ସେନାକୁ ସଜାଗ କଲା ପାକିସ୍ତାନ

ହାଫିଜ୍‌ ସୟିଦ୍‌ର ସଂଗଠନ  ନିଷିଦ୍ଧ 

ଇସ୍‌ଲାମାବାଦ : ଯେକୌଣସି ସଙ୍କଟର ମୁକାବିଲା ପାଇଁ ପାକିସ୍ତାନ ସେନା ସର୍ବାଧିକ ସତର୍କ ରହିବାକୁ ଆଜି ‌େସଠାର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ପରାମର୍ଶ ଦେଇଛନ୍ତି।  ଭାରତ ପଟୁ ସମ୍ଭାବ୍ୟ ଆକ୍ରମଣର ମୁକାବିଲା ପାଇଁ ସେନା ତୟାର ରହିବାକୁ ସେ କହିଛନ୍ତି। ନୂଆ ପାକିସ୍ତାନ କୌଣସି ବାହ୍ୟ ଶକ୍ତିର ଚାପରେ ନଇଁବ ନାହିଁ ବୋଲି ଇମ୍ରାନ ସୁରକ୍ଷା ବୈଠକରେ କହିଛନ୍ତି। ପୁଲୱାମା ଆକ୍ରମଣ ପରିପ୍ରେକ୍ଷୀରେ ଭାରତ ପାକିସ୍ତାନ ବିରୋଧରେ କୂଟନୈତିକ ଯୁଦ୍ଧ ଆରମ୍ଭ କରିବା ପରେ ଇମ୍ରାନ ଆଜି ଜାତୀୟ ନିରାପତ୍ତା କମିଟିର ଏକ ଜରୁରୀ ବୈଠକ ଡକାଇ ଏସେଂପର୍କରେ ଆଲୋଚନା କରିଛନ୍ତି।

ଅନ୍ୟପକ୍ଷରେ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ୍‌ ହାଫିଜ୍‌ ସୟିଦ୍‌ର ସଂଗଠନ ଜମାତ ଉଦ୍‌ ଦାୱା ଏବଂ ଏହାର ଶାଖା ଅନୁଷ୍ଠାନ ଫଲାହ ଇ ଇନ୍‌ସାନିୟତକୁ ଆଜି ପାକିସ୍ତାନ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି।

ପାକ୍‌ ଜାତୀୟ ନିରାପତ୍ତା କମିଟି ବୈଠକରେ ହାଫିଜ୍‌ର ସଂଗଠନକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ବୋଲି ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରାଳୟର ପ୍ରବକ୍ତା କହିଛନ୍ତି। ହାଫିଜ୍‌ର ସଂଗଠନ ପାକିସ୍ତାନରେ ଉଗ୍ର ଇସ୍‌ଲାମିକ ଚିନ୍ତାଧାରାର ପ୍ରଚାରପ୍ରସାର ଘଟାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି । ଅନ୍ୟପକ୍ଷରେ ହାଫିଜ୍‌ର ସଂଗଠନ ଉପରେ କଟକଣାକୁ ନେଇ ପାକ୍‌ ରାଜନୀତି ସରଗରମ ହୋଇଛି। ପୂର୍ବରୁ ମଧ୍ୟ ହାଫିଜ୍‌କୁ ସରକାର କିଛିଦିନ ପାଇଁ ଗୃହବନ୍ଦୀ କରି ରଖିଥିଲେ ଏବଂ ତା’ର ସଂଗଠନ ଉପରେ କଟକଣା ଲଗାଇଥିଲେ। ତେବେ ଏକ କୋର୍ଟ ରାୟ ପରେ ପାକ୍‌ ସରକାର ହାଫିଜ୍‌ ଉପରୁ ସମସ୍ତ ପ୍ରତିବନ୍ଧକ ହଟାଇଥିଲେ। ଜମ୍ମୁ କଶ୍ମୀରର ପୁଲୱାମାରେ ପାକ୍‌ ଆତଙ୍କବାଦୀ ସଂଗଠନ ଜୈସ୍‌ ଏ ମହମ୍ମଦ ଆତ୍ମଘାତୀ ଆକ୍ରମଣ କରିଥିଲେ ମଧ୍ୟ ଏହି ସଂଗଠନ ବିରୋଧରେ ପାକ୍‌ ସରକାର କିମ୍ବା ସେନା ମୁହଁ ଖୋଲୁନାହାନ୍ତି। ଜୈସ୍‌ ମୁଖ୍ୟ ମସୁଦ୍‌ ଆଝାର ପାକିସ୍ତାନରୁ ଭାରତ ବିରୋଧରେ ତା’ର କାର୍ଯ୍ୟକ୍ରମ ସଂଚାଳନ କରୁଛି ଏବଂ କଶ୍ମୀରକୁ ଲଗାତାର ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଉଛି। ପାକ୍‌ ସେନା ସହାୟତାରେ ଏବେ ଜୈସ୍‌ର ଶତାଧିକ ଆତଙ୍କବାଦୀ ନିୟନ୍ତ୍ରଣ ରେଖା ଅଂଚଳରେ ତାଲିମ ନେଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର