ଜାତିସଂଘରେ ମୁଜାହିଦ୍ଦିନ୍‌ଙ୍କୁ ହିରୋ କହି ଅଡ଼ୁଆରେ ଇମ୍ରାନ

ନ୍ୟୁୟର୍କ: ଜାତିସଂଘ ସାଧାରଣ ପରିଷଦ (ୟୁଏନ୍‌ଜିଏ)ର ୭୬ତମ ଅଧିବେଶନରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଦେଇଥିବା ଏକ ବୟାନ ତାଙ୍କ ପାଇଁ ଘୋର ଅଡ଼ୁଆ ସୃଷ୍ଟି କରିଛି। ‘ମୁଜାହିଦ୍ଦିନଙ୍କୁ ହିରୋ ବୋଲି ବିଚାର କରି ପୂର୍ବତନ ଆମେରିକା ରାଷ୍ଟ୍ରପତି ରୋନାଲ୍‌ଡ ରିଗାନ ସେମାନଙ୍କୁ ହ୍ବାଇଟ୍‌ ହାଉସ୍‌କୁ ଆମନ୍ତ୍ରଣ କରିଥିଲେ’ ବୋଲି ଇମ୍ରାନ୍ କହିବାରୁ ଏହାକୁ ନେଇ ସେ ନିଜ ଦେଶରୁ ତଥା ଅନ୍ତର୍ଜାତୀୟ ସମୁଦାୟ ଦ୍ବାରା କଟୁ ସମାଲୋଚିତ ହୋଇଛନ୍ତି।

ପାକିସ୍ତାନୀ ସାମ୍ବାଦିକ ଘରିଦା ଫାରୁକି ଏହାକୁ ‘ଅନ୍ତର୍ଜାତୀୟ ଲଜ୍ଜା’ ବୋଲି କହିଛନ୍ତି। ସେ କହିଛନ୍ତି, ଏଥର ୟୁଏନ୍‌ଜିଏ ଫୋରମ୍‌ରେ ଏହାଠାରୁ ବଳି ଅନ୍ତର୍ଜାତୀୟ ଲଜ୍ଜା ଆଉ କ’ଣ ଅଛି? ଆମେରିକା ରାଷ୍ଟ୍ରପତି ରୋନାଲ୍‌ଡ ରିଗାନ କେବେହେଲେ ମୁଜାହିଦ୍ଦିନଙ୍କୁ ହିରୋ ବୋଲି କହିନାହାନ୍ତି କି ହ୍ବାଇଟ ହାଉସକୁ ଆମନ୍ତ୍ରଣ କରିନାହାନ୍ତି। ପ୍ରଧାନମନ୍ତ୍ରୀ ଖାନ୍ ଏକ ମିଛ ଖବରକୁ ଉପସ୍ଥାପନ କରିଛନ୍ତି। କିଏ ତାଙ୍କ ପାଇଁ ଭାଷଣ ଲେଖିଥିବା ଲୋକଙ୍କୁ ତୁରନ୍ତ ବିଦା କରାଯାଉ ବୋଲି ଫାରୁକି ଟ୍ବିଟ୍ କରିଛନ୍ତି। ପାକିସ୍ତାନ ବିରୋଧୀ ଦଳ ନେତା ମରିୟମ ନୱାଜ ସରିଫ ମଧ୍ୟ ଇମ୍ରାନଙ୍କ ଅନ୍ତର୍ଜାତୀୟ ଫୋରମ୍‌ରେ ଏ ପ୍ରକାର ଭାଷଣର ନିନ୍ଦା କରିବା ସହ ତାଙ୍କର ଇସ୍ତଫା ଦାବି କରିଛନ୍ତି। ସେ କହିଛନ୍ତି, ଇମ୍ରାନ୍ ଖାନ୍‌ଙ୍କୁ ବିଦା କରାଯାଉ, ତାଙ୍କ ଭାଷଣ ଲେଖକଙ୍କୁ ନୁହେଁ। ଇମ୍ରାନ୍‌ଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବାଛିବା ଏକ ଖରାପ ଚୟନ ବୋଲି ସେ କହିଛନ୍ତି।

କେବଳ ଏତିକି ନୁହେଁ, ଇମ୍ରାନ୍ ଖାନ୍ ଆହୁରି କହିଥିଲେ ଯେ ପାକିସ୍ତାନ ମୁଜାହିଦ୍ଦିନ ଏବଂ ଅଲ୍ କାଏଦା ସମେତ ଅନେକ ଗୋଷ୍ଠୀ ସହ କାମ କରିଆସିଛି। ଏହାଦ୍ବାରା ଅଲ୍‌ କାଏଦା ଓ ଅନ୍ୟ ଆତଙ୍କବାଦୀ ଗୋଷ୍ଠୀ ତିଷ୍ଠି ରହିବାରେ ପାକିସ୍ତାନର ଭୂମିକାକୁ ସେ ସରକାରୀ ଭାବେ ସ୍ବୀକାର କରିଛନ୍ତି। ଇତିମଧ୍ୟରେ ଶିକ୍ଷାବିତ୍ ତଥା ପୂର୍ବତନ ଆଫଗାନ କୂଟନୀତିଜ୍ଞ ମେହମୁଦ ସୈକଲ କହିଛନ୍ତି ଯେ ଖାନ୍‌ଙ୍କ ଆତ୍ମରକ୍ଷା ଅତି ଦୁର୍ବଳ ଏବଂ ସେ କହିଥିବା ଅଧିକାଂଶ କଥା ଭୁଲ୍। ଏବେ ପାକିସ୍ତାନର ଅସଲ ଚେହେରା ଧରାପଡ଼ିଯାଇଛି ଓ ଆଗକୁ ଆହୁରି ଉନ୍ମୋଚିତ ହେବ ବୋଲି ସୈକଲ ଟ୍ବିଟ୍ କରିଛନ୍ତି। ପିଏମ୍‌ଏଲ୍‌-ଏନ୍ ଅଧ୍ୟକ୍ଷ ଶେହବାଜ ସରିଫ କହିଛନ୍ତି ଯେ, ଇମ୍ରାନ ସବୁବେଳେ ମିଥ୍ୟା ଖବରର ଆଶ୍ରୟ ନେଇ ଆସିଛନ୍ତି। ଆଫଗାନ ମୁଜାହିଦ୍ଦିନଙ୍କ ସମ୍ପର୍କରେ ରାଷ୍ଟ୍ରପତି ରିଗାନଙ୍କ ମନ୍ତବ୍ୟକୁ ନେଇ ଇମ୍ରାନ୍ ଖାନ୍ ଯାହା କହିଛନ୍ତି ତାହା ତାଙ୍କର ଅଜ୍ଞତା ବୋଲି ସରିଫ ଟ୍ବିଟ୍ କରିଛନ୍ତି।

ସମ୍ବନ୍ଧିତ ଖବର