ଭାରତର ହିନ୍ଦୁବାଦୀ ମୋଦୀ ସରକାର ପଡ଼ୋଶୀ ଦେଶମାନଙ୍କୁ ଧମକାଉଛନ୍ତି : ଇମ୍ରାନ ଖାଁ

ନୂଆଦିଲ୍ଲୀ : ସୀମାରେ ଭାରତ ଓ ଚୀନ ସେନା ମୁହାଁମୁହିଁ ଥିବାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବୟାନ ଆସିଛି । ସେ କହିଛନ୍ତି ଯେ ଭାରତର ହିନ୍ଦୁ ଜାତୀୟତାବାଦୀ ଦଳ ପଡ଼ୋଶୀ ଦେଶମାନଙ୍କୁ ଧମକାଉଛି ।

ଏକ ଟ୍ୱିଟ କରି ସେ ଲେଖିଛନ୍ତି ଯେ ହିନ୍ଦୁତ୍ୱବାଦୀ ନରେନ୍ଦ୍ର ମୋଦୀ ସରକାର ନିଜର ଅହଂକାରୀ ସଂପ୍ରସାରଣବାଦୀ ନୀତି ଦ୍ୱାରା ପଡ଼ୋଶୀ ଦେଶମାନଙ୍କୁ ଧମକାଉଛି । ଏହି ଦଳର ନୀତିଗୁଡ଼ିକ ନାଜି ଦଳର ନୀତି ସହ ସମାନ ଯାହାକି ପଡ଼ୋଶୀ ଦେଶଗୁଡ଼ିକ ପ୍ରତି ବିପଦ ସୃଷ୍ଟି କରୁଛି । ବାଂଲାଦେଶ ସହ ସିଏଏ ବିବାଦ, ଚୀନ,ପାକିସ୍ତାନ ଓ ନେପାଳ ସହ ସୀମା ବିବାଦ ଏହାର ଉଦାହରଣ ।

 

ଇମ୍ରାନ ନିଜ ଟ୍ୱିଟରେ ପୁଣିଥରେ କଶ୍ମୀର ପ୍ରସଙ୍ଗ ଉଠାଇ ଲେଖିଛନ୍ତି ଯେ ଭାରତ ସରକାରଙ୍କ ଦ୍ୱାରା କଶ୍ମୀରରୁ ଧାରା ୩୭୦ ଉଠାଇବା ବେଆଇନ ଓ ଏହା ଦ୍ୱାରା ଭାରତ ନିଜର ସଂଖ୍ୟାଲଘୁମାନଙ୍କ ଉପରେ ଅତ୍ୟାଚାର କରୁଛି ।

ସୂଚନାଯୋଗ୍ୟ ଯେ ଭାରତ ସରକାର ଗତ ବର୍ଷ ଅଗଷ୍ଟ ମାସରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରିନେଇଥିଲେ । ଏହା ସହିତ ଜମ୍ମୁ-କଶ୍ମୀର ଓ ଲଦାଖକୁ ଅଲଗା ଅଲଗା କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଦେଇଥିଲେ । ଏହାକୁ ନେଇ ପାକିସ୍ତାନ ଭାରତ ବିରୁଦ୍ଧରେ ଲଗାତାର ବିଷୋଦଗାର କରିଆସୁଛି । ବିଭିନ୍ନ ଅନ୍ତର୍ଜାତୀୟ ମଞ୍ଚରେ ଇମ୍ରାନ ଖାଁ ଏହି ପ୍ରସଙ୍ଗ ଉଠାଉଛନ୍ତି ।

ସମ୍ବନ୍ଧିତ ଖବର