ବିଦା ହେଲେ ଇମ୍ରାନ୍‌: ପାକିସ୍ତାନ ସଂସଦରେ ଅନାସ୍ଥା ଗୃହୀତ, ଇସଲାମାବାଦରେ ସେନା ମୁତୟନ

ବାଚସ୍ପତି, ଉପବାଚସ୍ପତିଙ୍କ ଇସ୍ତଫା, ବିମାନଘାଟିରେ ଆଲର୍ଟ: ନେତା, ଅଧିକାରୀଙ୍କୁ ଦେଶ ଛାଡ଼ିବା ମନା

ନୂଆଦିଲ୍ଲୀ: ପାକିସ୍ତାନରେ ଇମ୍ରାନ୍‌ ସରକାରର ପତନ ଘଟିଛି। ଅନାସ୍ଥା ଭୋଟ୍‌ରେ ଇମ୍ରାନ୍‌ ଖାନ୍ ପରାଜୟ ବରଣ କରିବା ସହିତ ଦେଶର ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କୃତ ହୋଇଛନ୍ତି। ଅନାସ୍ଥା ଭୋଟ୍‌ରେ ବହିଷ୍କୃତ ହେବାରେ ଇମ୍ରାନ ହେଉଛନ୍ତି ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ। ତେବେ ପାକିସ୍ତାନ ପରିସ୍ଥିତି ଅଶାନ୍ତ ହୋଇପଡ଼ିଛି। ରାସ୍ତା ଉପରକୁ ଇମ୍ରାନଙ୍କ ସମର୍ଥକ ଓହ୍ଲାଇ ଅାସିଥିବାରୁ ବିଭିନ୍ନ ସହର‌େର ସେନା ମୁତୟନ କରାଯାଇଛି। କେବଳ ଏତିକି ନୁ‌େହଁ, ସମସ୍ତ ବିମାନଘାଟିରେ ମଧ୍ୟ ଆଲର୍ଟ ଜାରି କରାଯାଇଛି। ନେତା ଏବଂ ଅଧିକାରୀମାନଙ୍କ ଦେଶ ଛାଡ଼ିବା ଉପରେ କଟକଣା ଜାରି କରାଯାଇଛି।

ଅନାସ୍ଥା ପ୍ରସ୍ତାବ ଭୋଟ୍ ଲାଗି ସୁ୍ପ୍ରିମ କୋର୍ଟଙ୍କ ନିର୍ଦେଶକୁ ଟାଳିବା ପାଇଁ ଆଜି ଦିନ ତମାମ କସରତ୍ ଚାଲିଥିଲା। ତେବେ ରାତିରେ ସଂସଦ ବୈଠକ ବସିଥିଲା। କିନ୍ତୁ ଅନାସ୍ଥା ‌େଭାଟ୍ ପୂର୍ବରୁ ଉଭୟ ବାଚସ୍ପତି ଏବଂ ଉପବାଚସ୍ପତି ଇସ୍ତଫା ଦେଇଥିଲେ। ସେମାନଙ୍କ ସ୍ଥାନରେ ଜଣେ ଅସ୍ଥାୟୀ ବିଚାରପତି ଅନାସ୍ଥା ଭୋଟ୍ କରାଇଥିଲେ। ମଧ୍ୟରାତିରେ ହୋଇଥିବା ମତଦାନ ପୂର୍ବରୁ ଇମ୍ରାନଙ୍କ ଦଳର ସମସ୍ତ ସଭ୍ୟ କକ୍ଷତ୍ୟାଗ କରିଥିଲେ। ମତଦାନରେ ଇମ୍ରାନଙ୍କ ବିରୋଧରେ ୧୭୪ ଟି ଭୋଟ୍ ପଡ଼ିଥିଲା। ଆଜି ଦିନ ୧୦ଟା ୩୦ରେ ଭୋଟ୍‌ ଗ୍ରହଣ ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ବାଚସ୍ପତି ଏହା କରାଇ ଦେଇନଥିଲେ। ବାଚସ୍ପତି ଏବଂ ଉପବାଚସ୍ପତିଙ୍କ ଇସ୍ତଫା ପରେ ନୂଆ ବାଚସ୍ପତିଙ୍କ ଦ୍ବାରା ରାତି ୧୨ଟାରେ ଗୃହକାର୍ଯ୍ୟ ପୁଣି ଆରମ୍ଭ ହୋଇଥିଲା ଏବଂ ଅନାସ୍ଥା ଉପରେ ଭୋଟ୍‌ ଗ୍ରହଣ ହୋଇଥିଲା। ଆଜି ଦିନ ତମାମ ସଂଦରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା ଏବଂ ବାଚସ୍ପତି ଭୋଟ୍‌ ଗ୍ରହଣ ପାଇଁ ଆଦେଶ ଜାରି ନକରିବାରୁ ଉତ୍ତେଜନା ବଢ଼ିଥିଲା। ଅନାସ୍ଥା ଉପରେ ପୁନର୍ବିଚାର ଆବେଦନ ହୋଇଥିବାରୁ ସୁପ୍ରିମ୍‌ କୋର୍ଟ ପ୍ରଧାନ ବିଚାରପତି ମଧ୍ୟ ରାତି ୧୧ଟାରେ ସୁପ୍ରିମ୍‌ କୋର୍ଟରେ ପହଞ୍ଚିଥିଲେ। ଭୋଟ୍‌ ଗ୍ରହଣ ନହେଲେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌, ବାଚସ୍ପତି ଏବଂ ଉପବାଚସ୍ପତିଙ୍କୁ ଗିରଫ କରାଯିବ ବୋଲି ଖବର ପ୍ରଚାରିତ ହୋଇଥିଲା। ରାତି ସାଢ଼େ ୧୧ଟାରେ ନ୍ୟାସନାଲ ଆସେମ୍ଲିର ବାଚସ୍ପତି ଓ ଉପବାଚସ୍ପତି ନାଟକୀୟ ଭାବେ ଇସ୍ତଫା ଦେଇ ଗୃହରୁ ଚାଲିଯିବା ପରେ ଇମ୍ରାନ୍‌ଙ୍କ ଦଳ ପିଟିଆଇର ସଦସ୍ୟମାନେ ମଧ୍ୟ କକ୍ଷତ୍ୟାଗ କରିଥିଲେ। ନୂଆ ବାଚସ୍ପତିଙ୍କୁ ଗୃହ ପରିଚାଳନା ଦାୟିତ୍ବ ଦିଆଯାଇଥିଲା ଏବଂ ଭୋଟ୍‌ ଗ୍ରହଣ ହୋଇଥିଲା।

ଅନାସ୍ଥାରେ ହାରିବା ପରେ ଇମ୍ରାନ ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ଛାଡ଼ିଥିବା ଜଣାପଡ଼ିଛି। ତେବେ ଇମ୍ରାନ୍‌ ପାକିସ୍ତାନ ଛାଡ଼ିବା ଉପରେ ରୋକ୍‌ ଲଗାଇବାକୁ ବିରୋଧୀ ଦଳ ନେତାମାନେ ଦାବି କରିଛନ୍ତି। ଆଜି ପାକ୍‌ ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରେସୀ ଏବଂ ସୂଚନା ମନ୍ତ୍ରୀ ଫୱାଦ ଚୌଧରୀ ଅନାସ୍ଥା ଭୋଟ୍‌ ପୂର୍ବରୁ ତାଙ୍କ ଟ୍ବିଟର୍‌ ବାୟୋ ବଦଳାଇ ନିଜକୁ ପୂର୍ବତନ ମନ୍ତ୍ରୀ ଭାବେ ଦର୍ଶାଇଥିବାରୁ ଇମ୍ରାନ୍‌ ମଧ୍ୟ ଖୁବ୍‌ ଶୀଘ୍ର ଇସ୍ତଫା ଦେବେ ବୋଲି ଅନୁମାନ କରାଯାଉଥିଲା। ତେବେ ଇମ୍ରାନ୍‌ ଇସ୍ତଫା ଦେଇନଥିଲେ କି ସଂସଦକୁ ଆସିନଥିଲେ। ଆଜି ରାତିରେ ଇମ୍ରାନ୍‌ କ୍ୟାବିନେଟ୍‌ର ଏକ ଜରୁରୀ ବୈଠକ ଡକାଇଥିଲେ ଏବଂ ଏଥିରେ ଇସ୍ତଫା ସଂପର୍କରେ ଚର୍ଚ୍ଚା କରିଥିଲେ। ତେବେ ଅନାସ୍ଥା ଟାଳିବା ପାଇଁ କୌଣସି ସୁଯୋଗ ନଥିବାରୁ ଇମ୍ରାନ୍‌ଙ୍କ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରି ବାଚସ୍ପତି ଏବଂ ଉପବାଚସ୍ପତି ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଏହି ପଦକ୍ଷେପ ମଧ୍ୟ ଭୋଟ୍‌ ଟାଳିବାରେ ସକ୍ଷମ ହୋଇନଥିଲା ଏବଂ ବିରୋଧୀ ଦଳ ଏକଜୁଟ୍‌ ରହିବାରୁ ଇମ୍ରାନ୍‌ଙ୍କ ସରକାରର ପତନ ଘଟିଲା।

ସଂସଦରେ ଆଜି ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍‌ ଗ୍ରହଣ ପାଇଁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଇ ନଦେବା ପାଇଁ ଚକ୍ରାନ୍ତ ହୋଇଥିବାରୁ ବିରୋଧୀ ଦଳମାନଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ୩୪୨ ସଦସ୍ୟ ବିଶିଷ୍ଟ ନ୍ୟାସନାଲ୍‌ ଆସେମ୍ଲିରେ ୧୭୬ ଜଣ ସଦସ୍ୟଙ୍କ ସମର୍ଥନ ବିରୋଧୀ ମେଣ୍ଟ ହାସଲ କରିଥିବାରୁ ସରକାର ଗଠନ ପାଇଁ ରାସ୍ତା ସଫା ହୋଇଯାଇଛି। ଇମ୍ରାନ୍‌ଙ୍କ ସମର୍ଥକମାନେ ହଜାର ହଜାର ସଂଖ୍ୟାରେ ଲାହୋରରେ ରାସ୍ତାକୁ ଓହ୍ଲାଇଛନ୍ତି ଏବଂ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଇସଲାମାବାଦରେ ମଧ୍ୟ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଚାଲିଥିବାରୁ ସେନା ମୁତୟନ କରାଯାଇଛି। ଇମ୍ରାନ୍‌ ଲୋକଙ୍କୁ ହିଂସା ପାଇଁ ଆହ୍ବାନ ଦେଇଥିବାରୁ ତାଙ୍କୁ ତୁରନ୍ତ ଗିରଫ କରିବାକୁ ବିରୋଧୀ ଦଳ ନେତାମାନେ ଦାବି କରିଛନ୍ତି। ଏହାସହିତ ସେନାଧ୍ୟକ୍ଷଙ୍କ ସହିତ ଇମ୍ରାନଙ୍କ ମୁହାଁମୁହିଁ ଖବର ମଧ୍ୟ ପ୍ରଚାରିତ ହୋଇଥିଲା। କୁହାଯାଇଥିଲା ‌େଯ ସେନାଧ୍ୟକ୍ଷ ପଦରୁ ଜେନେରାଲ ବାଜୱାଙ୍କୁ ଇମ୍ରାନ ହଟାଇ ଦେଇଛନ୍ତି। କିନ୍ତୁ ଇମ୍ରାନ ଏହାକୁ ଖଣ୍ଡନ କରିଥିଲେ।

ସମ୍ବନ୍ଧିତ ଖବର