ନିଜ ଦଳରେ ଏକୁଟିଆ ହୋଇଗଲେ ଇମ୍ରାନ, ସେନା ଭୟରେ ହାତ ଛାଡ଼ିଦେଲେ ଘନିଷ୍ଠ ସହଯୋଗୀ

ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପାଇଁ ବିପଦ ବଢିଚାଲିଛି । ସେନା ବିରୋଧରେ ସେ ଲଢୁଥିବା ଲଢେଇରେ ଧୀରେ ଧୀରେ ତାଙ୍କ ସହଯୋଗୀମାନେ ତାଙ୍କୁ ତ୍ୟାଗ କରିଚାଲିଛନ୍ତି । ନିଜ ଦଳରେ ବି ସେ ଏକୁଟିଆ ହୋଇଯାଇଛନ୍ତି ।

ଇମ୍ରାନଙ୍କ ମୁକ୍ତି ଦାବିରେ ଗତ ୯ ତାରିଖରେ ତାଙ୍କ ଦଳର ନେତା ଓ ସମର୍ଥକମାନେ ରାଜରାସ୍ତାକୁ ଓହ୍ଲାଇଥିଲେ ଓ ଜଳାପୋଡ଼ା କରିଥିଲେ । ଏବେ ସେମାନେ ତାଙ୍କ ଦଳ ଛାଡ଼ି ଚାଲିଯାଉଛନ୍ତି। ଗତ କିଛି ଦିନ ହେବ ଅନେକ ନେତା ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ)କୁ ବିଦାୟ ଦେଇଛନ୍ତି। ଗୁରୁବାର ୩ ଜଣ ଓ ଶୁକ୍ରବାର ଜଣେ ବଡ଼ ନେତା ପିଟିଆଇ ଛାଡ଼ିଛନ୍ତି। ଅନେକ ନେତା କହିଛନ୍ତି ଯେ ମେ ୯ ର ହିଂସାରେ ସେମାନେ ଦୁଃଖିତ । ସେନାର କାର୍ଯ୍ୟାନୁଷ୍ଠାନ ଭୟରେ ସେମାନେ ଏପରି କରୁଥିବା ମନେକରାଯାଉଛି ।

କିଏ କିଏ ଦଳ ଛାଡ଼ିଲେ ?

ଇମ୍ରାନଙ୍କ ଘନିଷ୍ଠ ଫିରଦୌସ୍ ଆଶିକ୍ ଆୱାନ୍ ଶୁକ୍ରବାର ଇସ୍ତଫା ଦେଇଛନ୍ତି । ୨୦୧୯ରୁ ୨୦୨୦ ପର୍ଯ୍ୟନ୍ତ କାର୍ଯ୍ୟ କରିଥିବା ୫୩ ବର୍ଷୀୟ ଆଓ୍ଵାନ୍ କହିଛନ୍ତି ଯେ ଇମ୍ରାନ୍ ଓ ପାକିସ୍ତାନ ମଧ୍ୟରେ ଏବେ ରାସ୍ତା ଭିନ୍ନ। ଗୁରୁବାର ମଲ୍ଲିକା ବୁଖାରୀ, ଜାମସେଦ ଚିମା ଏବଂ ମୁସାରତ ଜାମସେଦ ଚିମା ପାର୍ଟିକୁ ବିଦାୟ ଦେଇଥିଲେ । ଇମ୍ରାନଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ସୂଚନା ମନ୍ତ୍ରୀ ଫୱାଦ ଚୌଧୁରୀ ବୁଧବାର ଦଳ ଛାଡ଼ିଥିଲେ । ତାହାର ଗୋଟିଏ ଦିନ ପୂର୍ବରୁ ପାକିସ୍ତାନର ପୂର୍ବତନ ମନ୍ତ୍ରୀ ତଥା ଇମ୍ରାନ ଖାନଙ୍କ ଘନିଷ୍ଠ ସହଯୋଗୀ ଶିରିନ ମଜାରୀ ବି ଇସ୍ତଫା ଦେଇଥିଲେ । ସେହିପରି ଇମ୍ରାନଙ୍କ ଅର୍ଥନୈତିକ ଦଳର ମୁଖ୍ୟ ତଥା ତାଙ୍କର ଜଣେ ଘନିଷ୍ଠ ସହଯୋଗୀ ଅସଦ୍ ଉମର ଦଳର ସମସ୍ତ ପଦବୀରୁ ଇସ୍ତଫା ଦେଇଛନ୍ତି।

ସମ୍ବନ୍ଧିତ ଖବର