ବଢ଼ିଲା ଇମ୍ରାନ୍‌ଙ୍କ ଅଡ଼ୁଆ, ଦାବି ପ୍ରତ୍ୟାଖ୍ୟାନ କଲେ ପୂର୍ବତନ ସିଆଇଏ ନିର୍ଦ୍ଦେଶକ

ନ୍ୟୁୟର୍କ: ପାକିସ୍ତାନ କିଭଳି ୪୦ ହଜାରରୁ ଅଧିକ ଆତଙ୍କବାଦୀଙ୍କ ଆଡ଼ା ପାଲଟିଛି ତାହା ସ୍ବୀକାର କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ନିଜେ ଦେଶରେ ଅଡ଼ୁଆର ସମ୍ମୁଖୀନ ହୋଇଥିବା ବେଳେ ଏବେ ଆଇଏସ୍‌ଆଇକୁ ନେଇ ତାଙ୍କର ବୟାନ ମଧ୍ୟ ସମସ୍ୟା ସୃଷ୍ଟି କରିଛି। ଆତଙ୍କବାଦୀ ବିନ୍‌ ଲାଡେନ୍‌କୁ ଖୋଜିବା ଏବଂ ମାରିବା ପାଇଁ ଆମେରିକାକୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହଯୋଗ କରିଥିଲା। ଲାଡେନ୍‌ର ଉପସ୍ଥିତି ସମ୍ପର୍କ‌ରେ ଆଇଏସ୍‌ଆଇ ହିଁ ପ୍ରଥମେ ଆା‌ମେରିକାର ପ୍ରମୁଖ ଗୁଇନ୍ଦା ସଂସ୍ଥା ସିଆଇଏକୁ ଫୋନ୍‌ ଯୋଗେ ସୂଚନା ଦେଇଥିଲା ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଦୁଇ ଦିନ ତଳେ ଫକ୍ସ ନ୍ୟୁଜ୍‌ ଚ୍ୟାନେଲ୍‌କୁ କହିଥିଲେ। କିନ୍ତୁ ଇମ୍ରାନ୍‌ଙ୍କର ଏହି ମନ୍ତବ୍ୟକୁ ପ୍ରତ୍ୟାଖ୍ୟାନ କରିଛନ୍ତି ପୂର୍ବତନ ସିଆଇଏ ନିର୍ଦ୍ଦେଶକ ଜେନ୍‌ ଡାଭିଡ୍‌ ପେଟ୍ରା‌ଅସ୍‌। ଲାଡ଼େନକୁ ଖୋଜି ପାଇବାରେ ଆଇଏସ୍‌ଆଇର ସହଯୋଗ ଥିବା କଥାକୁ ପ୍ରତ୍ୟାଖ୍ୟାନ କରି ସେ କହିଛନ୍ତି ଲାଡେନକୁ ଆମେ ହିଁ ଠାବ କରିଥିଲୁ ଏବଂ ଏହି ସର୍ବାଧିକ ଗୋପନୀୟ ଖବର ଆଇଏସ୍‌ଆଇ ପାଖରେ ନଥିଲା। ଲାଡେନର ଅପରେସନ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଆମେରିକାର ସ୍ବତନ୍ତ୍ର କମାଣ୍ଡୋ କାର୍ଯ୍ୟକାରୀ କରିଥିଲେ ବୋଲି ସେ କହିଛନ୍ତି।

ଇମ୍ରାନ କେବେ ବି ନେତା ହୋଇପାରିବେ ନାହିଁ: ବିରୋଧୀ
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଆମେରିକା ଗସ୍ତକୁ ପାକିସ୍ତାନର ପ୍ରମୁଖ ବି‌ରୋଧୀ ଦଳ ପାକିସ୍ତାନ ପିପୁଲ୍ସ ପାର୍ଟି ବିରୋଧ କରିଛ। ଇମ୍ରାନ ନିଜକୁ ଦେଶର ଜଣେ ଶାସକ ବୋଲି ଭାବୁଛନ୍ତି ଏବଂ ସେ କେବେ ନେତା ହୋଇପାରିବେ ନାହିଁ ବୋଲି ପିପିପି ଅଧ୍ୟକ୍ଷ ବିଲୱାଲ୍‌ ଭୁଟ୍ଟୋ ଜର୍ଦ୍ଦାନ୍‌ କହିଛନ୍ତି। ଇମ୍ରାନ୍‌ ଦେଶ ବାହାରେ ଯେଭଳି ହାତ ପାତୁଛନ୍ତି ଏବଂ ଦେଶ ଚଳାଇବାର କଳା ଆଦୌ ଜାଣିନାହାନ୍ତି ତାହା ଦେଶ ପାଇଁ ବିପଦ ବୋଲି ବିରୋଧୀ ଦଳ ନେତାମାନେ କହିଛନ୍ତି। ତେବେ ଏହାର ଉତ୍ତରରେ ଇମ୍ରାନ୍‌ କହିଛନ୍ତି , ସେ କେବେ କାହା ପାଖରେ ମୁଣ୍ଡ ନୁଆଁଇନାହାନ୍ତି କି ତାଙ୍କ ଦେଶକୁ ମଧ୍ୟ କାହା ପାଖରେ ମୁଣ୍ଡ ନୁଆଁଇବାକୁ ଦେବେ ନାହିଁ। ପାକିସ୍ତାନକୁ ସାରା ବିଶ୍ବରେ ଏକ ଶ୍ରେଷ୍ଠ ଦେଶରେ ପରିଣତ କରିବା ତାଙ୍କର ଲକ୍ଷ୍ୟ ବୋଲି ଇମ୍ରାନ୍‌ କହିଛନ୍ତି।

ଇମ୍ରାନ୍‌ ଡାହା ମିଛୁଆ ଏବଂ ଆତଙ୍କବାଦୀଙ୍କ ଓକିଲ
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଜଣେ ଡାହା ମିଛୁଆ ଏବଂ ସେ ଆତଙ୍କବାଦୀଙ୍କ ଓକିଲ ବୋଲି ପାକିସ୍ତାନର ବିରୋଧୀ ଦଳ ନେତା କହିଛନ୍ତି। ଇମ୍ରାନ୍‌ ତାଙ୍କ ଆମେରିକା ଗସ୍ତରେ ଆନ୍ତର୍ଜାତୀୟ ସମ୍ପ୍ରଦାୟକୁ ଭୁଲ୍‌ ବାଟରେ ନେବାକୁ ଚେଷ୍ଟା କରୁଛନ୍ତି ବୋଲି ପିପିସି ଏବଂ ପିଏମ୍‌ଏଲ୍‌-ଏନ୍‌ର ବରିଷ୍ଠ ନେତାମାନେ କହିଛନ୍ତି। ପିପିପିର ସାଧାରଣ ସମ୍ପାଦକ ନଫିସା ଶାହ କହିଛନ୍ତି, ଇମ୍ରାନ ଖାନ୍‌ ଜଣେ ଦାଢ଼ି ନଥିବା ତାଲିବାନ୍‌ ଖାନ୍‌ ଭା‌ବେ ବିବେଚିତ ହୋଇଛନ୍ତି। ସେ କେବଳ ଦୁର୍ନୀତିଗ୍ରସ୍ତ ନୁହନ୍ତି ବରଂ ସେ ଆତଙ୍କବାଦୀଙ୍କର ଓକିଲ ବୋଲି ନଫିସା କହିଛନ୍ତି। ଇମ୍ରାନ ନାନା ମିଥ୍ୟା ଓ ବିଭ୍ରାନ୍ତି ସୃଷ୍ଟି କରି ଏବେ ହଟଚଟମ ଚାହୁଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର