ବଢୁଛି ଇମ୍ରାନ ଖାଁଙ୍କ ପ୍ରତି ବିପଦ, ବିରୋଧୀଙ୍କ ସହ ହାତ ମିଳାଇଲେ ପିଟିଆଇ ସାଂସଦ

ଇସଲାମାବାଦ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ପ୍ରତି ବିପଦ ବଢିଚାଲିଛି । ସେ ଆସନ୍ତା ଏପ୍ରିଲ ୩ ତାରିଖରେ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ଯାଉଥିବାବେଳେ ତାଙ୍କ ନିଜ ଦଳର ସାଂସଦମାନେ ବିରୋଧୀ ଦଳମାନଙ୍କ ସହ ହାତ ମିଳାଇବା ଆରମ୍ଭ କରିଛନ୍ତି ।

ଇମ୍ରାନଙ୍କ ରାଜନୈତିକ ଦଳ ପାକିସ୍ତାନ-ତେହେରିକ-ଏ-ଇନସାଫ (ପିଟିଆଇ) ଦଲରୁ ଫୈସଲାବାଦ ସାଂସଦ ଥିବା ଚୌଧୁରୀ ଅସିମ ନାଜିର ବିରୋଧୀ ପାକିସ୍ତାନ ମୁସଲିମ ଲିଗ୍ (ନଓ୍ବାଜ)ରେ ସାମିଲ ହୋଇଛନ୍ତି । ସେ ମଧ୍ୟ ପିଟିଆଇର ସଂସଦୀୟ ସଚିବ ପଦ ଛାଡ଼ିଛନ୍ତି । କିଛି ଦିନ ପୂର୍ବରୁ ପିଏମଏଲ (ଏନ) ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ଭାଇ ସାହବାଜ ସରିଫଙ୍କ ସହ ତାଙ୍କୁ ଦେଖାଯାଇଥିଲା ।

ଗତ ସୋମବାର ଦିନ ପାକିସ୍ତାନ ନ୍ୟାସନାଲ ଆସେମ୍ବଲିରେ ଇମ୍ରାନ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି । ଆସନ୍ତା ଗୁରୁବାରଠାରୁ ଏହି ପ୍ରସ୍ତାବ ଉପରେ ବିତର୍କ ଆରମ୍ଭ ହେବ । ଆସନ୍ତା ଏପ୍ରିଲ ୩ରେ ଭୋଟ ଗ୍ରହଣ ହେବ ।

ସୂଚନାଯୋଗ୍ୟ ଯେ, ପାକିସ୍ତାନର ପ୍ରମୁଖ ଦୁଇ ବିରୋଧୀ ଦଳ ପାକିସ୍ତାନ ମୁସଲିମ ଲିଗ-ନଓ୍ବାଜ୍ (ପିଏମଏଲ-ଏନ)ଓ ପାକିସ୍ତାନ ପିପୁଲ୍ସ ପାର୍ଟି ପକ୍ଷରୁ ଏହି ଅନସ୍ଥା ପ୍ରସ୍ତାବ ଆଗତ କରାଯାଇଛି । ଅନାସ୍ଥା ପ୍ରସ୍ତାବ ଗୃହୀତ ହେବା ପାଇଁ ୩୪୨ ସଦସ୍ୟ ବିଶିଷ୍ଟ ପାକିସ୍ତାନ ଜାତୀୟ ଆସେମ୍ବଲିରେ ଅତିକମରେ ୧୭୨ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ।

 

ସମ୍ବନ୍ଧିତ ଖବର