ପାକ୍‌ ପାର୍ଲାମେଣ୍ଟରେ କଶ୍ମୀର ପ୍ରସଂଗ: ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ଘେରିଲେ ବିରୋଧୀ

ଇସ୍‌ଲାମବାଦ୍‌: ଭାରତ ଗତକାଲି ଧାରା-୩୭୦କୁ ରଦ୍ଦ କରିବା ପରେ ପାକିସ୍ତାନରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। କଶ୍ମୀର ପ୍ରସଙ୍ଗ ଉପରେ ଆଲୋଚନା ଲାଗି ଆଜି ପାକିସ୍ତାନ ପାର୍ଲାମେଣ୍ଟର ଦୁଇ ସଦନର ମିଳିତ ବୈଠକ ଆହ୍ଵାନ କରାଯାଇଥିଲା। ଏହି ବୈଠକରେ ପାକିସ୍ତାନର ବିରୋଧୀ ଦଳ ନେତାମାନେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଆକ୍ରୋଶ ବ୍ୟକ୍ତ କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ କଶ୍ମୀରକୁ ନେଇ ମୋଦୀ ସରକାର କି ପ୍ରକାର ରଣନୀତି ଆପଣାଇବେ ତାହା ଧରିବାରେ ଇମ୍ରାନ ବିଫଳ ହୋଇଛନ୍ତି। ଏଥିସହ ଭାରତ ସରକାର ଧାରା ୩୭୦ ଉଚ୍ଛେଦ ଭଳି ପଦକ୍ଷେପ ନେଇଥିବା ବେଳେ ପାକିସ୍ତାନ ସରକାର ଏହା ବିରୋଧ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଛନ୍ତି।

ମାତ୍ର ଏହି ବୈଠକରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଅନୁପସ୍ଥିତ ଥିବାରୁ ବିରୋଧୀ ଦଳ ପକ୍ଷରୁ ପ୍ରବଳ ହଟ୍ଟଗୋଳ କରାଯାଇଥିଲା। ପରିସ୍ଥିତି ଅଶାନ୍ତ ହେବା ଦେଖି ବାଚସ୍ପତି ନିଜ ଆସନ ଛାଡ଼ି ଚାଲିଯାଇଥିଲେ। ଫଳରେ ପାକିସ୍ତାନ ପାର୍ଲାମେଣ୍ଟରେ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବା ଆଗରୁ ବନ୍ଦ ହୋଇଯାଇଛି।

ସମ୍ବନ୍ଧିତ ଖବର