ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମାନିଲେ ‘ପାକିସ୍ତାନ ହିଁ ଆତଙ୍କର ମଞ୍ଜି’, ଆମେରିକାକୁ ଦାୟୀ କଲେ

ଇସ୍‌ଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ସ୍ବୀକାର କରିଛନ୍ତି ଯେ ଅନେକ ଆତଙ୍କବାଦୀ ସଂଗଠନ ପାକ୍‌ ମାଟିରେ ଜନ୍ମ ହୋଇଛନ୍ତି ଏବଂ କାୟା ବିସ୍ତାର କରିଛନ୍ତି। ତେବେ ପାକିସ୍ତାନରେ ଏହି ଆତଙ୍କବାଦୀ ସଂଗଠନଗୁଡ଼ିକର ଶକ୍ତି ବୃଦ୍ଧି ପାଇଁ ସେ ଆମେରିକାକୁ ଦାୟୀ କରିଛନ୍ତି।

ଏକ ଟିଭି ଚାନେଲକୁ ସାକ୍ଷାତ ଦେଇ ଇମ୍ରାନ କହିଛନ୍ତି, ୮୦ ଦଶକରେ ଯେତେବେଳେ ସୋଭିଏତ ୟୁନିଅନ୍‌ ଆଫ୍‌ଗାନିସ୍ତାନକୁ ଦଖଲ କରିନେଇଥିଲା ସେତେବେଳେ ସ୍ବାଧୀନତା ପାଇଁ ଜିହାଦ ଆରମ୍ଭ ହୋଇଥିଲା। ଜିହାଦୀମାନଙ୍କ ସଂଖ୍ୟା ବଢ଼ିଲା ଏବଂ ଏଥିପାଇଁ ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ପାଣ୍ଠି ଯୋଗାଉଥିଲା। ଗୋଟିଏ ଦଶନ୍ଧି ମଧ୍ୟରେ ଜିହାଦୀମାନେ ଆତଙ୍କବାଦୀ ପାଲଟି ଯାଇଥିଲେ ଏବଂ ଜିହାଦ ଆତଙ୍କବାଦର ରୂପ ନେଇଥିଲା। ଏହି ମାମଲାରେ ପାକିସ୍ତାନ ନିରପେକ୍ଷ ନୀତି ଧରିବା ଆବଶ୍ୟକ ଥିଲା, କିନ୍ତୁ ଏହା ନହେବାରୁ ପାକିସ୍ତାନକୁ ବିପୁଳ ଆର୍ଥିକ କ୍ଷତି ସହିବାକୁ ପଡ଼ିଛି ଏବଂ ପାକିସ୍ତାନର ୭୦ ହଜାର ଲୋକଙ୍କ ଜୀବନ ଯାଇଛି। ଆମେରିକାର ଭୁଲ୍‌ ନୀତି ଯୋଗୁଁ ପାକିସ୍ତାନ ଏ ପର୍ଯ୍ୟନ୍ତ ଏଥିରୁ ମୁକୁଳି ପାରିନାହିଁ ବୋଲି ସେ କହିଛନ୍ତି। ଆମେରିକା ଯେଉଁମାନଙ୍କୁ ଜିହାଦୀ କହି ସହାୟତା ଦେଉଥିଲା ଆଜି ସେମାନଙ୍କୁ ଆତଙ୍କବାଦୀ ଘୋଷଣା କରୁଛି।

ଇମ୍ରାନ କହିଛନ୍ତି, ଭାରତ ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇବା ପରେ ଏହାକୁ ବିରୋଧ କରି ପାକିସ୍ତାନ ଯେଉଁ ଉଦ୍‌ବେଗ ଜଣାଇଥିଲା ସେଥିପ୍ରତି ବିଶ୍ବ ସମୁଦାୟର ସମର୍ଥନ ମିଳିନାହିଁ।

ସମ୍ବନ୍ଧିତ ଖବର