ଭାରତ ସ୍ବାଧୀନ, କିନ୍ତୁ ଆମେ ଚାକର : ଇମ୍ରାନ

କରାଚି : ପାକିସ୍ତାନ ସରକାରଙ୍କୁ ପୁଣି ଥରେ କଠୋର ଭାଷାରେ ସମାଲୋଚନା କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ସେ କହିଛନ୍ତି ଯେ ଭାରତ ରୁଷଠାରୁ ଶସ୍ତାର ତେଲ କିଣି ପେଟ୍ରୋଲ, ଡିଜେଲ ଦର କମାଇଦେଲା, କିନ୍ତୁ ଆମେରିକାର ଚାକରମାନେ ତେଲ ଦର ବଢାଇଦେଇଛନ୍ତି ।

ଏହା ପ୍ରମାଣିତ କରୁଛି ଯେ ଭାରତ ହେଉଛି ସ୍ବାଧୀନ, କିନ୍ତୁ ଆମେ (ପାକିସ୍ତାନି)ମାନେ ହେଉଛୁ ଚାକର । ସେଇକାବାଦଠାରେ ନିଜ ଦଳ ପାକିସ୍ତାନ ତେହରିକ-ଏ-ଇନସାଫ(ପିଟିଆଇ)ର କର୍ମୀମାନଙ୍କୁ ସମ୍ବୋଧନ କରି ସେ ଏହା କହିଛନ୍ତି ।

ଏକ ମୁକ୍ତ ବୈଦେଶିକ ନୀତି ଗ୍ରହଣ କରିଥିବାରୁ ସେ ଭାରତକୁ ପ୍ରସଂଶା କରିଛନ୍ତି ଓ କହିଛନ୍ତି ଯେ, ଆମେରିକାର କଟକଣା ଧମକ ସତ୍ତ୍ବେ ଭାରତ ରୁଷରୁ ଶସ୍ତା ଦରରେ ତେଲ ମଗାଇପାରୁଛି ।

ଆମ ଦେଶ ମଧ୍ୟ ରୁଷରୁ ୩୦ ପ୍ରତିଶତ ରିହାତିରେ ତେଲ ମଗାଇବାକୁ ଚୁକ୍ତି କରିଥିଲା, କିନ୍ତୁ ଏକ ଷଡ଼ଯନ୍ତ୍ର କ୍ରମେ ଆମେ ଦେଶ ସେଥିରୁ ଓହରି ଯାଇଥିଲା । ପାକିସ୍ତାନ ପ୍ରଗତି ହାସଲ କରିବାକୁ ହେଲେ ମୁକ୍ତ ବୈଦେଶିକ ନୀତି ଗ୍ରହଣ କରିବାକୁ ହେବ ବୋଲି ଇମ୍ରାନ କହିଛନ୍ତି ।

ତାଙ୍କ ଦଳର କର୍ମୀମାନଙ୍କ ଉପରେ ଅତ୍ୟାଚାର କରୁଥିବାରୁ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ, ଗୃହମନ୍ତ୍ରୀ ରାଣା ସନାଉଲ୍ଲାଙ୍କୁ ସମାଲୋଚନା କରିଛନ୍ତି । ଇସଲାମାବାଦକୁ ଆଉ ଏକ ବଡ଼ ରାଲି ପାଇଁ ପ୍ରସ୍ତୁତ ରହିବାକୁ ସେ ଯୁବକମାନଙ୍କୁ ଆହ୍ବାନ ଜଣାଇଛନ୍ତି ।

 

 

ସମ୍ବନ୍ଧିତ ଖବର