ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ହେଲେ କୋଭିଡ୍‌ ସଂକ୍ରମିତ; ଆଶୁ ଆରୋଗ୍ୟ କାମନାକଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କରୋନାଭାଇରସରୁ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଶନିବାର କରାଇଥିବା କୋଭିଡ୍‌-୧୯ ପରୀକ୍ଷଣରେ ପଜିଟିଭ୍‌ ରୂପେ ଚିହ୍ନଟ ହୋଇଛନ୍ତି। ନିଜ ଟୁଇଟର ହ୍ୟାଣ୍ଡେଲରେ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, କୋଭିଡ୍‌-୧୯ରୁ ଆଶୁ ଆରୋଗ୍ୟ କରମନା କରୁଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଶୁଭେଚ୍ଛା।

ଉଲ୍ଲେଖଯୋଗ୍ୟ, ଆଜି (ଶନିବାର) ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ କୋଭିଡ୍‌-୧୯ ପାଇଁ ପରୀକ୍ଷଣ ପାଇଁ ନିଜର ନମୁନା ପରୀକ୍ଷା କରିଥିଲେ। ପରୀକ୍ଷା ରିପୋର୍ଟରେ ସେ କୋଭିଡ୍‌-୧୯ ପଜିଟିଭ୍‌ ଥିବା ଜଣା ପଡ଼ିଥିଲା। ଏହାପରେ ଏବେ ଘରେ ଏକାନ୍ତବାସରେ ଅଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌। ଜାତୀୟ ସ୍ୱାସ୍ଥ୍ୟ ସେବା, ନିୟମାବଳୀ ଏବଂ ସମନ୍ଵୟ ଉପରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହକାରୀ ଡ ଫୈଜଲ ସୁଲତାନ ଏହି ଖବରକୁ ନିଶ୍ଚିତ କରିଛନ୍ତି।  କୋଭିଡ୍‌ ଟିକାର ପ୍ରଥମ ଡୋଜ୍‌ ନେବାପରେ ପ୍ରଧାନମନ୍ତ୍ରୀ ଖାନ କରୋନାଭାଇରସ ପାଇଁ ପଜିଟିଭ୍‌ ପରୀକ୍ଷା କରିଥିଲେ।

ପ୍ରଥମ ପର୍ଯ୍ୟାୟରେ ଚାଲିଥିବା ଦେଶବ୍ୟାପୀ କରୋନାଭାଇରସ୍‌ ଟୀକାକରଣ ଅଭିଯାନର ଏକ ଅଂଶ ଭାବରେ ଗୁରୁବାର ଦିନ ୬୮ ବର୍ଷୀୟ ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କୁ ଟୀକାକରଣ କରାଯାଇଥିଲା। ପାକିସ୍ତାନରେ ଉପଲବ୍ଧ ଥିବା ଚୀନ୍‌ ଉତ୍ପାଦିତ ସିନୋଫାରମ ଟୀକାକରଣର ପ୍ରଥମ ଡୋଜ୍‌ ନେଇଥିଲେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ। ଚୀନ୍‌ ଅନୁଦାନ ପ୍ରାପ୍ତ ଟିକା ପାକିସ୍ତାନକୁ ଆସିବା ପରେ ଗତ ଫେବ୍ରୁଆରିରୁ ସେଠାରେ ଟୀକାକରଣ ଡ୍ରାଇଭ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର