ଇସ୍ଲାମାବାଦ୍: ସାଉଦି ଆରବର ମଦିନାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫ୍ଙ୍କ ବିରୋଧରେ ‘ଚୋର୍-ଚୋର୍’ ସ୍ଲୋଗାନ ଦେବା କାରଣରୁ ପାକିସ୍ତାନ ପଞ୍ଜାବ ପୁଲିସ କ୍ଷମତାଚ୍ୟୁତ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ସମେତ ୧୫୦ଜଣଙ୍କ ନାଁରେ ‘ଏଫ୍ଆଇଆର୍’ ରୁଜୁ କରିଛି।
‘ଏଫ୍ଆଇଆର୍’ ପଞ୍ଜିକୃତ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ କେତେଜଣ ଇମ୍ରାନ୍ ଖାଁଙ୍କ କ୍ୟାବିନେଟ୍ର ସଦସ୍ୟ ଥିଲେ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।
ସେମାନେ କହିଛନ୍ତି, ଶନିବାର ରାତିରେ ପଞ୍ଜାବ ପୁଲିସ ‘ପାକିସ୍ତାନ ତେହରୀକ୍-ଇ-ଇନ୍ସାଫ୍’ର ଅଧ୍ୟକ୍ଷ ଇମ୍ରାନ୍ ଖାଁ ଏବଂ ପୂର୍ବତନ ଫେଡେରାଲ୍ ମନ୍ତ୍ରୀ ଫୱାଦ୍ ଚୌଧୁରୀ, ଶେଖ୍ ରଶୀଦ୍ ଏବଂ ଇମ୍ରାନ୍ ଖାଁଙ୍କର ପୂର୍ବତନ ଉପଦେଷ୍ଟା ଶାହାବାଜ୍ ଗୁଲ୍, ସଂସଦର ଉପବାଚସ୍ପତି କାସିମ୍ ସୂରୀ ଏବଂ ଲଣ୍ଡନସ୍ଥିତ ଇମ୍ରାନ୍ଙ୍କ ଘନିଷ୍ଠ ସହଯୋଗୀ ଅନୀଲ୍ ମୁସାରାତ୍ ଏବଂ ସାହିବଜାଦା ଜହାଙ୍ଗୀରଙ୍କ ନାମରେ ‘ଏଫ୍ଆଇଆର୍’ ପଞ୍ଜିକରଣ କରାଯାଇଛି।
‘ଏଫ୍ଆଇଆର୍’ରେ ଉଲ୍ଲେଖ ଅଛି ଯେ, ଶେହବାଜ୍ ଶରିଫ୍ ଏବଂ ତାଙ୍କ ପ୍ରତିନିଧି ଦଳକୁ ଟାର୍ଗେଟ୍ କରି ଇମ୍ରାନ୍ ଖାଁ ନିଜର ଶତାଧିକ ସମର୍ଥକଙ୍କୁ ସାଉଦି ପଠାଇଥିଲେ। ଏଭଳି ସ୍ଲୋଗାନ୍ ଦେବା ପାଇଁ ଖାଁ ଏବଂ ତାଙ୍କ ଦଳର ଅନ୍ୟ ନେତାମାନେ ଦଳୀୟ କର୍ମୀମାନଙ୍କୁ ନିର୍ଦେଶ ଦେଇଥିଲେ।
ଗୁରୁବାର ରାତିରେ ଶରିଫ୍ ଏବଂ ତାଙ୍କ ପ୍ରତିନିଧି ଦଳ ମଦିନାସ୍ଥିତ ପ୍ରୋଫେଟ୍ଙ୍କ ମସ୍ଜିଦ୍ରେ ପହଞ୍ଚିବା କ୍ଷଣି କେତେକ ତୀର୍ଥଯାତ୍ରୀ ‘ଚୋର୍’ (ଚୋର) ‘ଗଦ୍ଦାର୍’ (ବିଶ୍ବାସଘାତ) ବୋଲି ଚିତ୍କାର କରୁଥିବାର ଭିଡିଓ କ୍ଲିପ୍ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଛି। ଏଭଳି ସ୍ଲୋଗାନ୍ ଦେଇଥିବା ୫ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଥିବା କଥା ସାଉଦି ପୁଲିସ କହିଛି।