ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିଚାଲିଛି। ମୁତାହିଦା କ୍ବାମି ମୁଭ୍ମେଣ୍ଟ (ଏମ୍କ୍ୟୁଏମ୍) ସମେତ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)ର କେତେକ ସହଯୋଗୀ ଦଳ ବିରୋଧୀମାନଙ୍କ ପକ୍ଷରୁ ତାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟ ଅନୁସାରେ କେବଳ ସହଯୋଗୀ ଦଳ ନୁହନ୍ତି ପିଟିଆଇର କେତେକ ଏମ୍ପି ମଧ୍ୟ ତାଙ୍କ ବିରୋଧରେ ଆସନ୍ତାକାଲି ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବା ସମ୍ଭାବନା ରହିଛି। ସୂଚନା ଅନୁସାରେ ଇମ୍ରାନ୍ଙ୍କ ପରେ ଶେହବାଜ ସରିଫ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ଏବଂ ତା’ର କିଛିଦିନ ପରେ ନିର୍ବାଚନ ହେବ। ସରିଫ ହେଉଛନ୍ତି ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ବିରୋଧୀ ଦଳ ନେତା ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ଙ୍କ ଭାଇ। ଏ ସମ୍ବନ୍ଧରେ ପ୍ରକାଶିତ ରିପୋର୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଇମ୍ରାନ୍ କହିଲେ ଯେ, ସେ ଦୁର୍ନୀତିଗ୍ରସ୍ତ, ଚୋର ଓ ଭଣ୍ଡ ବିରୋଧୀ ଦଳଙ୍କ ଆଗରେ ମୁଣ୍ଡ ନୁଆଁଇବେ ନାହିଁ।
କୌଣସି ପରିସ୍ଥିତିରେ ବି ସେ ଇସ୍ତଫା ଦେବେ ନାହିଁ। ଶେଷ ବଲ୍ ପର୍ଯ୍ୟନ୍ତ ସେ ଖେଳିବେ ଏବଂ ଶେଷ ମୁହୂର୍ତ୍ତରେ ସେ ବିରୋଧୀଙ୍କୁ ଚକିତ କରିଦେବେ ବୋଲି କହିଛନ୍ତି। ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି ଯେ ପିଟିଆଇ ସରକାର ଦେଶର ସାମ୍ପ୍ରତିକ ଆର୍ଥିକ ଦୁରବସ୍ଥା ଓ ଆକାଶଛୁଆଁ ଦରଦାମ୍ ବୃଦ୍ଧି ପାଇଁ ଦାୟୀ। ଜିଓ ନ୍ୟୁଜ୍ର ରିପୋର୍ଟ ଅନୁସାରେ ମୁତାହିଦା କ୍ବାମି ମୁଭ୍ମେଣ୍ଟ-ପାକିସ୍ତାନ (ଏମ୍କ୍ୟୁଏମ୍-ପି), ପାକିସ୍ତାନ ମୁସ୍ଲିମ୍ସ ଲିଗ୍-କ୍ବାଇଡ୍ (ପିଏମ୍ଏଲ୍-କ୍ୟୁ) ଏବଂ ବେଲୁଚିସ୍ତାନ ଆୱାମି ପାର୍ଟି (ବିଏପି) ସେମାନଙ୍କ ୧୭ ସଦସ୍ୟଙ୍କ ସହ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବେ। ପାକିସ୍ତାନ ଡେମୋକ୍ରାଟିକ୍ ମୁଭ୍ମେଣ୍ଟ (ପିଡିଏମ୍)ର ମୁଖ୍ୟ ମୌଲାନା ଫଜଲୁର ରେହମାନ କହିଛନ୍ତି ଯେ ଅନ୍ୟ ବିରୋଧୀ ନେତାମାନଙ୍କ ସହ କଥାବାର୍ତ୍ତା କରିବା ପରେ ସେ ନିଶ୍ଚିତ ଅଛନ୍ତି ଯେ ଏ ଅନାସ୍ଥା ପ୍ରସ୍ତାବ ସଫଳ ହେବ। ୩୪୨ ସଦସ୍ୟ ବିଶିଷ୍ଟ ପାକିସ୍ତାନ ସଂସଦରେ ପିଟିଆଇର ସଦସ୍ୟ ସଂଖ୍ୟା ୧୫୫। ଅନ୍ୟ ଦଳଗୁଡ଼ିକର ୨୩ ଜଣ ସଦସ୍ୟଙ୍କ ସମର୍ଥନ ପାଇ ଇମ୍ରାନ୍ ଖାନ୍ଙ୍କ ଦଳ ଶାସନ କରୁଛି। ଖାନ୍ଙ୍କୁ ହଟାଇବା ପାଇଁ ବିରୋଧୀ ଦଳକୁ ୧୭୨ଟି ଭୋଟ୍ର ଆବଶ୍ୟକତା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/imran-khan-1.jpg)