ଓ୍ବାଜିରାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ଗୁଳିମାଡ଼ ହୋଇଛି । ସେ ଓ୍ବାଜିରାବାଦରେ ରିଅଲ ଫ୍ରିଡମ ରାଲି ( ପ୍ରକୃତ ସ୍ବାଧୀନତା ରାଲି) କରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ତାଙ୍କ ଗୋଡ଼ରେ ଗୁଳି ବାଜିବାରୁ ସେ ଆହତ ହୋଇଛନ୍ତି । କିନ୍ତୁ ସେ ବିପଦମୁକ୍ତ ଥିବା ତାଙ୍କ ଦଳ ପିଟିଆଇ ପକ୍ଷରୁ କୁହାଯାଇଛି । ଏହି ଗୁଳିମାଡ଼ରେ ଇମ୍ରାନଙ୍କ ପାଖରେ ଥିବା ପିଟିଆଇ ନେତା ଫୈଜଲ ଜାଭେଦ ବି ଆହତ ହୋଇଛନ୍ତି । ଗୁଳିମାଡ଼ ପରେ ଇମ୍ରାନଙ୍କୁ ତୁରନ୍ତ ଏକ ବୁଲେଟ ପ୍ରୁଫ ଗାଡ଼ି ଭିତରକୁ ନିଆଯାଇଥିଲା ।
ଏହି ଘଟଣାରେ ସମୁଦାୟ ୧୦ ଜଣ ଆହତ ହୋଇଥିବା ସୂଚନା ରହିଛି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଇମ୍ରାନ୍ ଖାନଙ୍କ ବ୍ୟତୀତ ଅନ୍ୟ ଯେଉଁ ରାଜନେତା ଆହତ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଫୈଜାଲ୍ ଜାଭେଦ୍, ଅହମଦ ଚଥା, ଅଲ୍ଲୀ ଜାଇଦି, ଇମ୍ରାନ୍ ଇସମାଇଲ୍ ଓ ଏସ ଏ ହମିଦ ଅଛନ୍ତି।
ପାକିସ୍ତାନୀ ସମ୍ବାଦପତ୍ର ‘ଡନ୍’ର ରିପୋର୍ଟ ଅନୁସାରେ ଗୁଳିମାଡ଼ କରିଥିବା ଆତତାୟୀକୁ ଗିରଫ କରାଯାଇଛି । ପଂଜାବର ମୁଖ୍ୟମନ୍ତ୍ରୀ ପରଭେଜ ଇଲାହୀ ଏହି ଘଟଣାର ତଦନ୍ତ ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।
ପାକିସ୍ତାନର ବିଭିନ୍ନ ଟିଭି ଚ୍ୟାନେଲରେ ଦେଖାଯାଉଥିବା ଫୁଟେଜ ଅନୁସାରେ ଇମ୍ରାନଙ୍କ ଉପରେ ଗୁଳିମାଡ଼ ହେବା ପରେ ସେ ଆହତ ହୋଇଯାଇଥିଲେ । ଏହା ପରେ ତାଙ୍କୁ ଏକ ଗାଡ଼ି ଭିତରକୁ ନିଆଯାଇଥିଲା ।
ପ୍ରଧାନମନ୍ତ୍ରୀ ପଦ ଛାଡ଼ିବା ପରେ ଇମ୍ରାନ ଖାଁ ନିୟମିତ ଭାବେ ସେନା ଓ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ଏହାକୁ ନେଇ ପାକିସ୍ତାନରେ ବିବାଦ ବଢିବାରେ ଲାଗିଛି । ବିଶେଷକରି ସେନା ତାଙ୍କ ଉପରେ କ୍ଷୁବ୍ଧ ଥିବା କୁହାଯାଉଛି । ତେବେ ଏହି ଗୁଳିମାଡ଼ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/WhatsApp-Image-2022-11-03-at-17.32.31.jpeg)