ଇମ୍ରାନ ଖାନଙ୍କ ବଡ ଘୋଷଣା: ଯେଉଁସ୍ଥାନରେ ଗୁଳି ମାରିଥିଲ, ସେହି ସ୍ଥାନରୁ ବାହାରିବ ବିରୋଧ ଶୋଭାଯାତ୍ରା

ଲାହୋର: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ଏକ ବଡ ଘୋଷଣା କରିଛନ୍ତି | ସେ କହିଛନ୍ତି ଯେ ତାଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ପଞ୍ଜାବ ପ୍ରଦେଶରେ ଯେଉଁ ସ୍ଥାନରେ ଗୁଳି ଚଳାଯାଇଥିଲା, ସେହି ସ୍ଥାନରୁ ମଙ୍ଗଳବାର ଦିନ ଇସଲାମାବାଦ ଅଭିମୁଖେ ବିରୋଧ ଶୋଭାଯାତ୍ରା ଆରମ୍ଭ କରିବ। ଏହି ଆକ୍ରମଣରେ ଇମ୍ରାନ ଖାନଙ୍କ ବ୍ୟତୀତ ଅନ୍ୟ ୧୧ ଜଣ ଆହତ ହୋଇଥିଲେ ଏବଂ ଜଣେ ସମର୍ଥକଙ୍କ ମୃତ୍ୟୁ ଘଟିଥିଲା। ସୂଚନା ମୁତାବକ ଗୁଳି ବାଜିବା ପରେ ଗୁରୁବାର ପିଟିଆଇ ମୁଖ୍ୟଙ୍କର ଅସ୍ତ୍ରୋପଚାର ହୋଇଥିଲା। ଖାନ କହିଛନ୍ତି ଯେ ଆମେ ନିଷ୍ପତ୍ତି ନେଇଛୁ ଯେ ମଙ୍ଗଳବାର ଦିନ ୱାଜିରାବାଦର ସେହି ସ୍ଥାନରୁ ଶୋଭାଯାତ୍ରା ଆରମ୍ଭ ହେବ ଯେଉଁଠାରେ ମୋତେ ଏବଂ ଅନ୍ୟ ୧୧ ଜଣଙ୍କ ଉପରେ ଗୁଳିଚାଳନା ହୋଇଥିଲା |

ଉଲ୍ଲେଖ ଥାଉ କି ୱାଜିରାବାଦ ଅଞ୍ଚଳରେ ଦୁଇଜଣ ବନ୍ଧୁକଧାରୀ ତାଙ୍କ ଉପରେ ଗୁଳି ଚଳାଇଥିବା ବେଳେ ଇମ୍ରାନ ଖାନଙ୍କ ଡାହାଣ ଗୋଡରେ ଗୁଳି ବାଜିଥିଲା। ସେହି ସମୟରେ ଖାନ ଏହି ପଦଯାତ୍ରାର ନେତୃତ୍ୱ ନେଉଥିଲେ। ଆକ୍ରମଣ ପରେ ରାଲିକୁ ସ୍ଥଗିତ ରଖାଯାଇଥିଲା। ସେ କହିଛନ୍ତି ମୁଁ ଲାହୋରରୁ ଶୋଭାଯାତ୍ରାକୁ ସମ୍ବୋଧିତ କରିବି ଏବଂ ଆମର ପଦଯାତ୍ରା ଆସନ୍ତା ୧୦ ରୁ ୧୪ଦିନ ମଧ୍ୟରେ ରାୱଲପିଣ୍ଡିରେ ପହଞ୍ଚିବ। ପିଟିଆଇ ମୁଖ୍ୟ କହିଛନ୍ତି ଯେ ଏହି ପଦଯାତ୍ରା ରାୱଲପିଣ୍ଡିରେ ପହଞ୍ଚିବା ପରେ ସେ ଏଥିରେ ଯୋଗଦେବେ ଏବଂ ନିଜେ ଏହାର ନେତୃତ୍ୱ ନେବେ। ଏହାପୂର୍ବରୁ ପାକିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ଶେଖ ରସିଦ ଅହମ୍ମଦ କହିଛନ୍ତି ଯେ ପିଟିଆଇ ନେତୃତ୍ୱାଧୀନ ବିରୋଧ ପ୍ରଦର୍ଶନ କେବଳ ସାମୟିକ ଭାବେ ସ୍ଥଗିତ ଥିଲା କିନ୍ତୁ ଏହା ବନ୍ଦ ହୋଇନାହିଁ।

ସୂଚନାଯୋଗ୍ୟ ଯେ, ଗୁରୁବାରଦିନ ଇମ୍ରାନ ପଂଜାବ ପ୍ରଦେଶର ଓ୍ବାଜିରାବାଦରେ ରିଅଲ ଫ୍ରିଡମ ରାଲି ( ପ୍ରକୃତ ସ୍ବାଧୀନତା ରାଲି) କରୁଥିବାବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ତାଙ୍କ ଗୋଡ଼ରେ ଗୁଳି ବାଜିବାରୁ ସେ ଆହତ ହୋଇଥିଲେ । ଏହି ଗୁଳିକାଣ୍ଡ ପରେ ପାକିସ୍ତାନର କେତେକ ସ୍ଥାନରେ ହିଂସା ଦେଖାଦେଇଛି । ଏହି ଆକ୍ରମଣର ଦିନକ ପରେ ଇମ୍ରାନ କହିଥିଲେ ଯେ, ତାଙ୍କ ଉପରେ ଆକ୍ରମଣ ହେବ ବୋଲି ସେ ପୂର୍ବରୁ ଜାଣିଥିଲେ । ତାଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ ହୋଇଥିଲା ।

ସମ୍ବନ୍ଧିତ ଖବର