ନୂଆଦିଲ୍ଲୀ: ପାକିସ୍ତାନର ଇମ୍ରାନ ଖାନଙ୍କ ସରକାର ଉପରେ ଏବେ ବିପଦର କଳାବାଦଲ ଛାଇ ହୋଇଯାଇଛି । ପାକିସ୍ତାନ ସିନେଟ୍ ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିପିପି ପାର୍ଟିର ବରିଷ୍ଠ ନେତା ୟୁସୁଫ୍ ରାଜା ଗିଲାନୀ ଇସଲାମାବାଦରୁ ବିଜୟୀ ହୋଇଛନ୍ତି । ସେଠାରେ ତାଙ୍କୁ ୧୬୯ଟି ଭୋଟ ମିଳିଥିବା ବେଳେ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ପରାଜୟ ବରଣ କରିଛି।

Advertisment

ଅନ୍ୟପଟେ ପିଡିଏସ୍ ନେତା ମାରିୟମ ନୱାଜ ସରିଫ୍  ବି ଇମ୍ରାନ ଖାନ ସରକାର ଉପରେ ଚାପ ପକାଇବା ସହ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ଘୋଷଣା କରିଛନ୍ତି । ୧୧ଟି ରାଜନୈତିକ ଦଳର ମିଳିତ ବୈଠକ ପରେ ଏହା କରାଯିବ ବୋଲି କୁହାଯାଇଛି । ସେପଟେ ସିନେଟ୍ ନିର୍ବାଚନରେ ଇମ୍ରାନ ଖାନଙ୍କ ସରକାରରେ ଅର୍ଥମନ୍ତ୍ରୀ ହାରିବା ପରେ ବିଶ୍ୱାସ ମତ ହାସଲ କରିବାକୁ ଚେଷ୍ଟା ଚଳାଇଛନ୍ତି।

ଇମ୍ରାନ ଖାନଙ୍କ ନିକଟତମ ସହଯୋଗୀ ତଥା ଅର୍ଥମନ୍ତ୍ରୀ ଅବ୍ଦୁଲ ହଫିଜ୍ ଶେଖ ବୁଧବାର ଦିନ ସିନେଟ ନିର୍ବାଚନରେ ୟୁସୁଫ୍ ରାଜା ଗିଲାନୀଙ୍କଠାରୁ ପରାଜିତ ହୋଇଛନ୍ତି ।  ଇମ୍ରାନ ଖାନ୍ ପିଟିଆଇ ଅଧ୍ୟକ୍ଷ ଥିବାରୁ ସେ ତାଙ୍କ ଦଳର ପ୍ରାର୍ଥୀଙ୍କୁ ଜିତାଇବାକୁ ପ୍ରୟାସ କରିଥିଲେ । ହେଲେ ପିପିପି ନେତା ଗିଲାନୀ ବିରୋଧୀ ମେଣ୍ଟରୁ ପ୍ରାର୍ଥୀ ହୋଇ ମଧ୍ୟ ବିଜୟଲାଭ କରିଥିଲେ । ଗିଲାନୀଙ୍କ ବିଜୟ ପରେ ବିରୋଧୀଦଳ ଦାବି କରିଥିଲା କି ଇମ୍ରାନ ଖାନ୍ ତୁରନ୍ତ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ।

ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଇମ୍ରାନ ସରକାରରେ ବିଦେଶ ମନ୍ତ୍ରୀ ଥିବା ମହମ୍ମୁଦ କୁରେସୀ କହିଥିଲେ କି ପ୍ରଧାନମନ୍ତ୍ରୀ ବିଶ୍ୱାସମତ ହାସଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । କ୍ଷମତାରେ ଥିବା ସରକାରୀ ଦଳର ଉପାଧ୍ୟକ୍ଷ କୁରେସୀ ଆହୁରି କହିଛନ୍ତି କି ଏହା ଉପରେ ଦଳୀୟ ବୈଠକରେ ଆଲୋଚନା କରାଯାଇ ସବିଶେଷ ନିଷ୍ପତ୍ତି ଗ୍ରହଣ କରାଯିବ।