ଇସ୍ଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଓ ଗିରଫ ପରଓ୍ବାନା ପ୍ରତ୍ୟାହୃତ ହୋଇଛି । ଇସ୍ଲାମାବାଦ ହାଇକୋର୍ଟର ଏକ ୫-ଜଣିଆ ଖଣ୍ଡପୀଠ ଇମ୍ରାନଙ୍କ କ୍ଷମାପ୍ରାର୍ଥନା ଓ ଆଚରଣରେ ସନ୍ତୁଷ୍ଟ ହେବା ସହ ତାଙ୍କୁ ଅଦାଲତ ଅବମାନନା ଅଭିଯୋଗରୁ ଦୋଷମୁକ୍ତ କରିଛନ୍ତି  ।

Advertisment

ଅଦାଲତ ଅବମାନନା ଅଭିଯୋଗରେ ଗତ ଶୁକ୍ରବାରଦିନ ଇମ୍ରାନଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି ହୋଇଥିଲା । ଗତ ଅଗଷ୍ଟ ମାସ ୨୦ରେ ଇସ୍ଲାମାବାଦରେ ଅନୁଷ୍ଠିତ ଏକ ଜନସଭାରେ ସେ ଜିଲ୍ଲା ଜଜ୍ ଜେବା ଚୌଧୁରୀଙ୍କ ବିରୋଧରେ ବୟାନ ଦେଇଥିଲେ ।

ପିଟିଆଇ କର୍ମୀ ଶେହବାଜ୍ ଗିଲଙ୍କୁ ଦୁଇଦିନିଆ ରିମାଣ୍ଡରେ ନେବାକୁ ପୁଲିସ କରିଥିବା ଆବେଦନକୁ ଜିଲ୍ଲା ଜଜ୍ ଜେବା ଚୌଧୁରୀ ମଂଜୁର କରିଥିଲେ । ଏହାରୁ ବିରୋଧ କରି ଇମ୍ରାନ କହିଥିଲେ ଯେ ଜଜ୍ ଚୌଧୁରୀ ଏହାର ପରିଣତି ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ । ଏହା ସହିତ ସେ ଇସ୍ଲାମାବାଦର ଆଇଜି ଓ ଡିଆଇଜିଙ୍କୁ ବି ଧମକାଇଥିଲେ । ଏହାକୁ ନେଇ ଇମ୍ରାନଙ୍କ ନାଁରେ ଅଭିଯୋଗ କରାଯାଇଥିଲା । ଇସ୍ଲାମାବାଦର ମର୍ଗାଲା ପୁଲିସ ଷ୍ଟେସନରେ ମାଜିଷ୍ଟ୍ରେଟ୍ ଅଲି ଜାଭେଦ ଏକ ଏଫଆଇଆର ରୁଜ୍ଜୁ କରିଥିଲେ । ତେବେ ଏହି ମାମଲାରେ କୋର୍ଟରେ ହାଜିର ହେବାକୁ ପୂର୍ବରୁ ଇମ୍ରାନ ଖାଁଙ୍କୁ ନୋଟିସ୍ ପଠାଯାଇଥିଲେ ବି ସେ ଆସିନଥିଲେ । ଫଳରେ କୋର୍ଟ ତାଙ୍କ ନାଁରେ ଓ୍ବାରେଣ୍ଟ ଜାରି କରିଛନ୍ତି ।