଇମ୍ରାନ କହିଛନ୍ତି ଭାରତକୁ ଏହା ମଧ୍ୟ ଜଣାଇ ଦେବାକୁ ଚାହେଁ ଯେ ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ। ଯୁଦ୍ଧର ବିଜେତା ମଧ୍ୟ କ୍ଷତି ସହିଥାଏ। ଯୁଦ୍ଧ ଯୋଗୁ ବହୁ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ।

୨୦୧୬ରେ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ଗୋଷ୍ଠୀ ପକ୍ଷରୁ ପଠାଣକୋଟର ବାୟୁସେନା ଘାଟିରେ ଆକ୍ରମଣ ହେବା ପରେ ଭାରତ ପାକିସ୍ତାନ ସହ ଆଲୋଚନା କରୁନାହିଁ। ଆତଙ୍କବାଦ ଏବଂ କଥାବାର୍ତ୍ତା ଏକସଙ୍ଗରେ ଚାଲିପାରିବ ନାହିଁ ବୋଲି ଭାରତ କହିଆସୁଛି। ତେବେ ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ସମ୍ପର୍କ ଅଧିକ ଖରାପ ହୋଇଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ପୂର୍ବେ ଟେଲିଫୋନରେ ହୋଇଥିବା କଥାବାର୍ତ୍ତା ସମ୍ପର୍କରେ ମନେ ପକାଇ ଇମ୍ରାନ କହିଛନ୍ତି, ମୁଁ ତାଙ୍କୁ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ କହିଥିଲି। ଏହା ଏକ ବିରାଟ ବଡ଼ ସମସ୍ୟା। ଯଦି ଏହି ସମସ୍ୟାର ସମାଧାନ ନହୁଏ ତାହେଲେ ଉଭୟ ଦେଶରେ ଜଳାଭାବ ଦେଖାଦେବ। ଉଭୟ କଥାବାର୍ତ୍ତା ମାଧ୍ୟମରେ କଶ୍ମୀର ପ୍ରସଙ୍ଗର ସମାଧାନ କରିପାରିବା ବୋଲି ମୋଦୀଙ୍କୁ ମୁଁ କହିଥିଲା। ତେବେ ମୁଁ କଥାବାର୍ତ୍ତା ପାଇଁ ମୁଁ ଯେଉଁ ଉଦ୍ୟମ କରିଛି ଭାରତ ସେଥିପ୍ରତି ଧ୍ୟାନ ଦେଉନାହିଁ। ଭାରତ ସୁପର ପାୱାର ଭଳି ବ୍ୟବହାର କରୁଛି। ତେବେ ଇମ୍ରାନ ଖାନ୍‌ଙ୍କ ମନ୍ତବ୍ୟର କିଛି ଘଣ୍ଟା ପରେ ପାକିସ୍ତାନର ବିଦେଶ ମନ୍ତ୍ରାଳୟ ଏ ନେଇ ସ୍ପଷ୍ଟୀକରଣ ଦେଇଛି। ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ଭିନ୍ନ ଅର୍ଥରେ ନିଆଯାଇଛି। ପାକିସ୍ତାନର ପରମାଣୁ ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ବିଦେଶ ମନ୍ତ୍ରାଳୟ କହିଛି।

ସମ୍ବନ୍ଧିତ ଖବର