ଲାହୋର: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପୁଣି ଗିରଫ କରିବା ପାଇଁ ଆଜି ପୁଲିସର ଉଦ୍ୟମ ବିଫଳ ହୋଇଛି। ବରିଷ୍ଠ ପୁଲିସ ଅଧିକାରୀମାନେ ଇମ୍ରାନଙ୍କ ଲାହୋରସ୍ଥିତ ବାସଭବନରେ ଗିରଫ ପରୱାନା ସହ ପହଞ୍ଚିଥିଲେ। ଇମ୍ରାନଙ୍କ ଘରେ ୩୦ରୁ ଅଧିକ ଆତଙ୍କବାଦୀ ଲୁଚି ରହିଛନ୍ତି ବୋଲି ପଂଜାବ ସରକାର ଓ ସେନା ଅଧିକାରୀମାନେ ଦାବି କରିଥିବାରୁ ଏହାର ମଧ୍ୟ ଯାଞ୍ଚ ହୋଇଥିଲା। ଇମ୍ରାନଙ୍କ ଘରେ କୌଣସି ଆତଙ୍କବାଦୀ ନଥିବା ଜଣାପଡ଼ିବା ପରେ ତାଙ୍କୁ ଗିରଫ ପାଇଁ ଯାଇଥିବା ପୁଲିସ ଅଧିକାରୀମାନେ ଖାଲି ହାତରେ ଫେରିବାକୁ ବାଧ୍ୟ ହୋଇଛନ୍ତି। ଅନ୍ୟପକ୍ଷରେ ଗତକାଲି ଇମ୍ରାନଙ୍କୁ ପାକ୍‌ ସେନାର ଏକ କ୍ଷମତାଶଳୀ ଗୋଷ୍ଠୀ ଜେଲ୍‌ ଦଣ୍ଡର ସମ୍ମୁଖୀନ ହେବା କିମ୍ବା ନିର୍ବାସନରେ ଲଣ୍ଡନ ପଠାଇ ଦେବାକୁ ଧମକ ଦେବାପରେ ଏହାକୁ ନେଇ ତାଙ୍କ ସମର୍ଥକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଇମ୍ରାନଙ୍କ ବାସଭବନକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାକୁ ପୁଲିସ ଅବରୋଧ କରି ରଖିଥିଲେ ମଧ୍ୟ ହଜାର ହଜାର ସମର୍ଥକ ଇମ୍ରାନଙ୍କୁ ସୁରକ୍ଷା ଦେବାପାଇଁ ରାସ୍ତାକୁ ଓହ୍ଲାଇଛନ୍ତି। ଇମ୍ରାନଙ୍କୁ ପୁଣି ଗିରଫ କରାଗଲେ ଦେଶବ୍ୟାପୀ ପ୍ରବଳ ହିଂସା ଆରମ୍ଭ ହୋଇଯିବା ଆଶଙ୍କା କରି ଇମ୍ରାନଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା ଗିରଫ କରାଯାଇ ନଥିବା ଜଣାପଡ଼ିଛି।

Advertisment

ସେନା ଆଇନ ଅଧୀନ କେତେକ ମାମଲା ସମେତ ଇମ୍ରାନଙ୍କ ବିରୋଧରେ ଶତାଧିକ ମାମଲା ରହିଥିବା ବେଳେ ଉପରୋକ୍ତ ପ୍ରସ୍ତାବ ବାବଦରେ ସେ ବର୍ତ୍ତମାନ ଦଳର ନେତା ଓ ଘନିଷ୍ଠ ସହଯୋଗୀମାନଙ୍କ ସହ ଆଲୋଚନା କରୁଥିବା ଜଣାପଡ଼ିଛି। ଇମ୍ରାନ ନିଜ ଆଡ଼ୁ ଗିରଫ ପାଇଁ ପ୍ରସ୍ତୁତ ହେବା ନିମନ୍ତେ ତାଙ୍କୁ ସେନା ଅଧିକାରୀମାନେ ଡେଡ୍‌ଲାଇନ୍ ଦେଇଥିବାରୁ ଏହା ବିରୋଧରେ ପିଟିଆଇ ଆନ୍ଦୋଳନ ଆରମ୍ଭ କରିଛି। ଶାସକ ମେଣ୍ଟ ଇମ୍ରାନ୍‌ ଓ ତାଙ୍କ ଦଳ ବିରୋଧରେ ସେନାକୁ ନିୟୋଜିତ କରୁଥିବାରୁ ଏହା ବିସ୍ଫୋରକ ସ୍ଥିତି ଆଣିବ ବୋଲି ଇମ୍ରାନ ଚେତାବନୀ ଦେଇଛନ୍ତି। ଲାହୋରସ୍ଥିତ ଜମାନ ପାର୍କ ନିବାସରୁ ଇମ୍ରାନ କହିଛନ୍ତି ଯେ, ରାଜନୈତିକ ଅସ୍ଥିରତା ଜାରି ରଖିବାକୁ ଚାହୁଥିବା ଏହି ସରକାର ଓ ସେନା ତାଙ୍କୁ ଶେଷ କରିଦେବା ପାଇଁ ଯେଉଁ ଉଦ୍ୟମ କରୁଛି ତାହାକୁ ପାକିସ୍ତାନର ନାଗରିକ ସଫଳ ହେବାକୁ ଦେବେନାହିଁ।