ତଦନ୍ତ ଆରମ୍ଭ କଲା ‘ଏଫ୍‌ଆଇଏ’; ଉପହାର ମିଳିଥିବା ହାରକୁ ୧୮୦ ନିୟୁତ ଟଙ୍କାରେ ବିକ୍ରୟ କରିଛନ୍ତି ଇମ୍ରାନ୍‌ ଖାଁ

ଇସ୍‌ଲାମାବାଦ୍‌: ଉପହାର ମିଳିଥିବା ଗୋଟାଏ ହାରକୁ ବିକ୍ରି କରିଥିବା ଅଭିଯୋଗରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ବିରୋଧରେ ‘ପାକିସ୍ତାନ ଫେଡେରାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ (ଏଫ୍‌ଆଇଏ) ପ୍ରଥମ ତଦନ୍ତ ଆରମ୍ଭ କରିଥିବା କଥା ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।

‘୨୪ନିଉଜ୍‌ ଏଚ୍‌ଡି ଟିଭି’ ଚାନେଲ୍‌ ରିପୋର୍ଟ ଅନୁସାରେ, ‘ତୋଷଖାନା’ର (ରାଷ୍ଟ୍ରୀୟ ଉପହାର ଭଣ୍ଡାର) ଗୋଟାଏ ହାର ବିକ୍ରୟ ଘଟଣା ସଂକ୍ରାନ୍ତରେ ‘ଏଫ୍‌ଆଇଏ’ ତଦନ୍ତ ଆରମ୍ଭ କରିଛି। ଏହି ହାରଟିକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ଅନ୍ୟତମ ଘନିଷ୍ଠ ସହଯୋଗୀ ଜୁଲ୍‌ଫି ବୁଖାରିଙ୍କ ମାଧ୍ୟମରେ ଲାହୋରର ଜଣେ ଅଳଙ୍କାର ବିକ୍ରେତାଙ୍କୁ ୧୮୦ ନିୟୁତ ଟଙ୍କାରେ ବିକ୍ରୟ କରାଯାଇଥିଲା। ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଅଧା ଦାମ୍‌ ଦେଇ ଉପହାରଗୁଡ଼ିକୁ ବ୍ୟକ୍ତିଗତ ଭାବେ କିଣା ଯିବାର ବିଧି ଅଛି। କିନ୍ତୁ, ଏଥିପାଇଁ ଇମ୍ରାନ୍‌ ଖାଁ ମାତ୍ର ଅଳ୍ପ କେତେ ଲକ୍ଷ ଟଙ୍କା ଜମା କରିଛନ୍ତି। ଏଭଳି କାର୍ଯ୍ୟ ଆଇନ ସମ୍ମତ ନୁହେଁ।

Image Courtesy of India TV News

ବିଦେଶୀ ପାକିସ୍ତାନୀଙ୍କ ବ୍ୟାପାର ସଂକ୍ରାନ୍ତରେ ବୁଝାଶୁଝା କରୁଥିବା ପୂର୍ବତନ ସ୍ବତନ୍ତ୍ର ସହଯୋଗୀ ସୟେଦ୍‌ ଜୁଲ୍‌ଫିକର୍‌ ବୁଖାରି ମଙ୍ଗଳବାର ଦିନ ଉପରୋକ୍ତ ଘଟଣାକୁ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି, ଏଥିରେ କୌଣସି ସତ୍ୟତା ନାହିଁ। ସେ ‘ଜିଓ ନିଉଜ୍‌’କୁ କହିଛନ୍ତି ଯେ, ଉପରୋକ୍ତ ହାର ପ୍ରସଙ୍ଗରେ କୌଣସି କଥାବାର୍ତ୍ତା ହୋଇନାହିଁ। ହାର ସମ୍ବନ୍ଧୀୟ ଅଭିଯୋଗ ଅଭିସନ୍ଧିମୂଳକ ତଥା ଭିତ୍ତିହୀନ।

ସମ୍ବନ୍ଧିତ ଖବର