କରାଚୀ: ପାକିସ୍ତାନରେ ପୁଣିଥରେ ରାଜନୈତିକ ହଟଚମଟ ଆରମ୍ଭ ହୋଇଛି। ଦେଶ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ପାକିସ୍ତାନ ତେହରିକ୍ ଏ ଇନ୍ସାଫ୍ (ପିଟିଆଇ)କୁ ନିଷିଦ୍ଧ କରାଯିବ ବୋଲି ପାକିସ୍ତାନ ସରକାର ଘୋଷଣା କରିଛି। ସେହିଭଳି ପାକିସ୍ତାନର ଆତଙ୍କବାଦ ନିରୋଧ କୋର୍ଟ ପୂର୍ବତନ ପିଟିଆଇ ଉପାଧ୍ୟକ୍ଷ ତଥା ପୂର୍ବ ବିଦେଶମନ୍ତ୍ରୀ ଶାହ ମହମ୍ମଦ କୁରେସିଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ଅପରପକ୍ଷରେ, ଇମ୍ରାନ୍ ଖାନ୍ ଏଭଳି ପଦକ୍ଷେପକୁ ‘ବିବ୍ରତ ପଦକ୍ଷେପ’ ବୋଲି ଅଭିହିତ କରି ପାକିସ୍ତାନ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।
୨୦୨୩ ମଇ ୯ ତାରିଖ ହିଂସାରେ, ସଦମାନ ପୁଲିସ ଥାନା ପୋଡ଼ିବା, ପୁଲିସ ଓ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିବା ମାମଲାର ଶୁଣାଣି ଆଜି ଥିଲା। ଏହି ମାମଲାରେ ପାକିସ୍ତାନର ଆତଙ୍କବାଦ ନିରୋଧ କୋର୍ଟ ପିଟିଆଇର ପୂର୍ବ ଅଧ୍ୟକ୍ଷ ତଥା ପୂର୍ବ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରେସି (୬୮)ଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ଏହାପରେ, ପାକିସ୍ତାନ ସରକାରଙ୍କ ପକ୍ଷରୁ ପିଟିଆଇକୁ ନିଷିଦ୍ଧ ଘୋଷଣା କରାଯାଇଛି। ଦେଶ ବିରୋଧୀ କାର୍ଯ୍ୟକଳାପରେ ଇମ୍ରାନ୍ ଖାନ୍ (୭୧) ଓ ତାଙ୍କ ଦଳର ଦୁଇ ବରିଷ୍ଠ ନେତାଙ୍କ ସମ୍ପୃକ୍ତି ପ୍ରମାଣିତ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଦେଶର ସୂଚନା ମନ୍ତ୍ରଣାଳୟ ପକ୍ଷରୁ ଜାରି ପ୍ରେସ୍ ବାର୍ତ୍ତାରେ କୁହାଯାଇଛି। ପାକିସ୍ତାନ ସରକାରଙ୍କ ଏଭଳି ପଦକ୍ଷେପକୁ ଇମ୍ରାନ୍ ଖାନ୍ ତୀବ୍ର ବିରୋଧ କରିଛନ୍ତି।
ଆମେରିକା ସଂସଦରେ ପାକିସ୍ତାନ ନିର୍ବାଚନରେ ରିଗିଂ ନେଇ ପ୍ରସ୍ତାବ ଓ ସିଫର ମାମଲା ନିମନ୍ତେ ପିଟିଆଇକୁ ନିଷିଦ୍ଧ କରାଯିବା ପଛରେ କେବଳ ରାଜନୈତିକ ଉଦ୍ଦେଶ୍ୟ ରହିଛି ବୋଲି କହିଛନ୍ତି। ସୂଚନାଯୋଗ୍ୟ ଇମ୍ରାନ୍ ଖାନ୍ ବର୍ତ୍ତମାନ ରାୱଲପିଣ୍ଡିର ଆଦିଆଲା ଜେଲ୍ରେ ବନ୍ଦୀ ଅଛନ୍ତି। ତାଙ୍କ ବିରୋଧରେ ୨୦୦ରୁ ଊର୍ଦ୍ଧ୍ବ ବିଭିନ୍ନ ଅପରାଧିକ ମାମଲା ରୁଜୁ ହୋଇଛି।