କଶ୍ମୀର ‘ଅପପ୍ରଚାର’ କାମଦେଲାନି, ବିଫଳତା ସ୍ବୀକାର କଲେ ଇମ୍ରାନ

ବିଶ୍ବ ସମୁଦାୟର ଭାରତକୁ ପ୍ରାଧାନ୍ୟ, ଜାତିସଂଘ ମହାସଚିବଙ୍କୁ ପତ୍ର ଲେଖିଲେ ପାକ୍‌ ବିଦେଶ ମନ୍ତ୍ରୀ

ନ୍ୟୁୟର୍କ : କଶ୍ମୀରକୁ ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ କରିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଭାରତ ବିରୋଧରେ ଚଳାଇଥିବା ‘ଅପପ୍ରଚାର’ କାମ ଦେଇନାହିଁ। କଶ୍ମୀର ମାମଲାରେ ବିଶ୍ବ ସମୁଦାୟ ଭାରତର ମତକୁ ଗୁରୁତ୍ବ ଦେଇଛି ଏବଂ ପାକିସ୍ତାନର କଥା କେହି ଶୁଣୁନାହାନ୍ତି ବୋଲି ଆଜି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍ ନୈରାଶ ବ୍ୟକ୍ତ କରି କହିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଇମ୍ରାନ କହିଛନ୍ତି, କଶ୍ମୀର ମାମଲାରେ ଆମକୁ ବଡ଼ ଧରଣର କୂଟନୈତିକ ବିଫଳତା ମିଳିଛି ଏବଂ ସମଗ୍ର ବିଶ୍ବ ଭାରତକୁ ଏ କ୍ଷେତ୍ରରେ ଅଗ୍ରାଧିକାର ଦେଇଛି । ଜମ୍ମୁ କଶ୍ମୀରରୁ ଭାରତ ସରକାର ଧାରା ୩୭୦ ହଟାଇବା ପରଠାରୁ ଏହା ବିରୋଧରେ ପାକିସ୍ତାନ ଅଭିଯାନ ଆରମ୍ଭ କରିଥିଲା। ତେବେ ପ୍ରତ୍ୟେକ ଅନ୍ତର୍ଜାତୀୟ ଫୋରମ୍‌ରେ ପାକିସ୍ତାନ କେବଳ ବିଫଳତା ହିଁ ପାଇଥିଲା। ଏହା ସ୍ବୀକାର କରି ଇମ୍ରାନ ଆଜି କହିଛନ୍ତି ଯେ କଶ୍ମୀର ମାମଲାରେ ଆମର କୌଣସି ଯୁକ୍ତିକୁ ଗ୍ରହଣ କରାଯାଇ ନାହିଁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ କୌଣସି ରାଷ୍ଟ୍ର ଚାପ ସୃଷ୍ଟି କରିନାହାନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରେସି ଏବଂ ଜାତିସଂଘରେ ପାକ୍‌ ପ୍ରତିନିଧି ମଲିହା ଲୋଧି ଉପସ୍ଥିତ ଥିଲେ।

ଭାରତ ତା’ର ସୁଦୃଢ଼ ଆର୍ଥିକ ସ୍ଥିତି ଏବଂ କୂଟନୈତିକ ଶକ୍ତି ବଳରେ କଶ୍ମୀରକୁ ନେଇ ନିଜ ମତ ପ୍ରତି ସମର୍ଥନ ହାସଲ କରିବାରେ ସକ୍ଷମ ହୋଇଛି ଏବଂ ଆମେ ଏ କ୍ଷେତ୍ରରେ ନିରାଶ ହୋଇଛୁ ବୋଲି ଇମ୍ରାନ କହିଛନ୍ତି। ଭାରତ ୧୨୦ କୋଟି ଲୋକଙ୍କ ଦେଶ ଏବଂ ଏକ ବିଶାଳ ବଜାର ବ୍ୟବସ୍ଥା ବିରୋଧରେ ଯିବାକୁ ଅନ୍ୟ ରାଷ୍ଟ୍ରମାନେ ଚାହୁନାହାନ୍ତି ବୋଲି ଇମ୍ରାନ କହିଛନ୍ତି। ଏବେ ସବୁଆଡ଼ୁ ନିରାଶ ହେବା ପରେ ପାକ୍‌ ବିଦେଶ ମନ୍ତ୍ରୀ କଶ୍ମୀର ମାମଲାରେ ଆଜି ଜାତିସଂଘ ମହାସଚିବ ଏଣ୍ଟୋନିଓ ଗଟ୍‌ରେସ୍‌ଙ୍କୁ ପତ୍ର ଲେଖି ଜାତିସଂଘର ହସ୍ତକ୍ଷେପ ଏହି ମାମଲାରେ ଅତି ଜରୁରୀ ବୋଲି ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର