ଇସ୍ଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ରାଜନୈତିକ ଭବିଷ୍ୟତ ଏବେ ଅନ୍ଧକାରମୟ ହୋଇଉଠିଛି । ତାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟ୍ ଗ୍ରହଣ ପୂର୍ବରୁ ଆଜି ମେଣ୍ଟ ସହଯୋଗୀ ମୁତାହିଦା କ୍ବାମୀ ମୁଭ୍ମେଣ୍ଟ୍ (ଏମ୍କ୍ୟୁଏମ୍) ସରକାରରୁ ଓହରି ଯାଇଛି। ଏହା ସହିତ ଇମ୍ରାନ୍ ଖାନ୍ଙ୍କ ମେଣ୍ଟ ସଂସଦରେ ସଂଖ୍ୟା ଗରିଷ୍ଠତା ହରାଇଛି। ଇମ୍ରାନ୍ ଆଜି ସନ୍ଧ୍ୟାରେ କ୍ୟାବିନେଟ୍ର ବରିଷ୍ଠ ସହଯୋଗୀଙ୍କ ସହିତ ଏକ ରୁଦ୍ଧଦ୍ବାର ବୈଠକ କରିଥିଲେ ଏବଂ ଏଥିରେ ତାଙ୍କର ଇସ୍ତଫା ନେଇ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ସଂଖ୍ୟାଗରିଷ୍ଠତା ହରାଇଥିବାରୁ ତୁରନ୍ତ ଇମ୍ରାନ ଇସ୍ତଫା ଦେବାପାଇଁ ବିରୋଧୀ ଦଳଗୁଡ଼ିକ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି। ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଅଧ୍ୟକ୍ଷ ବିଲୱାଲ ଭୁଟ୍ଟୋ ଜର୍ଦାରି କହିଛନ୍ତି ଯେ ସଂଖ୍ୟା ଗରିଷ୍ଠତା ହରାଇଥିବା ଇମ୍ରାନଙ୍କୁ ଆମେ ଆଉ ପ୍ରଧାନମନ୍ତ୍ରୀ ଭାବେ ଗ୍ରହଣ କରିବୁ ନାହିଁ। ତାଙ୍କ ବିରୋଧରେ ଅନାସ୍ଥା ଆଗତ ହୋଇ ଭୋଟ୍ ଧାର୍ଯ୍ୟ ହୋଇଥିବାରୁ ଇମ୍ରାନ୍ ସଂସଦକୁ ମଧ୍ୟ ଭଙ୍ଗ କରିବା ପାଇଁ ସୁପାରିସ କରିପାରିବେ ନାହିଁ ବୋଲି ଭୁଟ୍ଟୋ କହିଛନ୍ତି। ଇମ୍ରାନ୍ ଇସ୍ତଫା ଦେବା ପରେ ବିରୋଧୀ ଦଳ ନେତା ଶାହବାଜ ସରିଫ୍ ପ୍ରଧାନମନ୍ତ୍ରୀ ହେବେ ବୋଲି ସେ କହିଛନ୍ତି।
ଆଜି ସନ୍ଧ୍ୟାରେ ପାକିସ୍ତାନ ସେନାମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ଇମ୍ରାନ ଖାନ୍ଙ୍କୁ ଭେଟିଥିବାରୁ ଅନାସ୍ଥା ପାଇଁ ଭୋଟ୍ ଗ୍ରହଣ ପୂର୍ବରୁ ଇସ୍ତଫା ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି । ସେନାମୁଖ୍ୟ ଇମ୍ରାନ୍ଙ୍କୁ ତାଙ୍କ ଭାବନରେ ଭେଟିଥିବା ବେଳେ ଆଇଏସ୍ଆଇ ମୁଖ୍ୟ ନଦୀମ ଅଜୁମ ମଧ୍ୟ ତାଙ୍କ ସହିତ ଇମ୍ରାନ୍ଙ୍କୁ ଭେଟିଥିଲେ। ସଂଖ୍ୟାଲଘୁ ସରକାରକୁ ନେଇ ଦେଶରେ କୌଣସି ଉତ୍ତେଜନା ସୃଷ୍ଟି ହେବା ପୂର୍ବରୁ ଇମ୍ରାନ୍ ଇସ୍ତଫା ଦେବାପାଇଁ ତାଙ୍କ ଉପରେ ସେନା ଚାପ ସୃଷ୍ଟି କରିଥିବା ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ ଇମ୍ରାନ ଖାନ୍ଙ୍କ ସରକାର ବିରୋଧରେ ପାକ୍ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଛି ଏବଂ ୩ ଏପ୍ରିଲ୍ରେ ଏହା ଉପରେ ଭୋଟ୍ ଗ୍ରହଣ ହେବାକୁ ସ୍ଥିର ହୋଇଛି। ତେବେ ଏହା ପୂର୍ବରୁ ଇମ୍ରାନ୍ଙ୍କ ପିଟିଆଇ ମେଣ୍ଟର ଜଣେ ପରେ ଜଣେ ସହଯୋଗୀ ମେଣ୍ଟ ଛାଡ଼ୁଥିବାରୁ ଇମ୍ରାନଙ୍କ ସରକାର ସଂଖ୍ୟାଲଘୁ ହୋଇଯାଇଛି। ଇମ୍ରାନ୍ ଖାନଙ୍କ ସରକାର କ୍ଷମତା ବଜାୟ ରଖିବା ପାଇଁ ୩୪୨ ଆସନ ବିଶିଷ୍ଟ ସଂସଦରେ ୧୭୨ ସାଂସଦଙ୍କ ସମର୍ଥନ ଆବଶ୍ୟକ। ଇମ୍ରାନଙ୍କ ପାଖରେ ଏବେ କେବଳ ୧୬୪ ସାଂସଦଙ୍କ ସମର୍ଥନ ରହିଛି। ଇମ୍ରାନ୍ କହିଛନ୍ତି ଯେ ତାଙ୍କ ସରକାରର ପତନ ପାଇଁ ଏକ ବିଦେଶୀ ରାଷ୍ଟ୍ର ଷଡ଼ଯନ୍ତ୍ର କରିଛି। ଏ ସମ୍ପର୍କରେ ସେ ପାଇଥିବା ଏକ ଚିଠିର ନକଲ ଆଜି ଗଣମାଧ୍ୟମକୁ ଦେଇଛନ୍ତି। ତେବେ ଏହି ଚିଠି ସେ କେଉଁଠୁ ପାଇଛନ୍ତି, ସେ ସମ୍ପର୍କରେ କିଛି କହିନାହାନ୍ତି। ବିଦେଶ ମନ୍ତ୍ରୀ ଶାହ ମହମ୍ମଦ କୁରେସୀ ସଂସଦରେ ଏହି ଚିଠି ଉପସ୍ଥାପନ କରିବେ ବୋଲି ସେ କହିଛନ୍ତି। ଆଜି ରାତିରେ ଇମ୍ରାନ ଦେଶବାସୀଙ୍କୁ ଉଦ୍ବୋଧନ ଦେବା ପାଇଁ ଘୋଷଣା କରିଥିଲେ। କିନ୍ତୁ ସେନା ମୁଖ୍ୟଙ୍କୁ ଭେଟିବା ପରେ ସେ ଏହି କାର୍ଯ୍ୟକ୍ରମ ବାତିଲ କରିଛନ୍ତି।