ମାଲେସିଆ ଗସ୍ତ ଲାଗି ଭାରତର ଆକାଶପଥ ବ୍ୟବହାର କରିବେନି ଇମ୍ରାନ

ଇସ୍‌ଲାମାବାଦ : ବିମାନ ଯୋଗେ ମାଲେସିଆ ଗସ୍ତ କରିବାକୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍ ଭାରତୀୟ ଆକାଶପଥ ବ୍ୟବହାର କରିବେ ନାହିଁ। ସୋମବାର ଠାରୁ ଦୁଇଦିନିଆ ମାଲେସିଆ ଗସ୍ତରେ ଯାଇଥିବା ଖାନ୍ ଭାରତୀୟ ଆକାଶପଥ ବ୍ୟବହାର ନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏକ ବିବୃତିରେ ବୈଦେଶିକ କାର୍ଯ୍ୟାଳୟ ମୁଖପାତ୍ର ଐଶା ଫାରୁକ୍ୱି କହିଛନ୍ତି, ମାଲେସିଆ ପ୍ରଧାନମନ୍ତ୍ରୀ ମହାଥିର ମହମଦଙ୍କ ଆମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ କୁଆଲାଲମ୍ପୁର ଯାଉଛନ୍ତି। ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବା ବେଳେ ଖାନ୍ କାଶ୍ମୀର ପ୍ରସଙ୍ଗ ଉଠାଇବେ ବୋଲି ଅନୁମାନ କରାଯାଉଛି। କାଶ୍ମୀର ପରିସ୍ଥିତି ଯୋଗୁଁ ଇମ୍ରାନ୍‌ ଭାରତୀୟ ଆକାଶପଥ ବ୍ୟବହାର ନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିବା କଥା ‘ଏଆର୍‌ଓ୍ଵାଇ ନିଉଜ୍‌’ ସୂଚନା ଦେଇଛି। ପୁଲ୍‌ଵାମା ଆକ୍ରମଣ ପର ଠାରୁ କେତେଗୁଡ଼ିଏ ଘଟଣା ଯୋଗୁଁ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ତୀବ୍ର ହୋଇଛି। ଫଳରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶ ଗସ୍ତ ସମୟରେ ପାକିସ୍ତାନ ତା’ର ଆକାଶପଥ ବ୍ୟବହାର କରିବାକୁ ଅନୁମତି ଦେଇ ନ ଥିଲା। ଏ ପ୍ରସଙ୍ଗରେ ଭାରତ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ ସିଭିଲ୍‌ ଏଭିଏସନ୍‌ ଅର୍ଗାନାଇଜେସନ୍‌’ ନିକଟରେ ଫେରାଦ ହୋଇଥିଲା।

ସମ୍ବନ୍ଧିତ ଖବର