ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କହିଛନ୍ତି ଯେ ୧୯୭୧ ମସିହାରେ ବାଂଲାଦେଶର ସୃଷ୍ଟି ହୋଇଥିବା ଭଳି ସମାନ ଘଟଣା ପୁନରାବୃତ୍ତି ହେଉଛି। ଏଭଳି ପରିସ୍ଥିତିରେ ଦେଶ ପୁଣି ଖଣ୍ଡଖଣ୍ଡ ହେବା ବିଷୟରେ ଜେଲରେ ଥିବା ଇମ୍ରାନ ଚେତାବନୀ ଦେଇଛନ୍ତି। ନିଜର ଏକ୍ସ ହ୍ୟାଣ୍ଡେଲରେ ଏକ ଭିଡ଼ିଓ ‌ସେୟାର କରି ସେ ଲେଖିଛନ୍ତି ଯେ ବାଂଲାଦେଶ ସୃଷ୍ଟି ପାଇଁ ଶେଖ୍ ମୁଜିବୁର୍ ରହେମାନ୍ ଦାୟୀ ନୁହନ୍ତି। ଏଥିପାଇଁ ଏକଛତ୍ରବାଦୀ ଏହିୟା ଖାନ୍ ଏବଂ ତାଙ୍କର ନିକଟତର କେତେକ ସେନା ଅଧିକାରୀ ଦାୟୀ।

Advertisment

ପ୍ରତ୍ୟେକ ପାକିସ୍ତାନୀ ହାମୁଦୁର ର‌ହେମାନ ଆୟୋଗର ରିପୋର୍ଟ ପଢ଼ିବା ଉଚିତ ଏବଂ ଦେଶର ବିଭାଜନର ପ୍ରକୃତ ଦେଶଦ୍ରୋହୀ ଜେନେରାଲ ଏହିୟା ଖାନ୍ ଅବା ଶେଖ ମୁଜିବୁର ରହମାନ କି ନାହିଁ ତାହା ଜାଣିବା ଉଚିତ।

ଇମ୍ରାନ ସେୟାର କରିଥିବା ଭିଡିଓରେ କୁହାଯାଇଛି ଯେ ଦେଶର ବିଭାଜନ ପାଇଁ ଶେଖ ମୁଜିବରଙ୍କୁ ଯେଉଁଭଳି ଭାବେ ଦାୟୀ କରାଯାଇଛି ଏବଂ ତାଙ୍କୁ ଦେଶଦ୍ରୋହୀ କୁହାଯାଇଛି, ତାହା ସତ୍ୟ ନୁହେଁ। ମୁଜିବର ଦେଶର ସମ୍ବିଧାନରେ ବିଶ୍ୱାସ କରୁଥିଲେ ଏବଂ ପାକିସ୍ତାନ ସହିତ ରହିବାକୁ ଚାହୁଁଥିଲେ। ସେହି ବ୍ୟକ୍ତି କଠିନ ପରିଶ୍ରମ ସହିତ ନିର୍ବାଚନ ଲ ଢ଼ିଥିଲେ ଏବଂ ଲୋକଙ୍କ ବିଶ୍ୱାସ ଜିତିଥିଲେ କିନ୍ତୁ ଜେନେରାଲ ଏହିୟା ତାଙ୍କୁ କଦାପି ଗ୍ରହଣ କରି ନ ଥିଲେ। ପୂର୍ବ ପାକିସ୍ଥାନକୁ ଏକାଠି ରଖିବା ପାଇଁ ଏହିୟା କୌଣସି ଉଦ୍ୟମ କରି ନ ଥିଲେ।

ହାମୁଦୁର ରହେମାନ ଆୟୋଗର ରିପୋର୍ଟକୁ ଦର୍ଶାଇ ଭିଡିଓରେ କୁହାଯାଇଛି ପୂର୍ବ ପାକିସ୍ତାନରେ ମୁଜିବର ସବୁଠାରୁ ଅଧିକ ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ନେତା ଥିଲେ। ସେ ଗଣତନ୍ତ୍ର ଅନୁଯାୟୀ ତାଙ୍କର ଅଧିକାର ଚାହୁଁଥିଲେ। ନିଜ କ୍ଷମତାକୁ ବଞ୍ଚାଇବା ପାଇଁ ଏହିୟା ବଙ୍ଗୀୟମାନଙ୍କୁ ନିର୍ଯାତନା ଦେଇଥିଲେ ଏବଂ ସମ୍ବିଧାନ ତଥା ନିୟମକୁ ଅଣଦେଖା କରି କାର୍ଯ୍ୟ କରିଥିଲେ। ମୁଜିବରଙ୍କର ସେନାବାହିନୀ ନଥିବା ସତ୍ତ୍ୱେ ସେନା କୋର୍ଟ ଦ୍ୱାରା ଗିରଫ କରାଯାଇଥିଲା। ଏହିୟା ବଙ୍ଗୀୟମାନଙ୍କୁ ସବୁ ପ୍ରକାର ଲୁଣ୍ଠନ କରିଥିଲେ। ସେମାନଙ୍କ ଟଙ୍କା ଲୁଟ ହେବା ସହିତ ସେମାନଙ୍କର ନର ସଂହାର କରାଯାଇଥିଲା।

ଭିଡିଓରେ ବାଂଲାଦେଶରେ ପାକିସ୍ତାନୀ ସେନା ଦ୍ୱାରା କରାଯାଇଥିବା ଅତ୍ୟାଚାର ବିଷୟରେ ଉଲ୍ଲେଖ କରି କୁହାଯାଇଛି ଅପରେସନ୍ ସମୟରେ ସର୍ଚ୍ଚ ଲାଇଟ୍ ଚଳାଇ ଏହିୟାଙ୍କ ସେନା ବଙ୍ଗୀୟ ବୁଦ୍ଧିଜୀବୀ ତଥା ରାଜନୈତିକ ବିରୋଧୀଙ୍କୁ ଅତି ନିର୍ମମ ଭାବରେ ସଂହାର କରିଥିଲା। ବହୁ ସଂଖ୍ୟକ ସଂଖ୍ୟାଲଘୁ ଦଳିତ ତଥା ବଙ୍ଗୀୟ ମହିଳାମାନେ ବଳାତ୍କାର ହୋଇଥିଲେ। ଶତ୍ରୁ ବିରୁଦ୍ଧରେ ଲଢ଼ିବା ପାଇଁ ନିଜ ଲୋକଙ୍କୁ ଦମନ କରିବାରେ ନିୟୋଜିତ ଥିବା ଏକ ସେନା ପାଇଁ ଏହା ଉଚିତ୍ ନୁହେଁ। ଫଳାଫଳ ହେଲା ଜେନେରାଲ ନିଆଜି ଦୁଇ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିଥିଲେ। ପାକିସ୍ତାନୀ ସେନା ଭାରତୀୟ ସେନାକୁ ଯୁଦ୍ଧରେ ହରାଇଲା ଏବଂ ନିଆଜି ଅପମାନିତ ହୋଇ ଚୁକ୍ତିନାମା ସ୍ୱାକ୍ଷର କରିବାକୁ ବାଧ୍ୟ ହୋଇଥିଲେ।

ଇମ୍ରାନ ସେୟାର କରିଥିବା ଏହି ଭିଡିଓରେ ଆହୁରି କୁହାଯାଇଛି, 'ଯଦି ଲୋକମାନେ ମୁଜିବରଙ୍କୁ ନିର୍ବାଚିତ କରିଥାନ୍ତେ ତେବେ ତାଙ୍କୁ କାହିଁକି କ୍ଷମତା ହସ୍ତାନ୍ତର କରାଯାଇ ନ ଥିଲା? ଆମେ ଭାବିବା ଉଚିତ୍ ମୁଜିବର ଦେଶଦ୍ରୋହୀ ନା ଜେନେରାଲ ଏହିୟା ଯିଏ ତାଙ୍କ ଅଧିକାର ଛଡ଼ାଇ ନେଇଥିଲେ। ନିଜକୁ ପଚାରନ୍ତୁ କିଏ ଦେଶ ଭାଙ୍ଗିଛି, ମୁଜିବର କିମ୍ବା ୟାହିୟାଙ୍କ ଭୁଲ ନିଷ୍ପତ୍ତି। ୧୯୭୧ରେ ଯାହା ଘଟିଥିଲା, ଆଜି ମଧ୍ୟ ସମାନ ଘଟଣା ଘଟୁଛି ।

ଆଜି ମଧ୍ୟ ଲୋକମାନଙ୍କ ଦ୍ୱାରା ନିର୍ବାଚିତ ହୋଇଥିବା ଦଳ ପିଟିଆଇକୁ କ୍ଷମତା ଦିଆଯାଇ ନାହିଁ। ଏହାର ନେତା ଇମ୍ରାନ ଖାନ୍‌ଙ୍କୁ ଜେଲରେ ରଖାଯାଇଛି। ଯେଉଁମାନେ ଲୋକମାନଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ ହୋଇଥିଲେ ସେମାନଙ୍କୁ କ୍ଷମତାରେ ରଖାଯାଇଛି।
ଇମ୍ରାନଙ୍କ ଦଳର ପିଟିଆଇର ନେତା ତଥା କେପି ମୁଖ୍ୟମନ୍ତ୍ରୀ ଅଲି ଆମିନ ଗାନ୍ଧପୁର ମଧ୍ୟ ପାକିସ୍ତାନ ସରକାର ଏବଂ ସେନା ପ୍ରତି କଠୋର ମନୋଭାବ ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ଇମ୍ରାନ ଖାନ ୧୯୭୧ମସିହାରେ ସେନାର ଭୂମିକା ଉପରେ ପ୍ରଶ୍ନ ଉଠାଇ ବର୍ତ୍ତମାନର ସେନା ମୁଖ୍ୟଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଏବଂ ସେନା ମଧ୍ୟରେ ବଢୁଥିବା ତିକ୍ତତାକୁ ଦର୍ଶାଉଛି।