ଇମ୍ରାନଙ୍କୁ ଆମେରିକାର ଅସମ୍ମାନ, ସ୍ବାଗତ ପାଇଁ ଆସିଲେନି କୌଣସି ନେତା କି ବରିଷ୍ଠ ଅଧିକାରୀ

ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟକୁ ମେଟ୍ରୋରେ ଗଲେ

ନୂଆଦିଲ୍ଲୀ: ୩ ଦିନିଆ ଆମେରିକା ଗସ୍ତରେ ଯାଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ସେଠାରେ ଘୋର ଅସମ୍ମାନ କରାଯାଇଛି। ଅନ୍ୟ ରାଷ୍ଟ୍ର ମୁଖ୍ୟଙ୍କ ଗସ୍ତ ସମୟରେ ଆମେରିକା ଯେଭଳି ସେମାନଙ୍କୁ ସ୍ବାଗତ କରିଥାଏ ଇମ୍ରାନଙ୍କୁ ତାହାର କାଣିଚାଏ ସମ୍ମାନ ମଧ୍ୟ ପ୍ରଦର୍ଶନ କରାଯାଇ ନାହିଁ। ବିମାନ ବନ୍ଦରକୁ ଇମ୍ରାନଙ୍କୁ ସ୍ବାଗତ କରିବା ଏବଂ ‌ପାଛୋଟି ନେବା ପାଇଁ ଆମେରିକାର କୌଣସି ବରିଷ୍ଠ ରାଜତେନା କିମ୍ବା ସରକାରୀ ଅଧିକାରୀ ଆସି ନାହାନ୍ତି। ବିମାନ ବନ୍ଦରରେ ଇମ୍ରାନଙ୍କୁ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି ଏବଂ ବହୁସଂଖ୍ୟାରେ ପାକିସ୍ତାନୀ ଆମେରିକୀୟ ସ୍ବାଗତ କରିଥିଲେ। ଇମ୍ରାନଙ୍କୁ ସ୍ବାଗତ କରିବା ପାଇଁ ବିମାନ ବନ୍ଦରରେ ଉପସ୍ଥିତ ଥିବା ଆମେରିକାର ଅଧିକାରୀ ଜଣକ ହେଉଛନ୍ତି ଜଣେ ପେଟ୍ରୋ‌କଲ ଅଫିସର।

ଗୁରୁତର ଆର୍ଥିକ ସଙ୍କଟ ଦେଇ ପାକିସ୍ତାନ ଗତି କରୁଥିବାରୁ ଇମ୍ରାନ କାତାର ଏୟାରୱେଜର ବିମାନରେ ଆସି ଆମେରିକାରେ ପହଞ୍ଚିଛନ୍ତି। ଏଥିସହିତ ସେ କୌଣସି ହୋଟେଲରେ ନରହି ଆମେରିକାରେ ଅବସ୍ଥାପିତ ତାଙ୍କ ଦେଶର ରାଷ୍ଟ୍ରଦୂତ ଆସଦ ମଜିଦ୍ ଖାନ୍‌ଙ୍କ ସରକାରୀ ବାସଭବନରେ ରହୁଛନ୍ତି। ଏପରିକି ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପାଇଁ ସେ ତାଙ୍କର ଅନ୍ୟ ପ୍ରତିନିଧିମାନଙ୍କ ସହିତ ମିଶି ମେଟ୍ରୋରେ ଯାତ୍ରା କରିଥିଲେ। ପ୍ରଧାନମନ୍ତ୍ରୀ ହେବା ପରେ ଇମ୍ରାନଙ୍କର ଏହା ପ୍ରଥମ ଆମେରିକା ଗସ୍ତ। ପ୍ରଥମ ଗସ୍ତରେ ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୋମବାର ଭେଟିବା କାର୍ଯ୍ୟକ୍ରମ ରହିଛି। ଏଥିସହିତ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର କାମଚଳା ମୁଖ୍ୟ ଡେଭିଡ ଲିପଟନ ଏବଂ ବିଶ୍ବବ୍ୟାଙ୍କ ସଭାପତି ଡେଭିଡ ମୋଲପାସଙ୍କୁ ମଧ୍ୟ ଭେଟିବେ। ମଙ୍ଗଳବାର ଦିତ ଆମେରିକାର ବିଦେଶ ସଚିବ ମାଇକ ପମ୍ପିଓଙ୍କୁ ଭେଟିବା କାର୍ଯ୍ୟସୂଚୀ ରହିଛି। ସୋମବାର ଦିନ ଓଭାଲ ଅଫିସରେ ଇମ୍ରାନଙ୍କ ସହିତ ଟ୍ରମ୍ପଙ୍କର ୱାନ-ଟୁ-ୱାନ ବୈଠକ ରହିଛି। ଏହାପରେ ଟ୍ରମ୍ପ ସେଠାରେ ପାକିସ୍ତାନର ପ୍ରତିନିଧି ଦଳକୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିବେ। ଆମେରିକାର ସାଂସଦମାନଙ୍କୁ ଭେଟିବା କାର୍ଯ୍ୟକ୍ରମ ମଧ୍ୟ ଇମ୍ରାନଙ୍କର ରହିଛି। ଇମ୍ରାନଙ୍କ ସହିତ ପାକିସ୍ତାନର ବୈଦେଶିକ ସଚିବ ସୋହେଲ ମହମ୍ମଦ ଏବଂ ବାଣିଜ୍ୟ ପରାମର୍ଶଦାତା ଅବଦୁଲ ରଜାକ୍ ଆମେରିକା ଯାଇଛନ୍ତି। ଟ୍ରମ୍ପଙ୍କ ଅମଳରେ ଆମେରିକା ପାକିସ୍ତାନ ଦ୍ବିପାକ୍ଷିକ ସମ୍ପର୍କ ଖରାପ ହୋଇଛି। ଆତଙ୍କବାଦ ବିରୋଧରେ ଠୋସ୍ ପଦକ୍ଷେପ ନେଉ ନଥିବାରୁ ଟ୍ରମ୍ପ ପାକିସ୍ତାନକୁ ଅତୀତରେ କଡ଼ା ସମାଲୋଚନା କରିଛନ୍ତି। ସାମରିକ ସହାୟତା ମଧ୍ୟ ଆମେରିକା ବନ୍ଦ କରିଦେଇଛି।

ସମ୍ବନ୍ଧିତ ଖବର