ଲାହୋର: ପାକିସ୍ତାନ ଏକ ଆସନ୍ନ ବିପର୍ଯ୍ୟୟ ଆଡ଼କୁ ମୁହାଁଉଛି ଏବଂ ଦେଶ ପୂର୍ବ ପାକିସ୍ତାନ ଭଳି ବିଭାଜନ ଆଡ଼କୁ ଗତି କରିପାରେ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଚେତାବନୀ ଦେଇଛନ୍ତି। ଶାସକ ମେଣ୍ଟ ତାଙ୍କ ଦଳ ବିରୋଧରେ ସେନାକୁ ନିୟୋଜିତ କରିବାକୁ ଷଡ଼୍‌ଯନ୍ତ୍ର କରୁଥିବା ସେ ଅଭିଯୋଗ କରିଛନ୍ତି। ନିଜ ଲାହୋରସ୍ଥିତ ଜମାନ ପାର୍କ ନିବାସରୁ ଏକ ଭିଡ଼ିଓ-ଲିଙ୍କ ଉଦ୍‌ବୋଧନରେ ୭୦ ବର୍ଷୀୟ ପିଟିଆଇ ନେତା କହିଛନ୍ତି ଯେ, ରାଜନୈତିକ ଅସ୍ଥିରତା ଦୂର କରିବାର ଏକମାତ୍ର ବାଟ ହେଉଛି ଯଥାଶୀଘ୍ର ନିର୍ବାଚନ କରାଇବା। ଇମ୍ରାନ କହିଛନ୍ତି, ପିଡିଏମ୍‌ ନେତାମାନେ ତଥା ଇଂଲଣ୍ଡରେ ଅଜଣା ସ୍ଥାନରେ ରହୁଥିବା ନୱାଜ ସରିଫ ସମ୍ପ୍ରତି ଦେଶର ହାଲଚାଲ ବିଷୟରେ କିଛି ଜାଣନ୍ତି ନାହିଁ। ଦେଶର ସମ୍ବିଧାନକୁ ଅପବିତ୍ର କରାଯିବା, ଦେଶର ଅନୁଷ୍ଠାନଗୁଡ଼ିକୁ ଧ୍ବଂସ କରାଯିବା ଏବଂ ଏପରି କି ପାକିସ୍ତାନ ସେନା ଦୁର୍ନାମ ମୁଣ୍ଡାଉଥିବା ନେଇ ସେମାନେ ଅଜ୍ଞ। ସେମାନେ ନିଜର ଲୁଟ୍ ସମ୍ପତ୍ତିର ସୁରକ୍ଷା ଭଳି ନ୍ୟସ୍ତସ୍ବାର୍ଥ ନେଇ କେବଳ ମଗ୍ନ ରହିଥିବା ଇମ୍ରାନ କହିଛନ୍ତି।

Advertisment

ସେ କହିଛନ୍ତି ଯେ, ଦେଶ ଆସନ୍ନ ବିପର୍ଯ୍ୟୟ ଆଡ଼କୁ ମୁହାଁଉଥିବା ଭଳି ଭୟଙ୍କର ଦୁଃସ୍ବପ୍ନ ସେ ଦେଖୁଛନ୍ତି। ଦେଶର ରାଜନୈତିକ ସଂକଟ ଦୂର କରିବା ପାଇଁ ତୁରନ୍ତ ନିର୍ବାଚନ କରାଇବା ପାଇଁ ସେ ଦାବି କରିଛନ୍ତି। ମେ ୯ ତାରିଖରେ ଇସଲାମାବାଦ ହାଇକୋର୍ଟ ପରିସରରୁ ତାଙ୍କୁ ଗିରଫ କରାଯିବା ପରେ ଯେଉଁ ଅସ୍ଥିରତା ସୃଷ୍ଟି ହୋଇଥିଲା, ତାହା ଉପରେ ଇମ୍ରାନ କହିଛନ୍ତି ଯେ ତାହା ଥିଲା ତାଙ୍କ ବିରୋଧରେ ମେଣ୍ଟ ସରକାର ଓ ପଞ୍ଜାବ କାମଚଳା ସରକାରଙ୍କର ଏକ ଷଡ଼୍‌ଯନ୍ତ୍ର। କ୍ଷମତାରେ ଥିବା ଲୋକମାନେ ଯଦି ଗୁରୁତ୍ବର ସହ ଚିନ୍ତା ନ କରନ୍ତି ତେବେ ପୂର୍ବ ପାକିସ୍ତାନ ଭଳି ପରିସ୍ଥିତି ପୁଣି ଆସିବ।

ପ୍ରାୟ ୪୦ ଜଣ ଆତଙ୍କବାଦୀ ତାଙ୍କ ଘରେ ଲୁଚିଛନ୍ତି ବୋଲି ପଞ୍ଜାବ ସରକାରଙ୍କ ଦାବି ଉପରେ ଇମ୍ରାନ କହିଲେ ଯେ, ସରକାର ଆଇନସଂଗତ ଭାବେ ସର୍ଚ୍ଚ ୱାରେଣ୍ଟ ଆଣି ତାଙ୍କ ଘର ତଲାସିପାରନ୍ତି। କାରଣ ଆତଙ୍କବାଦୀ ଥିଲେ ତାଙ୍କ ନିଜ ଜୀବନ ବିପଦରେ ଥାନ୍ତା। କିନ୍ତୁ ଏଇ ବାହାନାରେ ତାଙ୍କ ଦଳକୁ ବଦନାମ କରା ନ ଯାଉ। ସୂଚନାଯୋଗ୍ୟ, ଇମ୍ରାନ ମଣମାଧ୍ୟମ ପ୍ରତିନିଧିମାନଙ୍କୁ ତାଙ୍କ ଘର ଭିତରେ ପ୍ରବେଶ କରି ସେଠାରେ ଆତଙ୍କବାଦୀ ଅଛନ୍ତି କି ନା ନିଜ ଆଖିରେ ଦେଖିବାକୁ ଅନୁମତି ଦେଇଥିଲେ।