ଆମେରିକା ଓ ଚୀନ୍ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଚାହୁଁଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍

ଇସଲାମାବାଦ: ପାକିସ୍ତାନରେ ବିରୋଧୀ ଦଳ ସଂସଦରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ବିରୋଧରେ ଅବିଶ୍ଵାସ ପ୍ରସ୍ତାବ ଆଣିବାକୁ ଯାଉଛି। ଏପରି ପରିସ୍ଥିତିରେ ଇମ୍ରାନ୍ ଚୀନ୍ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାର ସ୍ଵପ୍ନ ଦେଖୁଛନ୍ତି। ଏହା ପୂର୍ବରୁ ଇମ୍ରାନ୍ ଇରାନ ଓ ସାଉଦି ଆରବ ମଧ୍ୟରେ ମଧ୍ୟସ୍ଥତା କରିବାର ଇଚ୍ଛା ପ୍ରକାଶ କରିଥିଲେ। ଏକ ସାକ୍ଷାତକାରରେ ସେ କାଶ୍ମୀର ବିବାଦକୁ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିବାକୁ ହେବ ବୋଲି ବୟାନ ଦେଇଛନ୍ତି।

ଇମ୍ରାନ୍ ଖାନ୍ ଚୀନର ସରକାରୀ ନ୍ୟୁଜ୍ ଚ୍ୟାନେଲକୁ ଏକ ସାକ୍ଷାତକାର ଦେଇ କେତେକ ଗୁରୁତ୍ଵପୂର୍ଣ୍ଣ ବିଷୟରେ ନିଜର ମତ ରଖିଛନ୍ତି। ୪ ଦିନିଆ ଚୀନ୍ ଗସ୍ତରେ ଯାଇ ଇମ୍ରାନ୍ ଫେବୃଆରୀର ୪ରେ ଶୀତକାଳୀନ ଅଲିମ୍ପିକ୍ ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ।

ସାକ୍ଷାତକାରରେ ଇମ୍ରାନ୍ ଖାନ୍ କହିଛନ୍ତି, ଆମେ ଚାହୁଁନୁ ଯେ ପୃଥିବୀରେ ଆଉ ଏକ ଶୀତଳ ଯୁଦ୍ଧ ହେଉ। ଆମେରିକା ସହ ଆମର ଭଲ ସମ୍ପର୍କ ଅଛି। ଚୀନ୍ ସହିତ ଘନିଷ୍ଠ ସମ୍ପର୍କ ଅଛି। ଶୀତଳ ଯୁଦ୍ଧ ଦ୍ଵାରା କାହାରି ଲାଭ ହେବ ନାହିଁ। ଏହା ଦ୍ଵାରା ତ ସମସ୍ତଙ୍କର କେବଳ କ୍ଷତି ହିଁ ହୋଇଥାଏ। ୧୯୭୦ରେ ଆମେ ଚୀନ୍ ଓ ଆମେରିକା ମଧ୍ୟରେ ମଧ୍ୟସ୍ଥତା କରିଥିଲୁ। ବର୍ତ୍ତମାନ ବି ମୁଁ ଚୀନ୍ ଓ ଆମେରିକାଙ୍କୁ ସମାନ ପ୍ରସ୍ତାବ ଦେଉଛି। ଆମେ ଚାହୁଁ ନାହୁଁ ଯେ ଆମେରିକା ଓ ଚୀନ୍ ମଧ୍ୟରେ ଆମକୁ କୌଣସି ଗୋଟିଏ ଦେଶ ବାଛିବାକୁ ପଡୁ। ଚୀନ୍ ଓ ପାକିସ୍ତାନ ଦୁଇଟି ଦେଶ ସହ ଭାରତର ବିବାଦ ଅଛି। କାଶ୍ମୀର ବିଷୟକୁ ନେଇ ଆମର ଭାରତ ସହ ବିବାଦ ଅଛି। ଆଶା କରୁଛୁ କଥାବାର୍ତ୍ତା ମାଧ୍ୟମରେ ଭବିଷ୍ୟତରେ କାଶ୍ମୀର ସମସ୍ୟାର ସମାଧାନ ହୋଇଯିବ।

ଆଫଗାନିସ୍ତାନ ଉପରେ ଇମ୍ରାନ୍ ନିଜ ବାର୍ତ୍ତାରେ କହିଛନ୍ତି, ପାକିସ୍ତାନ ଓ ଚୀନ୍ ଗୋଟିଏ କଥାକୁ ସମର୍ଥନ କରନ୍ତି, ତାହା ହେଲା ଆଫଗାନିସ୍ତାନର ଲୋକେ ୪୦ ବର୍ଷ ହେଲା ଯୁଦ୍ଧ ଛଡା ଆଉ କିଛି ଦେଖି ନାହାନ୍ତି। ପ୍ରଥମ ଥର ପାଇଁ ଏଠାରେ ଶାନ୍ତିର ଆଶା ଜାଗ୍ରତ ହୋଇଛି। ପାକିସ୍ତାନ ଓ ଚୀନ୍ ଆଫଗାନିସ୍ତାନକୁ ସାହାଯ୍ୟ କରିବାକୁ ଚାହାନ୍ତି।

ସମ୍ବନ୍ଧିତ ଖବର